29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଜୋଶୀମଠରେ ଜମି ଧସିବା ଘଟଣା: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଧାମୀ, ସୁପ୍ରିମ୍‌କୋର୍ଟରେ ଜନହିତ ମାମଲା

ଜୋଶୀମଠରେ ଜମି ଧସିବା ଘଟଣା: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଧାମୀ, ସୁପ୍ରିମ୍‌କୋର୍ଟରେ ଜନହିତ ମାମଲା

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଜୋଶୀମଠ ସହରରେ ହେଉଥିବା ଭୂସ୍ଖଳନ ବିକାଟାଳ ରୂପ ନେବାରେ ଲାଗିଛି । ଜମି ଧସିବା ଫଳରେ ଘରର କାନ୍ଥ ଫାଟିବା ସହିତ ଘର ତଳୁ ପାଣି ଉଛୁଳୁଛି । ମା’ ଭଗବତୀଙ୍କ ମନ୍ଦିରରେ ଭୂସ୍ଖଳନ ହେବା ପରେ ଏବେ ଶଙ୍କରାଚାର୍ଯ୍ୟ ମାଧବ ଆଶ୍ରମ ମନ୍ଦିରରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଲକ୍ଷ୍ମୀନାରାୟଣ ମନ୍ଦିର ଆଖାପାଖ ଘରଗୁଡ଼ିକରେ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି । ଆଖପାଖ ଜାତୀୟ ରାଜପଥ ଏବଂ ସୀମାବର୍ତ୍ତୀ ସଡ଼କ ସହିତ ଘର, ବିଲବାଡ ମଧ୍ୟ ଫାଟିଯାଇଛି । ଫାଟ ସୃଷ୍ଟି ହୋଇଥିବା ଏବଂ ବିପଜ୍ଜନକ ଘରେ ରହୁଥିବା ସହରର ପ୍ରାୟ ୬୦୦ ପରିବାରଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମୀ ନିର୍ଦ୍ଦେଶ ଦେବାପରେ ଶନିବାର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ପ୍ରଭାବିତ ଲୋକଙ୍କୁ ଭେଟିବା ସହିତ ସେମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଗୁରୁବାର ସହରର ସ୍ଥିତି ନିରୀକ୍ଷଣ ପାଇଁ ଯାଇଥିବା ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କୁ ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି । ଏହା ସହିତ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ବାହାର କରିବା ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ ପ୍ରାଚୀନ ସହର ଜୋଶୀମଠ ଏବଂ ଏହାର ଆଖପାଖ ଅଞ୍ଚଳରେ ଜମି ଧସିବା ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି । ଏ ସମ୍ବନ୍ଧରେ ଜ୍ୟୋତିଷପୀଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜ ଶନିବାର ସୁପ୍ରିମ୍‌କୋର୍ଟରେ ଏକ ଜନହିତ ପିଟିସନ୍ ଦାଖଲ କରିଛନ୍ତି । ଆଡ୍‌ଭୋକେଟ୍ ପରମେଶ୍ୱର ନାଥ ମିଶ୍ର ପିଟିସନ୍‌ରେ କହିଛନ୍ତି, ଅଢ଼େଇ ହଜାର ବର୍ଷରୁ ଊର୍ଦ୍ଧ୍ୱ ପ୍ରାଚୀନ ମଠ ମଧ୍ୟ ଭୂସ୍ଖଳନ ପରିସରକୁ ଆସିଯାଇଛି । ପୂରା ଅଞ୍ଚଳ ଏହାକୁ ନେଇ ଆତଙ୍କିତ । ତେଣୁ ସୁପ୍ରିମକୋର୍ଟ ଏ ନେଇ ତୁରନ୍ତ ଉପାୟ କ୍ରିୟାନ୍ୱିତ କରିବାକୁ ଆଦେଶ ଜାରି କରନ୍ତୁ । ଏହି ଅଞ୍ଚଳର ଜନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭୂସ୍ଖଳନ, ଜମି ଧସିବା, ଫାଟିବା ପରି ଘଟଣାରୁ ବର୍ତ୍ତିବା ନିମନ୍ତେ ଏହାକୁ ଜାତୀୟ ବିପର୍ଯ୍ୟୟ ଶ୍ରେଣୀରେ ଘୋଷଣା କରିବାକୁ ପିଟିସନ୍‌ରେ ଦାବି କରାଯାଇଛି । ସେହିପରି ଏନ୍‌ଟିପିସି ଏବଂ ସୀମା ସଡ଼କ ସଂଗଠନ (ବିଆର୍‌ଓ)କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଆଦେଶ ଦିଆଯାଉ ବୋଲି କୋର୍ଟଙ୍କୁ ଅନୁରୋଧ କରାଯାଇଛି । ପିଟିସନ୍‌ରେ କେନ୍ଦ୍ର ସରକାର, ଏନ୍‌ଡିଏମ୍‌ଏ, ଉତ୍ତରାଖଣ୍ଡ ସରକାର, ଏନ୍‌ଟିପିସି, ବିଆର୍‌ଓ ଏବଂ ଚମୋଲି ଜିଲ୍ଲାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ସେହିପରି ପ୍ରଭାବିତ ଲୋକଙ୍କ ପୁନର୍ବାସ ସହିତ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମଧ୍ୟ ଆଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି ।
ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ମଠର କାନ୍ଥ ଏବଂ ଚଟାଣରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ବିକାଶ ଯୋଜନାର ବାଇ ପ୍ରଡକ୍ଟ କାରଣରୁ ଏହି ଐତିହାସିକ-ସାଂସ୍କୃତିକ ଏବଂ ପ୍ରାଚୀନ ଐତିହ୍ୟ ଅସ୍ତିତ୍ୱ ସଙ୍କଟରେ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking