ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ପଶ୍ଚିମ ଏସିଆରେ ଚରମ ଉତ୍ତେଜନା । ଅଶୋଧିତ ତୈଳ ଦରରେ ଅହେତୁକ ବୁଦ୍ଧି । ଯାହା ଖାଉଟିଙ୍କ ପକେଟକୁ ବାଧୁଛି । ନିକଟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ଦୁଇ ଦୁଇ ଥର ବୃଦ୍ଧି ପାଇ ସାଧାରଣ ଜନତାଙ୍କ ଚିନ୍ତା ଆହୁରି ବଢାଇଛି । ପୂର୍ବରୁ ଗତ ମେ ୧୫ ତାରିଖ ରେ ତେଲ ଦର ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏହାପରେ ପୁଣି ମେ ୧୯ରେ ୯୦ ପଇସା ମହଙ୍ଗା ହୋଇଛି । ଅପରପକ୍ଷେ ଚଳିତ ମାସ ଆରମ୍ଭରୁ ହିଁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ୯୯୩ ଟଙ୍କା ବଢି ସାରିଥିବା ବେଳେ ଏବେ ଘରୋଇ ଏଲପିଜି ସିଲିଣ୍ଡର ଉପରେ ଚଡକ । ଯେଉଁଥିରେ ଶେଷ ଥର ପାଇଁ ଗତ ମାର୍ଚ୍ଚ ମାସରେ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା ଏବଂ ସେବେଠାରୁ ଏହାର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।ଏହି ଅନ୍ତର୍ଜାତୀୟ ବିବାଦ ଓ ମହଙ୍ଗା ମାଡ଼କୁ ନେଇ କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୋଡ୍କୁ ଆସିଯାଇଛନ୍ତି । ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ କିଛି ବଡ଼ ପଦକ୍ଷେପ ନିଆଯାଇପାରେ। ଅନ୍ୟପଟେ, ଜୁନ୍ ୧ ତାରିଖରେ ତେଲ କମ୍ପାନିଗୁଡ଼ିକ ପୁଣିଥରେ ନୂଆ ଦର ଜାରି କରିବାକୁ ଥିବାରୁ, ସେତେବେଳେ ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବଢ଼ିବ ନା ସ୍ଥିର ରହିବ, ତାହା ଉପରେ ଏବେ ସାରା ଦେଶର ନଜର ।










