କେନ୍ଦ୍ରାପଡା : ସାରାଦେଶରେ କରୋନା ସଂକ୍ରମଣକୁ ନେଇ ସରକାରଙ୍କ ପ୍ରତିଷେଧକ ବ୍ୟବସ୍ଥା ଲକ୍ଡାଉନ ଜାରି ରହିଛି । ଏହି ସମୟରେ ଲୋକମାନଙ୍କୁ ବାହାରକୁ ନବାହାରିବାକୁ କଡା ନିର୍ଦ୍ଦେଶ ରହିଛି । ଜିଲ୍ଲା ବାହାରେ ଓ ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ଟ୍ରେନ ଓ ବସ୍ ସେବା ବନ୍ଦ ପାଇଁ କର୍ମକ୍ଷେତ୍ରରେ ଫସି ରହିଥିବାର ଖବର ପ୍ରତିଦିନ ମିଳିବାରେ ଲାଗିଛି । ଏହି ପରିସ୍ଥିତିରେ କେତେକ ବିବେକହୀନ କଂପାନୀ ମାଲିକ ଓ ଠିକାଦାର କାମରେ ଲଗାଇଥିବା ଶ୍ରମିକଙ୍କୁ ଖାଇବାକୁ ନଦେବା ସହିତ ସେମାନଙ୍କୁ ତଡିଦେଉଥିବା ସୂଚନା ମିଳିଛି । ଏହିପରି ଏକ ଅଭାବନୀୟ ଦୃଶ୍ୟ ଡେରାବିଶ ବ୍ଲକ ଦାନପୁର ପଞ୍ଚାୟତରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡାର ଜନୈକ ଠିକାଦାର କେନ୍ଦୁଝରରୁ ୧୨ଜଣ ଶ୍ରମିକଙ୍କୁ ଆଣି ମାସାଧିକକାଳ ମାଟି କାମରେ ଖଟାଇବା ପରେ ଲକ୍ ଡାଉନ ସମୟରେ ସେମାନଙ୍କୁ ଦୀର୍ଘ ଦୁଇଦିନ ଧରି ଖାଇବାକୁ ନଦେଇ ତଡିଦେବାରୁ ଏହି ଶ୍ରମିକମାନେ କେନ୍ଦ୍ରାପଡାରୁ କେନ୍ଦୁଝର ଦୀର୍ଘ ୨ଶହ କିଲୋମିଟର ଫେରିବାକୁ ବାଧ୍ୟ ହୋଇଛନ୍ତି । ଚାନ୍ଦୋଳଠାରେ ସେମାନେ କଟକ-ଚାନ୍ଦବାଲି ରାସ୍ତା ଅତିକ୍ରମ କରିସାରି ପଲେଇ ଗ୍ରାମ ଦେଇ ଜାତୀୟ ରାଜପଥକୁ ନିଜର ୧୧ ଜଣ ଶିଶୁଙ୍କ ସହିତ ଚାଲି ଚାଲି ଯାଉଥିବାବେଳେ କିଛି ଯୁବକଙ୍କ ଠାରୁ ଖବର ପାଇ ଡେରାବିଶ ବ୍ଲକ ବିଡିଓଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ପଲେଇ ୟୁପି ସ୍କୁଲରେ ସାମୟିକ ଥଇଥାନରେ ରଖାଯାଇଛି ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କେଦେଇପୁସି ନିକଟ ଖୁଣ୍ଟାପଡା ଓ ସିଲଦା ଗ୍ରାମର ୧୨ଜଣ ଶ୍ରମିକଙ୍କୁ ଆଣି କେନ୍ଦ୍ରାପଡାର ଜନୈକ ଠିକାଦାର ଜିଲ୍ଲାର ଦାନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗହଗା କେନାଲ ବନ୍ଧର ମାଟି କାମରେ ଲଗାଇଥିଲେ । ସେମାନେ ମାସାଧିକ କାଳ ସେଠାରେ ରହି କାମ କରିବା ପରେ କରୋନାକୁ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ନିର୍ମାଣ କାମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଆସିଥିଲା । ଏଥିସହିତ ପ୍ରଥମେ ଜନତା କର୍ଫ୍ୟୁ ଓ ପରେ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରାଯାଇଥିଲା । କାମ ବନ୍ଦ ହୋଇଯିବା ପରେ ଠିକାଦାର ମଜୁରିଦେବା ଦୂରେ ଥାଉ ବରଂ ୧୧ଜଣ ଶିଶୁଙ୍କୁ ନେଇ ରହୁଥିବା ଏହି ଶ୍ରମିକମାନଙ୍କ ଭାତିଆକୁ ବନ୍ଦ କରିଦେଇଥିିଲା । ତେବେ ବସ୍ସେବା ବନ୍ଦ ଓ ବାହାରେ ପୁଲିସ ମୁତୟନ ପାଇଁ ଏହି ଶ୍ରମିକମାନେ ଦୁଇଦିନଧରି ଭୋକ ଉପାସରେ ପଡି ରହିବା ପରେ ଆଜି ନିଜ ଘର କେନ୍ଦୁଝରକୁ ଫେରିବାକୁ ବାଧ୍ୟ ହୋଇଥିଲେ । ସେମାନେ କଟକ- ଚାନ୍ଦବାଲି ରୋଡରେ ଆସି ପଲେଇ ଗ୍ରାମପଞ୍ଚାୟତ ଦେଇ ଜାତୀୟ ରାଜପଥକୁ ଯାଉଥିବାବେଳେ ପଲେଇ ୟୁପିସ୍କୁଲ ନିକଟରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକଙ୍କ ସାଙ୍ଗରେ ସେମାନଙ୍କର ଭେଟ ହୋଇଥିଲା । ଶିଶୁମାନଙ୍କ କାନ୍ଦ ବୋବାଳି ଓ ଗୋଡରେ ହୋଇଥିବା ଫୋଟକାକୁ ଦେଖି ସେମାନଙ୍କୁ ଏ ସଂପର୍କରେ ପଚାରି ବୁଝିଥିଲେ । ସେମାନଙ୍କର ଏହି ଦୁର୍ଦ୍ଦଶାକୁ ନେଇ ସ୍ଥାନୀୟ ଯୁବକମାନେ ଡେରାବିିଶ ବିଡିଓ ଭବତାରଣ ଭୋଳସାଗରଙ୍କୁ ଫୋନରେ ଜଣାଇଥିଲେ । ବିଡିଓ ଶ୍ରୀ ଭୋଳସାଗର ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ଠାରୁ ସମସ୍ତ ଘଟଣା ବୁଝିସାରିବା ପରେ ଠିକାଦାରକୁ ଖବର ଦେଇଥିଲେ । ତେବେ ଏମାନଙ୍କୁ ତଡିଦେଇଥିବା ଠିକାଦାର ନିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜାଣି ଶ୍ରମିକମାନଙ୍କ ଖାଦ୍ୟପେୟର ସମସ୍ତ ଖର୍ଚ୍ଚ ବହନ କରିବାକୁ ବିଡିଓଙ୍କୁ ପ୍ରତିଶୃତି ଦେଇଥିଲେ । ବିଡିଓଙ୍କ ନିର୍ଦ୍ଦେଶରେ ଏହି ଶ୍ରମିକମାନଙ୍କୁ ପଲେଇ ୟୁପିସ୍କୁଲରେ ରଖାଯାଇଥିବା ଜଣାପଡିଛି ।