30.1 C
Bhubaneswar
Wednesday, April 24, 2024
Homeଖେଳଅନ୍ତର୍ଜାତୀୟ ହକିରୁ ଲିଲିମା ମିଞ୍ଜ୍‌ଙ୍କ ଅବସର

ଅନ୍ତର୍ଜାତୀୟ ହକିରୁ ଲିଲିମା ମିଞ୍ଜ୍‌ଙ୍କ ଅବସର

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସରେ ଦୁଇଥରର ପଦକ ବିଜେତା ଭାରତୀୟ ହକି ଟିମ୍‌ର ମିଡ୍‌ଫିଲ୍ଡର ଲିଲିମା ମିଞ୍ଜ୍ ଗୁରୁବାର ୨୭ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିକୁ ଅଲ୍‌ବିଦା କରିଛନ୍ତି । ଓଡ଼ିଶାର ଏହି ଅନୁଭବୀ ମିଡ୍‌ଫିଲ୍ଡର ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁର୍ଦ୍ଦେଶୀୟ ମହିଳା ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ପାଇଁ ପଦାର୍ପଣ କରିଥିଲେ । ନିଜ କ୍ୟାରିୟର୍ ଅବସରରେ ଟିମ୍ ସହ ସେ ବହୁ ସ୍ମଣରୀୟ ମୁହୂର୍ତ୍ତର ଭାଗୀଦାର ହୋଇଥିଲେ । ଭାରତ ପକ୍ଷରୁ ଖେଳିଥିବା ୧୫୬ ମ୍ୟାଚ୍‌ରେ ଲିଲିମା ୧୨ଟି ଗୋଲ୍ କରିଛନ୍ତି । ସେ ୨୦୧୪ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ୍ ପଦକ, ୨୦୧୮ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଓ ୨୦୧୯ ଏଫ୍‌ଆଇଏଚ୍ ସିରିଜ୍‌ରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଟିମ୍‌ର ସଦସ୍ୟା ଥିଲେ ।

ସେହିପରି ୨୦୧୬ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଐତିହାସିକ ଭାରତୀୟ ଟିମ୍‌ର ସଦସ୍ୟା ମଧ୍ୟ ଥିଲେ । ଭାରତୀୟ ମହିଳା ହକି ଟିମ୍ ଦୀର୍ଘ ୩୬ ବର୍ଷ ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଥିଲା । ୨୦୧୯ରେ ଭୁବନେଶ୍ୱରରେ ଆୟୋଜିତ ଏଫ୍‌ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର୍ ମାଧ୍ୟମରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଟିମ୍‌ର ମଧ୍ୟ ଲିଲିମା ସଦସ୍ୟା ଥିଲେ । ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣ୍ଣା ବ୍ଲକ୍ ବିହାବନ୍ଧ-ନାନାଟୋଲି ଗ୍ରାମରେ ୧୯୯୪  ଏପ୍ରିଲ୍ ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ଲିଲିମାଙ୍କ ପ୍ରାରମ୍ଭିକ ହକି କ୍ୟାରିୟର୍ ରାଉରକେଲାର ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲ୍‌ରୁ ଆରମ୍ଭ ହୋଇଥିଲା ।

ପରେ ସେ ଜାତୀୟ ଟିମ୍‌ର ଜଣେ ନିୟମିତ ସଦସ୍ୟା ହୋଇଥିଲେ । ଗତ କିଛି ବର୍ଷ ଧରି ସେ ଭାରତୀୟ ଟିମ୍ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ହକି ଇଣ୍ଡିଆ ଲିଲିମାଙ୍କୁ ତାଙ୍କ ଯୋଗଦାନ ପାଇଁ ବଧେଇ ଜଣାଇଛି । ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମ୍‌ବମ୍ କହିଛନ୍ତି, ‘ଲିଲିମା ନିଜ ଆକର୍ଷଣୀୟ କ୍ୟାରିୟର୍ ଅବସରରେ ଭାରତୀୟ ହକି ପାଇଁ ବଡ଼ ଯୋଗଦାନ କରିଛନ୍ତି । ଆମେ ତାଙ୍କର ଉଦ୍ୟମ ପାଇଁ କୃତଜ୍ଞତା ଜଣାଇ ପାରିବୁ ନାହିଁ । ସ ଗତ କିଛି ବର୍ଷରେ ଭାରତୀୟ ମହିଳା ଟିମ୍‌ର ବିକାଶରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ହକି ଇଣ୍ଡିଆ ତାଙ୍କର ଆକର୍ଷଣୀୟ କ୍ୟାରିୟର୍ ପାଇଁ ବଧେଇ ଜଣାଉଛି । ଜୀବନର ପରବର୍ତ୍ତୀ ଅଧ୍ୟାୟ ପାଇଁ ତାଙ୍କୁ ଶୁଭକାମନା ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking