27.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶକେବଳ ପାକିସ୍ତାନ ସହ ନୁହେଁ, ଆଉ ୨ ଦେଶ ବିରୋଧରେ ବି ଲଢ଼ିଥିଲା ଭାରତ

କେବଳ ପାକିସ୍ତାନ ସହ ନୁହେଁ, ଆଉ ୨ ଦେଶ ବିରୋଧରେ ବି ଲଢ଼ିଥିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର୍‌. ସିଂହ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି । ଏଫଆଇସିସିଇ (ଫେଡରେଶନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ୍ ଏବଂ ଇଣ୍ଡଷ୍ଟ୍ରୀ)ର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଭାରତୀୟ ସେନାର ଅପରେସନ୍ ସିନ୍ଦୂର’ ସମ୍ପର୍କରେ ଶତ୍ରୁ ଦେଶଙ୍କ ପକ୍ଷରୁ ଯେଉଁ ଗୁପ୍ତ ଯୋଜନା ସବୁ କରାଯାଇଥିଲା ସେସମ୍ପର୍କରେ ସୂଚନା ଦେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଶ୍ରୀ ସିଂହ କହିଛନ୍ତି, ଅପରେସନ୍ ସିନ୍ଦୂର’ ସମୟରେ ଭାରତ କେବଳ ପାକିସ୍ତାନ ସହ ଯୁଦ୍ଧ ଲଢ଼ିନଥିଲା ବରଂ ଅନ୍ୟ ୨ ଦେଶଙ୍କ ଷଡଯନ୍ତ୍ର ତଥା ରଣନୀତିକୁ ମଧ୍ୟ ସଫଳତାର ସହ ମୁକାବିଲା କରିଥିଲା । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଆକ୍ରମଣ ପ୍ରତିଆକ୍ରମଣ ସମୟରେ ଚୀନ୍ ପାକିସ୍ତାନକୁ ଭାରତର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସ୍ଥିତାବସ୍ଥା ତଥା ଗତିବିଧି ସମ୍ପର୍କରେ ରିଅଲ ଟାଇମ୍ ଇନ୍‌ପୁଟ୍ ବା ଲାଇଭ ଅପଡେଟ୍ ଦେଉଥିଲା ଏବଂ ତୁର୍କୀ ପାକିସ୍ତାନକୁ ଡ୍ରୋନ୍ ଯୋଗାଇଦେଉଥିଲା ।

ଏସମ୍ପର୍କରେ ସେତେବେଳେ ଜଣାପଡିଥିଲା ଯେତେବେଳେ ପାକିସ୍ତାନ ଏବଂ ଭାରତ ପକ୍ଷରୁ ସାମରିକ (ଡିଜିଏମ୍‌ଓ)ସ୍ତରୀୟ ଆଲୋଚନା ଆରମ୍ଭ ହୋଇଥିଲା । ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲା । ଏହି ସମୟରେ ପାକିସ୍ତାନର ଡିଜିଏମ୍‌ଓମାନେ ଭୁଲ୍‌ବଶତଃ ହେଉ ବରଂ ପ୍ରକାଶ କରିଦେଇଥିଲେ ଯେ, ସେମାନେ ଜାଣିଛନ୍ତି ଯେ, ଭାରତ ପାଖରେ ଗୁରୁତ୍ୱପୂର୍ଣ୍ଣ ଭେକ୍ଟର ପ୍ରସ୍ତୁତ ରହିଛି ଏବଂ ସେସବୁ କାର୍ଯ୍ୟକ୍ଷମ କରାଯିବା ଦିଗରେ ପ୍ରସ୍ତୁତି ଚାଲିଛି । ତେବେ ସେସବୁକୁ ପଛକୁ ନେବାକୁ ପାକିସ୍ତାନର ଡିଜିଏମ୍‌ଓମାନେ ଅନୁରୋଧ କରିଥିଲେ । ପାକ୍ ଡିଜିଏମ୍‌ଓଙ୍କ ଏପ୍ରକାର କଥାବାର୍ତ୍ତାରେ ଭାରତ ଡିଜିଏମ୍‌ଓମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କାରଣ ଭାରତ ନିଜ ଭେକ୍ଟର ଅଭିଯାନକୁ ସମ୍ପୂର୍ଣ୍ଣ ରୂପେ ଗୋପନୀୟ ରଖିଥିଲା । ପାକିସ୍ତାନ ପାଖରେ ଏସବୁ ସୂଚନା ପାଇବା ପାଇଁ କୌଣସି ସାଧନ ମଧ୍ୟ ନାହିଁ । ଏହାର ଅର୍ଥ ଚୀନ୍ ହିଁ ଏସବୁ ଇନ୍‌ପୁଟ୍ ପାକିସ୍ତାନକୁ ଦେଇଥିଲା ।

ଲେଫ୍ଟନାଣ୍ଟ ଜେନେରାଲ୍ ଶ୍ରୀ ସିଂହଙ୍କ କହିବାନୁସାରେ ସୀମାରେଖା ଗୋଟିଏ, କିନ୍ତୁ ଭାରତ ପାଇଁ ୩ ଶତ୍ରୁ ରହିଛନ୍ତି । ଏହି ୩ ଶତ୍ରୁଙ୍କ ମଧ୍ୟରେ ପାକିସ୍ତାନ ଆଗରେ ରହିଥିବା ବେଳେ ଚୀନ୍ ଏବଂ ତୁର୍କୀ ପଛରେ ରହି ଭାରତ ବିରୋଧୀ ସମର୍ଥନ ଯୋଗାଉଛନ୍ତି । ପାକିସ୍ତାନ ପାଖରେ ଥିବା ୧୦୦% ପ୍ରତିରକ୍ଷା ସାମଗ୍ରୀ ତଥା ଉପକରଣଗୁଡ଼ିକ ମଧ୍ୟରୁ ୮୧% ଉପକରଣ କେବଳ ଚୀନ୍ ନିର୍ମିତ । ସବୁଠୁ ବଡ଼ କଥା ହେଉଛି, ଅପରେସନ୍ ସିନ୍ଦୂର ସମୟରେ ମଧ୍ୟ ଚୀନ୍ ପାକିସ୍ତାନ ଜରିଆରେ ଭାରତ ବିରୋଧରେ କେବଳ ନିଜ ସାମରିକ ଉପକରଣଗୁଡ଼ିକୁ ପରୀକ୍ଷା ହିଁ କରିଛି । ଏପରି କରି ଚୀନ୍‌, ପାକିସ୍ତାନ ସହ ବେଇମାନି କରିଛି ବୋଲି କୁହାଯାଇପାରିବ । ପାକିସ୍ତାନକୁ ବା ପାକିସ୍ତାନର ଭୌଗୋଳିକ ସ୍ଥିତାବତାକୁ ଚୀନ୍ କେବଳ ନିଜର ଏକ ପରୀକ୍ଷଣ ସ୍ଥଳ (ଲାଇଭ୍ ଲ୍ୟାବ୍‌) ବୋଲି ହିଁ ବିବେଚନା କରୁଛି । କିନ୍ତୁ ପାକିସ୍ତାନ ଚୀନ୍‌ର ଏହି ଚାଲାକିକୁ ବୁଝିପାରୁନାହିଁ । ପାକିସ୍ତାନକୁ ସମ୍ପୂର୍ଣ୍ଣ ରୂପେ ଚୀନ୍ ନିଜ କବଳିତ କରି ରଖିଛି । ଶ୍ରୀ ସିଂହ କହିଛନ୍ତି, ଚୀନ୍ ପରେ ପାକିସ୍ତାନକୁ ସମର୍ଥନ କରିବାରେ ତୁର୍କୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତେବେ ଆମକୁ ଏଦିଗ ପ୍ରତି ଶୀଘ୍ର କାମ କରିବାକୁ ପଡିବ । ଆମକୁ ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ହେବ । ଆମକୁ ଭବିଷ୍ୟତ ପାଇଁ ଏବେଠୁ ପ୍ରସ୍ତୁତି କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking