ସୁନ୍ଦରଗଡ଼: ଘୋଘର ନିକଟ ପର୍ଯ୍ୟଟନସ୍ଥଳୀ ଇବ୍ ନଦୀ ଉପତ୍ୟାକା କନାକୁଣ୍ଡରେ ବୁଡ଼ି ନିଖୋଜ ମହିଳାଙ୍କ ମୃତଦେହ ୪୩ ଘଣ୍ଟା ପରେ ସାକୋବାହାଲ ଘାଟରୁ ଉଦ୍ଧାର ହୋଇଛି। ଦୁଇ ଦିନ ଧରି ଝାରସୁଗୁଡ଼ାର ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ଧାର ଅଭିଯାନ ଚଳାଇଥିଲେ ମଧ୍ଯ ସଫଳତା ପାଇ ନଥିଲେ। ଆଜି ମତ୍ସ୍ୟଜୀବୀଙ୍କ ନଜରରେ ମୃତଦେହ ପଡ଼ିଥିଲା। ନଦୀକୂଳର ଏକ ବୁଦାମୂଳେ ଶବଟି ଲାଖି ରହିଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଯାଇ ଶବକୁ ପାଣିରୁ ଉଠାଇ ଆଣିଛନ୍ତି। ଉଲ୍ଲେଖଯୋଗ୍ଯ, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖ ନୂଆପଡ଼ାର ପ୍ରଜ୍ଞାଶ୍ରୀ ପଣ୍ଡା ନିଜ ଭାଇ ରାଜ ଓ ସାମ୍ବାଦିକ ଭଉଣୀ ଇତିଶ୍ରୀ ପୁରୋହିତ ଓ ତାଙ୍କ ସ୍ବାମୀଙ୍କ ସହ ଗୁରୁବାର ଅପରାହ୍ଣ ୨ଟାରେ ଏକ କାର୍ ଯୋଗେ କନାକୁଣ୍ଡ ବୁଲିବାକୁ ଯାଇଥିଲେ। ଅସାବଧାନତା କାରଣରୁ ଗୋଡ ଖସିବାରୁ ସେ ନଦୀ ରେ ଭାସିଯାଇଥିବା କୁହାଯାଉଥିଲା ଆଉ ତାଙ୍କ ପତ୍ତା ମିଳିପାରିନଥିଲା ଶେଷକୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଥିଲେ। ଜଣେ ସମାଜସେବୀ ଓ ସଂଗଠିକା ଭାବେ ଅତି ପରିଚିତା ପ୍ରଜ୍ଞାଶ୍ରୀଙ୍କ ମୃତଦେହ ଉଦ୍ଧାର ଖବର ମିଳିବା ପରେ ସୁନ୍ଦରଗଡ଼ରେ ଶୋକର ଛାୟା ଖେଳିଯାଇଛି।










