ମନୋରଞ୍ଜନ (Entertainment) :
ୱେବ ଦୁନିଆର ଆନ୍ଧାରୀ ମାୟା ; ବିବାଦରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଡିପ୍ ଫେକ୍ ପ୍ରଯୁକ୍ତି
*ସତ କହିଲେ ପୁରା ନକଲି, କିନ୍ତୁ ଦେଖିବାକୁ ପୁରା ଅସଲି । ଡିପ ଫେକକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ତେବେ କଣ ଏହି ଡିପ ଫେକ .. ଏପରି ଏକ ଟେକନୋଲୋଜି, ଯେଉଁଥିରେ ଭିଡ଼ିଓ କିମ୍ବା ଫଟୋ ଏକଦମ ଅସଲି ଲାଗିଥାଏ । ଆର୍ଟିଫିସିଆଲ ବା AI ଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଏଭଳି ଭିଡ଼ିଓରେ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା ନିହାତି କଷ୍ଟକର ବ୍ୟାପାର । ତେବେ ଏହା ଅସମ୍ଭବ ନୁହେଁ । ଏହି ଟେକ୍ନୋଲୋଜି ଦ୍ୱାରା ସ୍ୱର ମିଶା ଯାଇ ପାରୁଛି । ଦୁଇଟି ଶରୀର ମଧ୍ୟରେ ତାରତମ୍ୟ ଜାଣି ହେଉନାହିଁ । ତେବେ କେମିତି ତିଆରି ହୁଏ ଡିପ ଫେକ .. ଏନକୋଡର ଓ ଡିକୋଡରର ମିଶ୍ରଣରେ ତିଆରି ହୁଏ ଡିପ ଫେକ ଭିଡ଼ିଓ । ଜେନେରେଟିଭ ଆଡଭର୍ସିଆଲ ନେଟୱର୍କ ଦ୍ୱାରା ଉଭୟକୁ ମିଶ୍ରଣ କରାଯାଏ । ଏନକୋଡର ନେଟୱର୍କରେ ଅସଲି ଭିଡ଼ିଓର ଚେହେରାକୁ ଅନୁଶୀଳନ କରାଯାଇ, ଡିକୋଡରକୁ ତଥ୍ୟ ପ୍ରଦାନ କରେ । ସେହି ତଥ୍ୟ ଆଧାରରେ ଭିଡ଼ିଓ ପ୍ରସ୍ତୁତ କରାଯାଏ । ତେବେ ଡିପ ଫେକ ଭିଡ଼ିଓ ଜାଣିବା ଯଦିଓ କଷ୍ଟକର କାମ, କିନ୍ତୁ ଅସମ୍ଭବ ନୁହେଁ । ଏହି ଭିଡ଼ିଓ ଗୁଡ଼ିକରେ ଆଖିର ଗତିବିଧି ସ୍ୱାଭାବିକ ଲାଗେନି । ରଙ୍ଗ ଓ ଆଲୋକରେ ଅସମାନତା ଦେଖାଯାଏ । ମଣିଷର ସ୍ୱାଭାବିକ ସ୍ୱର ସହ ଏହା ପ୍ରାୟତଃ ମେଳ ଖାଏ ନାହିଁ । ଶରୀରର ଅସ୍ୱାଭାବିକ ଆକୃତି ଓ ଗତିବିଧିକୁ ଜାଣିହୁଏ । ଚେହେରାର ଅନେକ ଅଂଶ ମଧ୍ୟ ଅସ୍ୱଭାବିକ ଲାଗିଥାଏ । ଯେହେତୁ ଏହା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ତିଆରି କରା ଯାଇଥାଏ, ଏହା ସମ୍ପୂର୍ଣ୍ଣ ଭାବେ ମେଳ ଖାଏ ନାହିଁ । କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ଏକ ସଭାରେ ଡିପ୍ ଫେକ୍ ଟେକ୍ନୋଲୋଜିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହା ବ୍ୟତୀତ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ନିଜର ଡିପ୍ ଫେକ୍ ଭିଡ଼ିଓ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଟେକ୍ନୋଲୋଜି ବ୍ୟବହାର କାରଣରୁ ସାଇବର ଅପରାଧ ମଧ୍ୟ ବୃଦ୍ଧି ଘଟିଛି। ତେବେ ସାମ୍ପ୍ରତିକ ସମୟରେ ଡିପ୍ ଫେକ୍ ଅଧିକ ଲୋକପ୍ରିୟ ଏବଂ ବାସ୍ତବବାଦୀ ହୋଇଛି। ଡିପ୍ ଫେକ୍ ଲୋକପ୍ରିୟତା ବାସ୍ତବ କ’ଣ ଓ କ’ଣ ନୁହେଁ ତାହା ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର କରିଦେଇଛି, ଫଳସ୍ୱରୁପ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ମିଥ୍ୟା ସୂଚନାର ଆଶଙ୍କା ବଢ଼ିବାରେ ଲାଗିଛି। ଡିପ୍ ଫେକ୍ ହେଉଛି ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଡିପ୍ ଲର୍ଣ୍ଣିଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ତିଆରି କରାଯାଇଥିବା ଅନ୍ୟ ଜଣଙ୍କ ଭିଡିଓ। ଏହା କେବଳ ଚେହେରା ନୁହେଁ, ସ୍ୱର ଏବଂ ଆଚରଣକୁ ଅନୁକରଣ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ। ଉଦାହରଣ ସ୍ୱରୂପ, ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗୀତ ଗାଉଥିବା ଭିଡିଓ। ଏହି ଭିଡ଼ିଓରେ କେବଳ ଚେହେରା ନୁହେଁ ବରଂ ସ୍ୱରକୁ ମଧ୍ୟ ନକଲ କରାଯାଇଛି। ଏହି ଡିପ୍ ଫେକ୍ ଟେକ୍ନୋଲୋଜି ପ୍ରଥମ ଥର ୨୦୧୪ରେ ସିନ୍ଥେଟିକ ମିଡିଆ ଭାବେ ପରିଚୟ ଲାଭ କରିଥିଲା। ୨୦୧୭ ମସିହା ପରଠାରୁ ଏହି ଟେକ୍ନୋଲୋଜି ଅଧିକ ବିକଶିତ ହୋଇଥିଲା।ତେବେ ଡିପ୍ ଫେକ୍ ଯେ ସର୍ବଦା ସମାଜର କ୍ଷତିକାରୀ ତା ନୁହେଁ, ଏହି ଜ୍ଞାନକୌଶଳ ଶିକ୍ଷାକୁ ଅଧିକ ମନୋରଂଜନକାରୀ କରିବା ପାଇଁ ବ୍ୟବହାର କରାଯାଇପାରିବ। ଆମେ ପ୍ରାଚୀନ ରାଜା ଓ ସେମାନଙ୍କ ଶାସନ, ସେ ସମୟର ଜୀବନ ଶୈଳୀ ବିଷୟରେ ବର୍ଣ୍ଣନା କରି ଭିଡିଓ ତିଆରି କରିପାରିବା। ଇତିହାସକୁ ଜୀବନ୍ତ କରିବା ଏବଂ ଏହାକୁ ସବୁ ବୟସର ଲୋକଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ପାଇଁ ଏହା ଏକ ଉତ୍ତମ ଉପାୟ। ସେହିଭଳି ସମସ୍ତ ଶିକ୍ଷାଗତ ବିଷୟବସ୍ତୁକୁ ଏହା ସାହାଯ୍ୟରେ ଅଧିକ ଆକର୍ଷଣୀୟ କରାଯାଇପାରିବ, ଫଳରେ ଡିପ୍ ଫେକ୍ ଟେକ୍ନୋଲୋଜି ସାହାଯ୍ୟରେ ଛାତ୍ରଛାତ୍ରୀ ମାନେ ସହଜରେ ଜିନିଷ ଶିଖିପାରିବେ ଓ ମନେ ରଖିପାରିବେ। ଡିପ୍ ଫେକ୍ ଟେକ୍ନୋଲୋଜି ଦ୍ଵାରା ସ୍ପେଶାଲ ଇଫେକ୍ଟ ବ୍ୟବହାର କରି ଫିଲ୍ମରେ ପ୍ରୟୋଗ କରାଯାଇପାରିବ। ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଏପରି ଲୋକ ସୃଷ୍ଟି କରାଯାଇପାରିବ ଯାହାର ଅସ୍ତିତ୍ୱ ନାହିଁ, ଯାହାକି ଯେଉଁମାନେ ଗୋପନୀୟତା ରଖି ସମାଜକୁ ବାର୍ତ୍ତା ଦେବାକୁ ଚାହାଁନ୍ତି ସେମାନଙ୍କ ପାଇଁ ସହାୟକ ହେବ। ଏହା ଲୋକମାନଙ୍କୁ ଭାବନାତ୍ମକ ଭାବେ ମଧ୍ୟ ସାହାଯ୍ୟ କରିପାରେ। ଉଦାହରଣ ସ୍ୱରୂପ, ଯଦି କେହି କୌଣସି ରୋଗ କିମ୍ବା ଦୁର୍ଘଟଣା କାରଣରୁ ନିଜର ସ୍ୱର ହରାଇଦିଅନ୍ତି, ତେବେ ମଧ୍ୟ ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ସେମାନଙ୍କ ସ୍ୱର ସୃଷ୍ଟି କରାଯାଇପାରିବ। ତେବେ ଭଲ ଦିଗ ସହିତ ଏହାର ଅପବ୍ୟବହାର ସମାଜରେ ଅନେକ ବିପଦ ସୃଷ୍ଟି କରେ। ଡିପ୍ ଫେକ୍ ଟେକ୍ନୋଲୋଜିର ଅନ୍ୟତମ ମୁଖ୍ୟ ବିପଦ ହେଉଛି ଏହାର ମିଥ୍ୟା ସୂଚନା ସୃଷ୍ଟି କରିବାର କ୍ଷମତା ଯାହା ବ୍ୟକ୍ତିବିଶେଷଙ୍କୁ ବଦନାମ କିମ୍ବା ହଇରାଣ କରିବା ଏବଂ ଏପରିକି ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଇପାରିବ। ଉଦାହରଣ ସ୍ୱରୂପ, ମାର୍ଚ୍ଚ ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ଏକ ଡିପ୍ ଫେକ୍ ଭିଡିଓ ଅନଲାଇନରେ ପ୍ରସାରିତ ହୋଇଥିଲା, ଯେଉଁଥିରେ ସେ ୟୁକ୍ରେନବାସୀଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଇ କିଛି ଦିନ ତଳେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ମିଛ ଭିଡ଼ିଓ ଏହି ପ୍ରଯୁକ୍ତି ବଳରେ ନିର୍ମାଣ କରାଯାଇ ଭାଇରାଲ କରାଯାଇଥିଲା।
ଏହି ଉପାୟରେ ଡିପ୍ ଫେକ୍ ଟେକ୍ନୋଲୋଜିର ଅପବ୍ୟବହାର କରି ବିଭ୍ରାନ୍ତିକର ତଥ୍ୟ ସୃଷ୍ଟି କରାଯାଇପାରିବ। ଏହାର ଅପବ୍ୟବହାର କରି ଯେଉଁ ଅପରାଧୀମାନେ ପ୍ରକୃତରେ ଅପରାଧ କରିଛନ୍ତି ସେମାନେ ଏହା କରିନାହାନ୍ତି ବୋଲି ଦାବି କରି ଦଣ୍ଡରୁ ବର୍ତ୍ତିବାକୁ ଚେଷ୍ଟା କରିପାରନ୍ତି ଏବଂ ଏହାର ପ୍ରମାଣ ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ତିଆରି କରାଯାଇପାରେ ଯାହା ଦର୍ଶାଇପାରେ ଯେ ଅନ୍ୟ ଜଣେ ବ୍ୟକ୍ତି ଅପରାଧ କରୁଛି।ତେବେ ଏହା ନିୟନ୍ତ୍ରଣ ପାଇଁ କଠିନ ଆଇନ୍ ଆଉ କଟକଣା ଆବଶ୍ୟକ ଥିବା ବେଳେ କେବଳ କିଛି ଦେଶରେ ଏହି ନୂତନ ଜ୍ଞାନକୌଶଳ ଉପରେ ଆଇନ ରହିଛି। ନିକଟରେ ତାଇଓ୍ଵାନ ନିର୍ବାଚନ ଆଇନରେ ଏକ ସଂଶୋଧନ ଆଣିଛି, ଯେଉଁଥିରେ ଡିପ୍ ଫେକ୍ ଭିଡିଓ ତିଆରି କଲେ କିମ୍ବା ଶେୟାର କଲେ ଲୋକଙ୍କୁ ଦଣ୍ଡିତ କରାଯାଇପାରିବ। ଭାରତରେ କିନ୍ତୁ ଏଯାଏଁ ଏ ନେଇ କୌଣସି ଆଇନ୍ ନାହିଁ। ଆଇପିସି ଧାରା ୫୦୦କୁ ମାନହାନି ପାଇଁ ଦଣ୍ଡ ଭାବରେ ବ୍ୟବହାର କରାଯାଇପାରିବ। ସୂଚନା ଆଇନ, ୨୦୦୦ର ୬୭ ଓ ୬୭(ଏ)କୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇପାରିବ। ଏହି ନିୟମ ଅନୁଯାୟୀ, “ଯେ କୌଣସି ଯୋଗାଯୋଗ ଉପକରଣ କିମ୍ବା କମ୍ପ୍ୟୁଟର ଉତ୍ସ ବ୍ୟବହାର କରି ଜାଲିଆତି କରୁଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ନିୟମ ରହିଛି। ଏଭଳି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ।” ଏପରିକି ଗତ ନଭେମ୍ବର ୮ ତାରିଖ ଦିନ କେନ୍ଦ୍ର ସରକାର ଆଇ.ଟି ଆଇନ୍ ୨୦୨୧ ଅଧିନିୟମ ଜାରି କରିଥିଲେ ଯେଉଁଥିରେ ଏପରି ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ଡିପ୍ ଫେକ୍ ଭିଡିଓ ଗୁଡିକୁ ହଟାଇବାକୁ ନିର୍ଦ୍ଦେଶ ରହିଛି।ନିୟମ ଅନୁଯାୟୀ, ସାମାଜିକ ଗଣମାଧ୍ୟମ ଉପଭୋକ୍ତାମାନଙ୍କ ଦ୍ୱାରା କୌଣସି ଭୁଲ ତଥ୍ୟ ବା ଖରାପ ପୋଷ୍ଟ ଉପରେ ନଜର ରଖିବା ସାମାଜିକ ଗଣମାଧ୍ୟମଗୁଡ଼ିକ ପାଇଁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହାପରେ ମଧ୍ୟ ଯଦି କୌଣସି ବ୍ୟକ୍ତି ବା ସରକାର ଭୁଲ ତଥ୍ୟ ବା ପୋଷ୍ଟକୁ ନେଇ ରିପୋର୍ଟ କରନ୍ତି, ଏହାକୁ ଆଗାମୀ ୩୬ ଘଣ୍ଟା ମଧ୍ୟରେ ହଟାଯିବା ଉଚିତ୍। ଯଦି ସଂପୃକ୍ତ ସାମାଜିକ ଗଣମାଧ୍ୟମ ଏଥିରେ ବିଫଳ ହୁଅନ୍ତି, ନିୟମ ଲାଗୁ ହେବା ସହ ଆଇପିସି ନିୟମ ଅନୁସାରେ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମ ଉପଭୋକ୍ତାଙ୍କ ବିପକ୍ଷରେ ମଧ୍ୟ ଦଣ୍ଡବିଧାନ ହୋଇପାରେ। କିନ୍ତୁ ଡିପ୍ ଫେକ୍ ଟେକ୍ନୋଲୋଜିର ବ୍ୟବହାରକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏବେ ବି କୌଣସି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳିନି।ତେବେ ଏହା ପାଇଁ କେବଳ କଟକଣା ନୁହେଁ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଡିପ୍ ଫେକ୍ ଟେକ୍ନୋଲୋଜିର ବିପଦ ଏବଂ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବାର କ୍ଷମତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ୍। ଏହା ବ୍ୟତୀତ ବାସ୍ତବବାଦୀ ଡିପ୍ ଫେକ୍ ଚିହ୍ନଟ କରିବା ପାଇଁ ଟେକ୍ନୋଲୋଜି ବିକଶିତ କରିବାର ଆବଶ୍ୟକତା ରହିଛି। ଡିଜିଟାଲ ଫରେନସିକ୍ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମାନବ ସମ୍ବଳକୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ଡିପ୍ ଫେକ୍ ଟେକ୍ନୋଲୋଜି ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ଡିପଫେକ୍ ଟେକ୍ନୋଲୋଜିର କିଛି ଭଲ ବ୍ୟବହାର ଥିବା ସତ୍ତ୍ୱେ ଅନେକ କ୍ଷେତ୍ରରେ ଏହାର ଅପବ୍ୟବହାର କରାଯାଉଛି। ତେଣୁ ଏହାର ଅପବ୍ୟବହାରକୁ ଏଡ଼ାଇବା ପାଇଁ ଡିପ୍ ଫେକ୍ ଟେକ୍ନୋଲୋଜିକୁ ନିୟନ୍ତ୍ରଣ କରିବା ଜରୁରୀ, ଯାହାଦ୍ୱାରା ଏହାକୁ ଭଲ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ।
ଡିପଫେକ୍ କଣ ?
ଡିପଫେକ୍ ଏକ ମିଛ ଭିଡିଓ କିମ୍ବା ମିଛ ଭିଜୁଆଲ୍ସ। ସ୍ବତନ୍ତ୍ର ସଫ୍ଟଓୟାର ବ୍ୟବହାର କରି ମିଛ ଭିଡିଓ ପ୍ରସ୍ତୁତ କରାଯାଉଛି। ଡିପ୍ ମେସିନ୍ ଲାର୍ଣ୍ଣିଂ ଟେକ୍ନୋଲୋଜି ମାଧ୍ୟମରେ ଏହା ପ୍ରସ୍ତୁତ ହୁଏ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରି ଗୋଟିଏ କ୍ଲିକରେ ସମ୍ଭବ। ଜଣେ ବ୍ୟକ୍ତିଙ୍କ ଫଟୋ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ଯୋଡି ଦିଆଯାଏ । ଡିପଫେକକୁ ଏକବିଂଶ ଶତାବ୍ଦୀର ଫଟୋସପ୍ କହିପାରିବା। ପୁରା ଅସଲି ଲାଗୁଥିଲେ ବି ଏ ଭିଡିଓ ନକଲି ହୋଇଥାଏ। ନିର୍ଦ୍ଦିଷ୍ଟ ସଫ୍ଟଓୟାରରୁ କୋଡ୍ ଡାଉନଲୋଡ କରି ଇମେଜ୍ ରିପ୍ଲେସ୍ କରାଯାଏ। ଅନେକ ସମୟରେ ଛବି ସହିତ ଅଡିଓ ବ୍ୟବହାର କରି ଡିପଫେକ୍ କରାଯାଏ। ବହୁ ସେଲିବ୍ରିଟି ଓ ପ୍ରସିଦ୍ଧ ବ୍ୟକ୍ତିଙ୍କର ଏଭଳି ଡିପଫେକ୍ ଭିଡିଓ କରାଯାଉଛି।
ଡିପଫେକ୍ ପାଇଁ କଣ ରହିଛି ଆଇନ ?
ବିଶ୍ବର ବିଭିନ୍ନ ଦେଶରେ ଏଭଳି ଆପତ୍ତିଜନକ ଭିଡିଓ ପାଇଁ ଆଇନ ରହିଛି। ଡିପ୍ ଫେକ୍ ଭିଡ଼ିଓ ସେୟାର କରିବା ନେଇ ସରକାର ପୂର୍ବରୁ ଚେତାବନୀ ଦେଇସାରିଛନ୍ତି । ଏଭଳି ଭିଡ଼ିଓ ପ୍ରସ୍ତୁତ ଏବଂ ପ୍ରସାର କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାଛଡ଼ା ଏହି ଅପରାଧ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଓ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। କିଛି ଦେଶରେ ଜେଲଦଣ୍ଡ ଓ ଜୋରିମାନା ଉଭୟ ରଖାଯାଇଛି। ଦକ୍ଷିଣ କୋରିଆରେ ଡିପଫେକ୍ ଭିଡିଓ ପାଇଁ ରହିଛି ସ୍ବତନ୍ତ୍ର ଆଇନ୍। ଦକ୍ଷିଣ କୋରିଆରେ ଏଭଳି ଭିଡିଓ ପ୍ରସ୍ତୁତକାରୀଙ୍କୁ ୫ ବର୍ଷର ଜେଲଦଣ୍ଡ ରହିଛି। ୟୁରୋପୀୟ ୟୁନିୟନ୍ ମଧ୍ୟ ଫାଇନର ବ୍ୟବସ୍ଥା କରିଛି। ଭାରତରେ ଡିପଫେକ୍ ଭିଡିଓ ପାଇଁ ସ୍ବତନ୍ତ୍ର ଆଇନ୍ ନାହିଁ। ଆଇଟି ଆଇନ ୨୦୦୦ ସେକ୍ସନ ୬୬-Eରେ କିଛି ପ୍ରାବଧାନ ରହିଛି। ନାଗରିକଙ୍କ ଗୋପନୀୟତାର ଉଲଂଘନ ନେଇ IT ଆକ୍ଟରେ ଦଣ୍ଡ ରହିଛି। ଅନ୍ୟର ଫଟୋ ପ୍ରକାଶ କିମ୍ବା ପ୍ରସାରଣ ପାଇଁ IT ଆକ୍ଟରେ ଦଣ୍ଡ ରହିଛି। ଭାରତୀୟ ଆଇନ ଅନୁସାରେ ଏଥିରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ରହିଛି। ଖାଲି ସେଲିବ୍ରିଟି ନୁହେଁ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଏକ ଡିପଫେକ ଭିଡିଓ ଖୁବ ଭାଇରାଲ ହୋଇଛି । ଯେଉଁଥିରେ ସେ ଗରବା କରୁଥିବା ଦେଖିବାକୁ ମିଳିଛି । ତୁରନ୍ତ ଏଭଳି ଭିଡିଓ ଉପରେ ବ୍ରେକ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ।
ଓଲିଉଡ଼ କଳି କୁ ନେଇ ରାଜନୀତି
ଓଲିଉଡ଼ କଳିର କେବେ ହେବ ସମାଧାନ ? ଅରିନ୍ଦମ ଓ ମନୋଜଙ୍କ ଭିତରେ ଲାଗିଥିବା କଳି କେବେ ହେବ ସମାଧାନ ? କାହିଁକି ଏହାର ସମାଧାନ ହେଉ ନାହିଁ । ଆଉ କଳିରୁ ଏବେ କୋଶଳ ଆନ୍ଦୋଳନ ବୋଲି ଚର୍ଚ୍ଚା ହେଉଛି । ଓଲିଉଡ୍ କଳି ସମାଧାନ ପାଇଁ ଓଏଫ୍ଡିସିରେ ବୈଠକ ହୋଇଥିଲା । ଆଉ ସେହି ବୈଠକ ପରେ ଓଏଫ୍ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ,’ଆଲୋଚନା ପାଇଁ ଡାକିଥିଲି; ଅରିନ୍ଦମ, ଶ୍ରୀତମ, ଟୁଟୁ ନାୟକ ଆସିଥିଲେ । ହେଲେ ମନୋଜଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇଲେନି। ମନୋଜ ମିଶ୍ରଙ୍କୁ ପଶ୍ଚିମ ଓଡ଼ିଶା ନେତାଙ୍କ ସମର୍ଥନ ବଢ଼ିବାରେ ଲାଗିଛି । ମନୋଜଙ୍କ ଉପରୁ ତୁରନ୍ତ ବ୍ୟାନ ପ୍ରତ୍ୟାହାର ଦାବି କଲେ ସାଲୁଜା । ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି । ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ସାଲୁଜା କହିଛନ୍ତି । ମହାକୋଶଳ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ମୁକେଶ ମହାଲିଙ୍ଗ । ଏହି ଇସ୍ୟୁରେ ଆମେ ପଶ୍ଚିମ ଓଡ଼ିଶାବାସୀଙ୍କ ସହ ଅଛୁ ବୋଲି ସେ କହିଛନ୍ତି । ବିବାଦକୁ ଦୁର୍ଭାଗ୍ୟଜନକ କହିଲେ ସାଂସଦ ସଙ୍ଗୀତା ସିଂହଦେଓ । ମନୋଜ ମିଶ୍ରଙ୍କ ସମର୍ଥନରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ କଳାକାରଙ୍କୁ ଯେଭଳି ଅପମାନ କରାଗଲା ତାହା ନିନ୍ଦନୀୟ । ବ୍ୟାନ୍ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି ?’
ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଛନ୍ତି । ସମାଧାନ ପାଇଁ ନୁହେଁ, ଖସି ପଳାଇବାକୁ ଦରାଣ୍ଡି ହେଉଛନ୍ତି ବୋଲି ସେ କହିଛନ୍ତି । ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ୍ ପ୍ରତ୍ୟାହର କର ବୋଲି ସେ କହିଛନ୍ତି । ପଶ୍ଚିମ ଓଡ଼ିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ବୋଲି ସେ କହିଛନ୍ତି । ନରସିଂହଙ୍କୁ କାଉଣ୍ଟର କଲେ ବିଜେଡି ନେତା କଳିକେଶ ସିଂହଦେଓ କହିଛନ୍ତି, ରାଜନୈତିକ ବୟାନବାଜି ଦେଇ ଆଉ ବିବାଦ କରନ୍ତୁନି । ବିଧାୟକ କେତେ ଥର ପଶ୍ଚିମ ଓଡ଼ିଶା ଅବହେଳା କଥା ଉଠାଇଛନ୍ତି ? ନିର୍ବାଚନ ଆସୁଥିବାରୁ ପଶ୍ଚିମ ଓଡ଼ିଶା ଭାବାବେଗକୁ ଇସ୍ୟୁ କରୁଛନ୍ତି ବୋଲି ସେ କହିଛନ୍ତି । ଆମେ ପଶ୍ଚିମ ଓଡ଼ିଶା କଳା, ସଂସ୍କୃତିକୁ ଭଲ ପାଉ । ହେଲେ ଏହାକୁ ନେଇ ଶସ୍ତା ରାଜନୀତି କରୁନାହୁଁ ବୋଲି କଳିକେଶ କହିଛନ୍ତି । ବାସନ୍ଦକୁ ତୀବ୍ର ବିରୋଧ କରିଥିଲେ ରେଙ୍ଗାଲି ବିଧାୟକ ନାଉରୀ ନାଏକ । ମନୋଜଙ୍କ ଉପରୁ ତୁରନ୍ତ ବାସନ୍ଦ ଉଠାଇବାକୁ ଦାବି । ପଶ୍ଚିମ ଓଡ଼ିଶା ପ୍ରତି ଉପକୂଳ ଅଞ୍ଚଳର ମନୋଭାବ ସ୍ପଷ୍ଟ ବାରି ହେଉଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କୁନା ତ୍ରିପାଠୀ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ । ପଶ୍ଚିମ ଓଡ଼ିଶା ପ୍ରତି ଆନ୍ତରିକତା ଅଛି, ତୁରନ୍ତ ବାସନ୍ଦ ଉଠାନ୍ତୁ । ମନୋଜ ମିଶ୍ରଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ।ମନୋଜଙ୍କ ସପକ୍ଷରେ ବାହାରିଲା କୋଶଲ ସେନା । ଅଭିନେତା ଅନୁଭବ ମହାନ୍ତିଙ୍କ ମନ୍ତବ୍ୟଙ୍କୁ ବିରୋଧ କରି ବରଗଡ ସ୍ଥିତ ଗାନ୍ଧୀଛକ ଠାରେ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛି କୋଶଲ ସେନା । ଅଭିନେତା ମନୋଜ ମିଶ୍ରଙ୍କୁ ଅନୁଭବ କ୍ଷମା ମାଗନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ସୂଚନା ଯୋଗ୍ୟ, ଓଡ଼ିଆ ଫିଲ୍ମ ରାମ୍ର ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ମନୋଜଙ୍କ ବିବାଦ ରହିଥିଲା । ଗୋଟିଏ ପକ୍ଷରେ ଅଭିଯୋଗ ହେଲା ମନୋଜ ମିଶ୍ରଙ୍କ ପ୍ରଶଂସକ କହି, ଜିତୁ ମଙ୍ଗରାଜଙ୍କ ଅଭିନୀତ ରାମକୁ ବ୍ୟାନ କରିବାକୁ ଏକ ଭିଡିଓ ବୁଲୁଥିଲା । ସମ୍ବଲପୁରରେ କୁଆଡେ ହଲରେ ରାମ୍ ଫିଲ୍ମକୁ ଚାଲିବାକୁ ଦିଆଗଲାନି । ଆଉ ପରେ କିଛି ପ୍ରଯୋଜକ ଏକାଠି ହୋଇ ମନୋଜ ମିଶ୍ରଙ୍କୁ ଏଥିପାଇଁ ଦାୟୀ କରି ତାଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ବ୍ୟାନ୍ କରିଥିଲେ । ଏହାକୁ ନେଇ ମନୋଜ ମିଶ୍ର ନିଜର ପ୍ରତିକ୍ରିୟା ରଖିଥିଲେ । ସେ ଟୁଟୁନାୟକଙ୍କୁ ଟର୍ଗେଟ୍ କରି କହିଥିଲେ, ମୁଁ ତାଙ୍କୁ ବ୍ୟାନ୍ କଲି।