29.1 C
Bhubaneswar
Wednesday, August 12, 2026
Homeଓଡିଶାଆଇନ୍‌ଶୃଙ୍ଖଳା ପରିସ୍ଥିତି ଯାହା, ପୁଲିସ ଡିଜି ଚୟନ ପ୍ରକ୍ରିୟାରେ ସରକାରଙ୍କ ଆାଚରଣ ଅକ୍ଷମଣୀୟ: ଭକ୍ତ

ଆଇନ୍‌ଶୃଙ୍ଖଳା ପରିସ୍ଥିତି ଯାହା, ପୁଲିସ ଡିଜି ଚୟନ ପ୍ରକ୍ରିୟାରେ ସରକାରଙ୍କ ଆାଚରଣ ଅକ୍ଷମଣୀୟ: ଭକ୍ତ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିଯିବା ପରେ ବି ଓଡ଼ିଶାର ବିଜେପି ସରକାରଙ୍କ ଚେତା ପଶୁନାହିଁ। ରାଜ୍ୟର ସ୍ବାର୍ଥ ନୁହେଁ, ସଂପ୍ରତି ଓଡ଼ିଶା ପୁଲିସ ଡିଜି ଚୟନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନିଜର ଓ ଦଳର ପସନ୍ଦଅପସନ୍ଦକୁ ପ୍ରାଥମିକତା ଦେବାରୁ, ଏହାକୁ ନେଇ ରାଜ୍ୟରେ କେବଳ ଅଯଥାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇନାହିଁ, ଏହା ମଧ୍ୟ ଏକ ପ୍ରମୁଖ ଆଇନଗତ ଏବଂ ପ୍ରଶାସନିକ ବିବାଦ ଘେରକୁ ଚାଲିଆସିଛି। ଓଡ଼ିଶା ପୁଲିସ ଡିଜି ଚୟନ ପ୍ରକ୍ରିୟା ପାଇଁ ସରକାର ଓ ୟୁପିଏସ୍‌ସିର ରହିଥିବା ନିୟମାବଳି, ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଦିକୁ ଉଲ୍ଲଂଘନ ନ କରି ସବୁଦୃଷ୍ଟିରୁ ଯୋଗ୍ୟତମ ବ୍ୟକ୍ତିଙ୍କୁ ହିଁ ଏହି ପଦବିରେ ସରକାର ଅବସ୍ଥାପିତ କରନ୍ତୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି କରିଛନ୍ତି। ସରକାରଙ୍କ ପ୍ରତି ଆନୁଗତ୍ୟ ବଦଳରେ ସମଗ୍ର ରାଜ୍ୟବାସୀଙ୍କ ପ୍ରତି ଆନୁଗତ୍ୟକୁ ସରକାର ଏହି ପଦବିର ମାପକାଠି ବିବେଚନା କରି ତୁରନ୍ତୁ ନିଜ ମନ୍ଦ ଅଭିପ୍ରାୟରୁ ହଟିଯିବାକୁ ଶ୍ରୀ ଦାସ ଆହ୍ବାନ କରିଛନ୍ତି।

ଗଣମାଧ୍ୟମକୁ ଦେଇଥିବା ଏକ ପ୍ରେସ୍ ବାର୍ତ୍ତାରେ ଶ୍ରୀ ଦାସ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ୟୁପିଏସ୍‌ସି ପ୍ୟାନେଲ୍ ତାଲିକାରେ ହେରଫେର ହୋଇଛି କାହିଁକି? ସୁପ୍ରିମକୋର୍ଟଙ୍କ ଐତିହାସିକ ‘ପ୍ରକାଶ ସିଂ ଗାଇଡ୍‌ଲାଇନ୍'(ଦିଶାନିର୍ଦ୍ଦେଶ)କୁ ଓଡ଼ିଶା ସରକାର ସିଧାସଳଖ ଏଡ଼ାଇବାକୁ ଚେଷ୍ଟା କରିନାହାନ୍ତି କି? ସୁପ୍ରିମକୋର୍ଟଙ୍କ ଏହି ରାୟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଏ ଯେ ରାଜ୍ୟର ଡିଜିପିଙ୍କୁ ଚାକିରିର ଅବଧି ଏବଂ ଯୋଗ୍ୟତା ଆଧାରରେ ପ୍ୟାନେଲଭୁକ୍ତ ତିନି ଜଣ ସବୁଠାରୁ ବରିଷ୍ଠ ଅଫିସରଙ୍କ ମଧ୍ୟରୁ ସ୍ୱଚ୍ଛତାର ସହ ଚୟନ କରାଯିବ। ପୂର୍ବରୁ କେବଳ “ଡିଜିପି ସ୍ତର”ରେ ଥିବା ଅଫିସରମାନଙ୍କ ନାମ ଉପରେ ହିଁ ୟୁପିଏସ୍‌ସି ବିଚାର କରିବେ ବୋଲି ସରକାରଙ୍କୁ ଜଣା ନ ଥିଲା କି? କେବଳ ୧୯୯୦ ଓ ୧୯୯୩-ବ୍ୟାଚ୍‌ର ଦୁଇ ବରିଷ୍ଠ ଯୋଗ୍ୟ ଦାବିଦାରମାନଙ୍କୁ ପଛରେ ପକାଇବା ଉଦ୍ଦେଶ୍ୟରେ ହିଁ ରାଜ୍ୟ ସରକାର ହଠାତ୍ ୧୯୯୪-ବ୍ୟାଚ୍‌ର ଦୁଇ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଅଫିସରଙ୍କୁ ସମ୍ପୂର୍ଣ୍ଣ ଡିଜିପି ପାହ୍ୟାକୁ ପଦୋନ୍ନତି ଦେବା ନିନ୍ଦନୀୟ। ପସନ୍ଦର ଜୁନିୟର ଅଫିସରଙ୍କୁ ଏକ ନୂଆ ସର୍ଟଲିଷ୍ଟରେ ସାମିଲ କରିବା ପାଇଁ ଏହି ରଣନୀତିକ ଚାଲ୍ ରାଜ୍ୟବାସୀଙ୍କ ସ୍ବାର୍ଥର ପରିପନ୍ଥୀ ବୋଲି ଶ୍ରୀ ଦାସ କହିଛନ୍ତି।

ଶ୍ରୀ ଦାସ ଆହୁରି କହିଛନ୍ତି, ‘‘ଏବେ ଏହାକୁ ଏକ ଜନସ୍ୱାର୍ଥ ମାମଲା (PIL) ମାଧ୍ୟମରେ ଭାରତର ସୁପ୍ରିମକୋର୍ଟରେ ସିଧାସଳଖ ଚ୍ୟାଲେଞ୍ଜ କଲେଣି ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ। ଏଣେ ଚାରି ଜଣିଆ ନୂତନ ତାଲିକାର ସମୀକ୍ଷା ପାଇଁ ଗୁରୁବାର ୟୁପିଏସ୍‌ସି ପ୍ୟାନେଲ କମିଟିର ବୈଠକ ବସୁଛି। ତେଣେ ବର୍ତ୍ତମାନର DGP ୱାଇ.ବି. ଖୁରାନିଆ ଆନୁଷ୍ଠାନିକ ଭାବେ ୧୬ ଅଗଷ୍ଟ ୨୦୨୬ ରେ କାର୍ଯ୍ୟକାଳ ଶେଷ କରି ଅବସର ନେବାକୁ ଯାଉଛନ୍ତି। ଏପଟେ କୋର୍ଟ ଏପର୍ଯ୍ୟନ୍ତ କୌଣସି ସ୍ଥଗିତାଦେଶ (Stay Order) ଜାରି କରିନାହାନ୍ତି ଏବଂ ଏହି ମାମଲାକୁ ୧୮ ଅଗଷ୍ଟ ୨୦୨୬ ରେ ପୁଣି ଉପସ୍ଥାପନ କରାଯିବାର ସମ୍ଭାବନା ଅଛି। ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣମନା ପଦକ୍ଷେପ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଯଦି ୧୬ ଅଗଷ୍ଟ ସୁଦ୍ଧା ୟୁପିଏସ୍‌ସି ଏବଂ ସୁପ୍ରିମକୋର୍ଟ କୌଣସି ସର୍ବସମ୍ମତ ନିଷ୍ପତ୍ତିରେ ନ ପହଞ୍ଚନ୍ତି, ତେବେ ଓଡ଼ିଶା ସରକାର ଜଣେ ଅସ୍ଥାୟୀ ଡିଜିପି ନିଯୁକ୍ତ କରିବା ପରି ଅବାଞ୍ଚିତ ମାହୋଲ ରାଜ୍ୟବାସୀଙ୍କ ଉପରେ ଲଦିଦେବାକୁ ବାଧ୍ୟ ହୋଇପାରନ୍ତି। ଏହା ପରିସ୍ଥିତିକୁ ଆହୁରି ଜଟିଳ କରିଦେବ, କାରଣ ସୁପ୍ରିମକୋର୍ଟ ସାଧାରଣତଃ ଅନ୍ତରୀଣ ପୋଲିସ ମୁଖ୍ୟ ନିଯୁକ୍ତିକୁ ପସନ୍ଦ କରନ୍ତି ନାହିଁ। ରାଜ୍ୟରେ ସ୍ବାଭାବିକ ଆଇନଶୃଙ୍ଖଳା ପରିସ୍ଥିତି ଫେରାଇଆଣିବା ପାଇଁ, ରାଜ୍ୟବାସୀଙ୍କ ଆବେଗକୁ ବୁଝି, ନିୟମାନୁସାରେ ଯୋଗ୍ୟତମ ବ୍ୟକ୍ତିଙ୍କୁ ନ କରି, ଦଳର ସ୍ବାର୍ଥ ପାଇଁ ଯିଏ ଉପଯୋଗୀ ହେବେ, ତାଙ୍କୁ ରାଜ୍ୟର ପୁଲିସ ମୁଖ୍ୟ କରିବାରେ ଶକ୍ତି ଖଟାଇ ପ୍ରକାରାନ୍ତରେ ସରକାର ପୁଲିସର ମନୋବଳ ହିଁ ଭାଙ୍ଗୁଛନ୍ତି। ଏହି ପ୍ରସଙ୍ଗରେ ଅନ୍ତିମ ନିର୍ଣ୍ଣୟ ଭୁଲ୍‌ ହେଲେ ରାଜ୍ୟବାସୀ କେବେ ସରକାରଙ୍କୁ ମାଫ୍ କରିବେନି ବୋଲି ସେ ଚେତାବନୀ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking