31.1 C
Bhubaneswar
Wednesday, February 28, 2024
Homeଓଡିଶାଦ୍ୱିଭୂଜା ମା’ ବିରଜା

ଦ୍ୱିଭୂଜା ମା’ ବିରଜା

ସମଗ୍ର ଏସିଆ ମହାଦେଶରେ ପ୍ରଥମ ଶାକ୍ତକ୍ଷେତ୍ର ରୂପେ ଜନବିଶ୍ରୁତ , ଆର୍ଯ୍ୟ ପରମ୍ପରାରୁ ପୂଜାପାଇ ଆସୁଥିବା ଦ୍ୱିଭୂଜା ଦୂର୍ଗା କେଉଁଠି ଦେଖିବାକୁ ମିଳୁନଥିବାବେଳେ, ଯାଜପୁରରେ ଦ୍ୱିଭୂଜା ଦୂର୍ଗା ବିରଜା ନାମରେ ପୂଜା ପାଇଆସୁଛନ୍ତିି । ପରବର୍ତ୍ତି କାଳରେ ଦେବୀଙ୍କୁ ଚାରିଭୂଜା, ଛଅଭୂଜା, ଆଠଭୂଜା, ଦଶଭୂଜା, ବାରଭୂଜା ଓ ଅଠରଭୂଜା ଭାବେ ବର୍ଣ୍ଣନା କରାଯାଇଛି । ଏହି ଦ୍ୱିଭୂଜା ବିରଜାଙ୍କ ସମ୍ପର୍କରେ ଆଲୋକପାତ କରିବା

ଭଗବାନ ବ୍ୟାସଦେବଙ୍କ ରଚିତ ପଂଚମ ବେଦ ଭାବେ ପରିଚିତ ମହାଭାରତର ବନପର୍ବରେ ଉତ୍କଳର ଅନ୍ୟ କୈାଣସି ତୀର୍ଥକ୍ଷେତ୍ରର ବର୍ଣ୍ଣନା ନଥିବା ସ୍ଥଳେ ବିରଜାଙ୍କ ବର୍ଣ୍ଣନା ଥିବାରୁ ବିରଜାଙ୍କ ସ୍ଥିତି ନିଶ୍ଚିତ ମହାଭାରତ ରଚନାର ବହୁ ପୂର୍ବରୁ ବୋଲି ଗବେଷକମାନେ ମତ ରଖନ୍ତି । ଭାରତରେ ଦ୍ୱିଭୂଜା ଦୁର୍ଗା ବିରଜା ନାମରେ ପ୍ରଥମେ କାଠ ପିତୁଳା ରୂପେ ପୂଜା ପାଇଥିବାରୁ ଆର୍ଯ୍ୟମାନଙ୍କ ଦ୍ୱାରା ଏହା ଆରମ୍ଭବୋଲି ବିଶ୍ୱାସ କରାଯାଏ । ଐତିହାସିକ ଆର ଏଲ ମିତ୍ର ଦ୍ୱିଭୂଜା ଦୁର୍ଗାଙ୍କୁ ସର୍ବପ୍ରାଚୀନ ବୋଲି ମତପ୍ରଦାନ କହିଛନ୍ତି । ପରବର୍ତ୍ତୀ କାଳରେ ଦେବୀଙ୍କୁ ଚତୁଭୂଜା, ଅଷ୍ଟଭୂଜା, ଦଶଭୂଜା, ଦ୍ୱାଦଶଭୂଜା, ଅଷ୍ଟାଦଶଭୂଜା ଭାବେ ଗ୍ରହଣ କରାଯାଇଥିଲା । ଯାଜପୁର ନିକଟବର୍ତ୍ତୀ ଭଦ୍ରକର ଚତୁର୍ଭୁଜା କାଳୀପୀଠରୁ ମିଳିଥିବା ତାମ୍ରଫଳକ ଯାହା ବର୍ତ୍ତମାନ ଓଡିଶା ସଂଗ୍ରହାଳୟ ଭୁବନେଶ୍ୱରରେ ରହିଛି, ତତ୍କାଳୀନ ସୁରଶର୍ମା ନାମକ ରାଜା ତାଙ୍କର ଅଷ୍ଟମ ବର୍ଷ ଶାସନ କାଳରେ ଏହାକୁ ପ୍ରଦାନ କରିଥିଲେ ବୋଲି ଏଥିରେ ଉଲ୍ଲେଖ ଅଛି । ଏହି ଫଳକରେ ଥିବା ଲିପିର ଶୈଳୀକୁ ବିଚାର କରି ଏହାକୁ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀର ଫଳଜ ବୋଲି ଲିପି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ଯଦି ଚତୁର୍ଭୁଜା କାଳୀଙ୍କ କାଳ ନିରୂପଣକୁ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀର ସମସାମୟିକ ବୋଲି ଧରାଯାଏ, ତେବେ ଦ୍ୱିଭୂଜା ଦେବୀଙ୍କର ମୂର୍ତ୍ତି ଯେ ଆହୁରି ପ୍ରାଚୀନ, ଏଥିରେ ସନ୍ଦେହ ନାହିଁ ।

କିମ୍ବଦନ୍ତି କହେ ଯାଜପୁର ଗୋଟିଏ ମହାକ୍ଷେତ୍ର ହୋଇଥିବାରୁ ଏହାକୁ ପଞ୍ଚକ୍ତୋଶ ଆୟତନରେ ଯେଉଁସବୁ କଳାସ୍ଥାପତ୍ୟର ଧ୍ୱଂସାବଶେଷ ଦେଖିବାକୁ ମିଳେ, ସେ ସବୁ ଯାଜପୁରର ଅନ୍ତର୍ଗତ ବୋଲି ଧରିବାକୁ ହେବ । ବିରଜା ପୀଠ ମହାଭାରତ ରଚିତ ହେବାର ବହୁ ପୂର୍ବରୁ ଅବସ୍ଥିତ ଥିଲା । ଏଣୁ ମୌର୍ଯ୍ୟ ଯୁଗରେ ଓ ତତ୍‌ପରବର୍ତ୍ତୀ ଯୁଗମାନଙ୍କରେ ମଧ୍ୟ ଏଠାରେ କଳାସ୍ଥାପଥୟ ସୃ୍‌ଷ୍ଟି ହୋଇଥିବା ଖୁବ୍ ସମ୍ଭବ, କିନ୍ତୁ ଅତି ପ୍ରାଚୀନ କାଳର ଧ୍ୱଂସାବଶେଷ ଅଦ୍ୟାପି ଏଠାରେ ମିଳିନାହିଁ , କ୍ଷେତ୍ରଟିକୁ ଭଲଭାବରେ ସର୍ଭେ କରାଯାଇନାହିଁ , କିମ୍ବା ଏହାର କୌଣସି ଅଂଶ ଖୋଦନ କରାଯାଇନାହିଁ । ଏପରି ସ୍ଥଳରେ ଏ କ୍ଷେତ୍ରରେ ଅତି ପ୍ରାଚୀନକାଳର କଳା ସ୍ଥାପତ୍ୟ ନାହିଁ ବୋଲି କହିବା ସମୀଚୀନ ହେବନାହିଁ । ପରିଦୃଶ୍ୟମାନ ମୂର୍ତ୍ତିମାନଙ୍କ ମଧ୍ୟରେ ସ୍ୱୟଂ ବିରଜା ଦେବୀ ହିଁ ସର୍ବପ୍ର୍ରାଚୀନ ବୋଲି ମନେ ହୁଅନ୍ତି । ତାଙ୍କ ଧ୍ୟାନରୁ ଜଣାଯାଏ ଯେ ଦ୍ୱିଭୁଜାଦେବୀ ବାମହସ୍ତରେ ମହିଷରୂପୀ ଦାନବର ପୁଚ୍ଛ ଧରି ଦକ୍ଷିଣ ହସ୍ତରେ ତାର ଶରୀରକୁ ଶୂଳବିଦ୍ଧ କରୁଛନ୍ତି । ମହିଷମର୍ଦ୍ଦିନୀଙ୍କ ଯେତେ ପ୍ରାଚୀନ ମୂର୍ତ୍ତି ଅବଧି ଭାରତରେ ଆବିଷ୍କୁତ ହୋଇଛି, ସେଥିମଧ୍ୟରୁ ସର୍ବପ୍ରାଚୀନ ହେଉଛି ଷଷ୍ଠ ଶତାବ୍ଦୀରେ ନିର୍ମିତ ଭୁମରାଠାରେ ଥିବା ଶିବମନ୍ଦିରର ମହିଷମର୍ଦ୍ଦନୀ ମୂର୍ତ୍ତି (୩୭) । ଏ ଦେବୀ ଚତୁର୍ଭୁଜା, ବିରଜାଙ୍କ ପରି ଦ୍ୱିଭୁଜା ନୁହନ୍ତି ।

ଏହି ହେତୁରୁ ବହୁ ପୂର୍ବେ ସ୍ୱର୍ଗତ ରମା ପ୍ରସାଦ ଗନ୍ଦ ଲେଖିଯାଇଛନ୍ତି ଯେ ବିରଜାଦେବୀଙ୍କ ମୂର୍ତ୍ତି ଅନ୍ତତଃ ପଂଚମ ଶତାବ୍ଦୀର ମୂର୍ତ୍ତି ।
ପଞ୍ଚମ ଶତାବ୍ଦୀର ଗୁପ୍ତଯୁଗ ଗୋଟିଏ ଧର୍ମବିପ୍ଲବର ଯୁଗ । ଏହି ସମୟରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତଥାନ ଘଟିଥିଲା । ବିରଜା କ୍ଷେତ୍ର ମହାତ୍ମ୍ୟରେ ବର୍ଣ୍ଣିତ ଅଛି ଯେ ଗୟାସୁର ନାମରେ ଜଣେ ଅସୁର ଥିଲା । ସେ ଅତି ପ୍ରତାପଶାଳି ଥିବାରୁ ଦେବତାମାନେ ତାକୁ ଭୟ କରି ବିଷ୍ଣୁଙ୍କ ଶରଣାପନ୍ନ ହୋଇଥିଲେ । ବିଷ୍ଣୁ ଗୟାସୁରକୁ ସତ୍ୟ କରାଇ ତା ଦେହଟାକୁ ଦାନରୂପେ ଗ୍ରହଣ କରିଥିଲେ ଓ ତାକୁ ତିନି ଖଣ୍ଡକରି ମସ୍ତକଟି ଗୟାରେ, ନାଭି ଅଂଶ ବିରଜା କ୍ଷେତ୍ରରେ ଓ ପାଦ ଅଂଶ ମହେନ୍ଦ୍ର ପର୍ବତରେ ପକାଇ ଦେଇଥିଲେ । ଏଣୁ ଗୟାରେ ବିଷ୍ଣୁଙ୍କ ପୀଠ, ଯାଜପୁରରେ ଶକ୍ତିଙ୍କ ପୀଠ ଓ ମହେନ୍ଦ୍ର ପର୍ବତରେ ଗୋକର୍ଣ୍ଣେଶ୍ୱରଙ୍କ ପୀଠର ଉତ୍ପତ୍ତି ଘଟିଥିଲା । ପଂଚମ ଶତାବ୍ଦୀବେଳକୁ ବହୁ ହିନ୍ଦୁ କ୍ଷେତ୍ର ବୌଦ୍ଧ କ୍ଷେତ୍ରରେ ପରିମତ ହୋଇଯାଇଥିଲା କିମ୍ବା ବୌଦ୍ଧଭାବାପନ୍ନ ହୋଇଯାଇଥିଲା । ଏହି କିମ୍ବଦନ୍ତୀରୁ ଅନୁମିତ ହୁଏ ଯେ ଗୁପ୍ତରାଜତ୍ୱ ବେଳକୁ ଗୟା, ବିରଜା ଓ ମହେନ୍ଦ୍ରଗିରି ପରି ପ୍ରାଚୀନ ହିନ୍ଦୁ କ୍ଷେତ୍ରମାନ ବୌଦ୍ଧଭାବାପନ୍ନ ହୋଇପଡିଥିଲା, ମାତ୍ର ଏ ଯୁଗରେ ଏହି ହିନ୍ଦୁ କ୍ଷେତ୍ରଗୁଡିକର ପୁନରୁତ୍‌ଥାନ କରାଯାଇଥିଲା । ଆଗରୁ କୁହାଯାଇଛି ଯେ ଖ୍ରୀଷ୍ଟିୟ ତୃତୀୟ ଶତାବ୍ଦୀରେ ଗୁହଶବ ନାମକ ଜଣେ ରାଜା ବିରଜା ଅଂଚଳରେ ରାଜତ୍ୱ କରୁଥିଲେ ଓ ସେ ବୌଦ୍ଧ ଥିଲେ । ଏଣୁ ଏ ଅଂଚଲରେ ବୌଦ୍ଧବାଦ ପ୍ରବଳ ହୋଇଥିବା ଆଶ୍ଚର୍ଯ୍ୟର କଥା ନୁହେଁ । ବିରଜାକ୍ଷେତ୍ର ମହାତ୍ମ୍ୟରେ ଆହୁରି ମଧ୍ୟ ବର୍ଣ୍ଣିତ ଅଛି ଯେ ବିରଜା ଦେବୀ ବ୍ରହ୍ମାଙ୍କ ଯଜ୍ଞକୁଣ୍ଡରୁ ବାହାରିଥିଲେ । ଏହାର ତାତ୍ପର୍ଯ୍ୟ ଏହି ଯେ ଯଜ୍ଞ କରାଯାଇ ବିରଜା କ୍ଷେତ୍ରର ତଥା ବିରଜାଦେବୀଙ୍କ ପୁନରୁତ୍ଥାନ କରାଯାଇଥିଲା ।

ଏହି ସବୁ ପୌରାଣିକ କିମ୍ବଦନ୍ତୀରୁ ଓ ବିଦ୍ୟମାନ ବିରଜାଦେବୀଙ୍କ ମୂର୍ତ୍ତିତତ୍ତ୍ୱରୁ ଅନୁମିତ ହୁଏ ଯେ ଖ୍ରୀଷ୍ଟିୟ ପଂଚମ ପର୍ବପର୍ବାଣୀ ମଧୂରୁ ଦୁର୍ଗାପୂଜା ବିରଜା ମନ୍ଦିରର ଗୋଟିଏ ଉଲ୍ଲେଖଯୋଗ୍ୟ ଘଟଣା । ପୁରୀରେ ବିମଳା ଦେବୀଙ୍କର ଷୋଡଶ ରାତ୍ରି ପୂଜା ଭଳି ଏଠାରେ କ୍ଷେତ୍ରାଧିଶ୍ୱରୀ ବିରଜା ଦେବୀଙ୍କର ଦ୍ୱିତୀୟା ଓଷାଠାରୁ ଦଶହରା ପର୍ବ ମହାନବମୀ ପର୍ଯ୍ୟନ୍ତ ଷୋହଳ ଦିନ ବ୍ୟାପୀ ପୂଜା ହୁଏ । ଏହି ଷୋଡଶ ରାତ୍ରି ପୂଜା କାର୍ଯ୍ୟ ସଂଜ୍ଞାଧାରୀ ବ୍ରାହ୍ମଣମାନେ କରିଥାନ୍ତି । ପାଣିମାନେ ପୂଜା ସାମଗ୍ରୀ, ଚନ୍ଦନ ପୁଷ୍ପ, ବେଲପତ୍ର ଯୋଗାଇ ଦେଇଥାନ୍ତି । ପାଣିଗ୍ରାହୀମାନେ ନୈବେଦ୍ୟ ପାଇଁ ଅନ୍ନ ବ୍ୟଞନାଦି କାର୍ଯ୍ୟରେ ନିଯୁକ୍ତ ଥାନ୍ତି । ସନ୍ଥ ମାଧବ ନିବାସୀ ପତି ମିଶ୍ର ବ୍ରାହ୍ମଣମାନେ ତଥା ନରହରିପୁର ଶାସନରେ ବାସ କରୁଥିବା ବ୍ରାହ୍ମଣମାନେ ପୂଜା ନିର୍ଦ୍ଦେଶକ (ତନ୍ତ୍ରଧାର) ରୂପେ ପୂଜାକାର୍ଯ୍ୟ ସମ୍ପାଦନ କରିଥାନ୍ତି । ପାଣିମାନେ ହୋମ କାର୍ଯ୍ୟରେ ଅଂଶ ଗ୍ରହଣ କରିଥାନ୍ତି । ଏହାଛଡା ବାରିକ, ମାଳୀ, ଜ୍ୟୋତିଷ, ବଳିହନ୍ତା ପ୍ରଭୃତି ବିଯୋଗୀମାନେ ସେମାନଙ୍କର ଯଥାଯଥ ଭାବରେ କାର୍ଯ୍ୟ ତୁଲାଇଥାନ୍ତି ।ଏହା ବ୍ୟତୀତ ବାରମାସରେ ପାଣିମାନେ କାଳକ୍ରମରେ ସେବା ପୂଜା କାର୍ଯ୍ୟ କରନ୍ତି। ବିରଜା ଦେବୀଙ୍କର ରଥାରେ ବସି ରଥ ଭ୍ରମଣ ଯେପରି ହୁଏ ଅନ୍ୟ କେଉଁ ଠାରେ ଦେଖାଯାଏ ନାହିଁ । ପୁରୀର ସୁଭଦ୍ରାଙ୍କ ବିଜୟା ରଥ ପରି ନିର୍ମିତ ହୁଏ ବିରଜାଙ୍କ ରଥ । ଅମାବାସ୍ୟା ଦିନ ଅଧିବାସ ହୋଇ ପ୍ରତିଦିନ ଦିନ ରଥ ପ୍ରତିଷ୍ଠା କରାଯାଏ । ପ୍ରତିପଦ ଠାରୁ ମହାନବମୀ ପର୍ଯ୍ୟନ୍ତ ଏହି ରଥ ମନ୍ଦିରର ଚାରିପାଖରେ ନଅଥର ଭ୍ରମଣ କରେ । ଯେଉଁମାନେ ଦର୍ଶନ କରନ୍ତି, ସେମାନେ ନର୍କରୁ ଉଦ୍ଧାର ପାଇ ବିଷ୍ଣୁ ଲୋକପ୍ରାପ୍ତି ହୁଅନ୍ତି ବୋଲି କତିତ ରହିଛି । ମହାନବମୀ ଦିନ ରଥ ଭ୍ରମଣ ପରେ ପ୍ରତିମାକୁ ଳାଖବିନ୍ଧା ପଡିଆକୁ ନିଆଯାଏ । ପୂଜକ ଚାରି ଦିନରେ ଚାରୋଟି ଶର ନିକ୍ଷେପ କରିଥାନ୍ତି । ଲାଖ ବିନ୍ଧା ପଡିଆରେ ଉତ୍ସବ ଶେଷ ହେବା ପରେ ଦେବୀଙ୍କୁ ଏକମୁହାଁ କରି ଆଣି ପୂଜକମାନେ ମନ୍ଦିର ଭିତରେ ପ୍ରବେଶ କରାନ୍ତି ଓ ଦ୍ୱାର ବନ୍ଦ କରିଦିଅନ୍ତି । ଏହାପରେ ବଳି ମଣ୍ଡପରେ ମହିଷକୁ ବଳି ଦିଆଯାଏ । ଏହାକୁ ଦେଖିବା ପାଇଁ ହଜାର ହଜାର ଯାତ୍ରୀଙ୍କ ସମାଗମ ହୋଇଥାଏ ।

 

ବିରଜାଙ୍କ ଜନ୍ମୋତ୍ସବ :

ମାଘ ମାସରେ ତ୍ରିବେଣୀ ଅମାବାସ୍ୟା ଦିନ ଶ୍ରାବଣ ନକ୍ଷତ୍ର ଯୁକ୍ତ ମକର ଚନ୍ଦ୍ରରେ ବିରଜାଙ୍କ ଜନ୍ମୋତ୍ସବ ପାଳିତ ହୁଏ । ଗାୟତ୍ରୀ ଦ୍ୱାରା ଏହି ପୂଜା ସମ୍ପାଦନା କରାଯାଏ । ବହୁ ସଂଖ୍ୟକ ଯାତ୍ରୀ ଆସିଥାନ୍ତି ସାବିତ୍ରୀ ବେଶ ଦର୍ଶନ କରିବାକୁ । ଏହାକୁ ଛାଡି ଦେଲେ ପ୍ରତ୍ୟେକ ମାସରେ କିଛି ନା କିଛି ପର୍ବ ଏଟାରେ ପାଳନ କରାଯାଏ । ପ୍ରତି ଅଷ୍ଟମୀରେ, ଚତୁର୍ଦ୍ଦରେ, ପୂର୍ଣ୍ଣମୀରେ, ସଂକ୍ରାନ୍ତିରେ, ଅମାବାସ୍ୟାରେ, ମଙ୍ଗଳବାର, ଗୁରୁବାର ଦର୍ଶନ କଲେ ମହାପାପରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ନରକରୁ ଉଦ୍ଧାର ମିଳେ ବୋଲି ବିଶ୍ୱାସ ରହିଛି ।  

ବିରଜାଙ୍କ ପୀଠସ୍ଥଳୀ ଭାବେ ବର୍ତ୍ତମାନ ଯେଉଁ ମନ୍ଦିରର ଅବସ୍ଥିତି ଥିବା ଦେଖାଯାଏ ତାହା ପୁରାତନ ନୁହେଁ । ଏହାକୁ ଯାଜପୁରସ୍ଥ ଜନୈକ ଜମିଦାର ଶ୍ରୀଯୁକ୍ତ ଚୈାଧୁରୀଙ୍କ ସହାୟତାରେ ମରାମତି କରାଯାଇଥିଲା । ପ୍ରକୃତ ଦେବୀଙ୍କ ପୀଠସ୍ଥଳୀ ଭାବେ ଲୋକମାନେ ଯାଜପୁରସ୍ଥ ଅନତିଦୂରରେ ଥିବା କଳସପୁରସ୍ଥିତ ମନ୍ଦିରଟିକୁ ବିରଜା ଦେବୀଙ୍କ ମନ୍ଦିର ଭାବେ ଦେଖାଇ ଦିଅନ୍ତି ।ଏହି ଭଗ୍ନ ମନ୍ଦିରଟି ଖ୍ରୀଷ୍ଟାବ୍ଦ ୫ମ ବା ୬ଷ୍ଠ ଶତାବ୍ଦୀର ମନ୍ଦିର ବୋଲି ଅନୁମାନ କରାଯାଏ । କାରଣ ଏହି ମନ୍ଦିରଟିର ଶିଖର ଗୁପ୍ତଯୁଗୀୟ ମନ୍ଦିର ଶୈଳୀ ସହ ସାମଞସ୍ୟ ଅଛି । ଗୁପ୍ତଯୁଗୀୟ ମନ୍ଦିରର ଶିଖ ଭଳି ଏହି ମନ୍ଦିରର ଶିଖର ଚଟକା ଅଟେ । ଖ୍ରୀଷ୍ଟବ୍ଦ ୫ମ ଶତାବ୍ଦୀ ଯାହା ଗୁପ୍ତଯୁଗୀୟ ରାଜାମାନଙ୍କ ଶାସନକାଳ ପ୍ରକୃତ ପକ୍ଷେ ମନ୍ଦିର ଗଠନର ପ୍ରାଥମିକ ଓ ପ୍ରାରମ୍ଭିକ ସୋପାନ ଥିଲା । ବର୍ତ୍ତମାନର ମନ୍ଦିରଠାରୁ ସେ ସମୟର ଗଠନ ଶୈଳୀରେ ବହୁ ପ୍ରାର୍ଥକ୍ୟ ଥିଲା । ସେତେବେଳେ ମନ୍ଦିରର ଶିଖର ଦେଶ ଚଟକା ଥିବାର ପ୍ରମାଣ ଦେଇ ସେସମୟର ମନ୍ଦିର ଭାବେ ଝାନ୍‌ସୀସ୍ଥ ଦେବଗଡଠାରେ ଥିବା ଦଶାବତାର ମନ୍ଦିରକୁ ଐତିହାସିକ ଆର.ଡି.ବାନାର୍ଜୀ ଏହାକୁ ୬ଷ୍ଠ ଶତାବ୍ଦୀର ମନ୍ଦିର ଭାବେ ପରିକଳ୍ପନା କରିଛନ୍ତି ।

ତେଣୁ କଳସପୁରସ୍ଥ ମନ୍ଦିରର ଶୈଳୀ ବିଶେଷତଃ ଶିଖରର ଚଟକା ଆକୃତିକୁ ବିଚାର କଲେ ଏହାକୁ ନିଶ୍ଚିତ ଭାବରେ ଖ୍ରୀଷ୍ଟବ୍ଦ ୫ମ ବା ୬ଷ୍ଠ ଶତାବ୍ଦୀର କୁହାଯାଇପାରେ । ସେଭଳି ଗୁପ୍ତଯୁଗୀୟ ମନ୍ଦିରର ଶୈଳୀ ଓଡିଶାର କୈାଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ପରବର୍ତ୍ତି କାଳରେ ଅର୍ଥାତ୍ ଓଡିଶାରେ ଭୈାମକର ରାଜବଂଶ ରାଜୁତି କରିବା ସମୟରେ ତ୍ରିରଥ ମନ୍ଦିର, ସୋମବଂଶୀ ରାଜାମାନଙ୍କ ରାଜୁତି ସମୟରେ ପଞ୍ଚରଥ ମନ୍ଦିର ଏବଂ ଗଙ୍ଗବଂଶ ଓ ସୂର୍ଯ୍ୟବଂଶ ନରପତିମାନଙ୍କ ରାଜୁତି ସମୟରେ ସପ୍ତରଥ ଓ ନବରଥ ମନ୍ଦିରମାନ ଗଠନ କରାଯାଇଥିବାରୁ ବିଧି ପରିଲକ୍ଷିତ ହୁଏ । ବର୍ଷର ବିଭିନ୍ନ ସମୟରେ ଓଡିଶା ସମେତ ଭାରତର ବିଭିନ୍ନ ଅଞ୍ଚଳରୁ ଏଠାକୁ ଆସୁଥିବା ଯାତ୍ରୀମାନେ ଏହି କ୍ଷେତ୍ରର ଇତିହାସ ଓ ଐତିହ୍ୟର ମୂକସାକ୍ଷୀ ରୁପେ ପରିଗଣିତ ହେଉଥିବା ପ୍ରାଚୀନ କୀର୍ତ୍ତି ସମ୍ପର୍କରେ ଜାଣିବା ପାଇଁ ଚାହିଁଲେ ନିରାଶ ହେବାକୁ ପଡିଥାଏ ।

ଆହୁରି ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛି ଆଖିଦୃଶିଆ ବ୍ୟବସ୍ଥା ହୋଇପାରିନାହିଁ । ଏହି କ୍ଷେତ୍ରରେ ବିରଜା ମନ୍ଦିର ସମେତ ବହୁ ପ୍ରାଚୀନ ମନ୍ଦିର ରହିଲେ ମଧ୍ୟ ସେଗୁଡିକ ଧ୍ୱଂସ ପାଇଯିବା ପୂର୍ବରୁ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସଂଗ୍ରହ ସଂରକ୍ଷଣ ଓ ରକ୍ଷଣାବେକ୍ଷଣା ପାଇଁ ଯାଜପୁରଠାରେ ଏକ ସଂଗ୍ରହାଳୟ ସ୍ଥାପନ କଲେ ବିଲୋପ ଘଟିଥିବା ମହାନ ଐତିହ୍ୟର ସୁରକ୍ଷା ହୋଇପାରନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking