ନୂଆଦିଲ୍ଲୀ: ସମ୍ପ୍ରତି କ୍ୟାରିବିୟାନ୍ରେ ଆଗାମୀ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଅଭ୍ୟାସ ଜାରି ରଖିଛି । ଗୁରୁବାର ଦଳର ଖେଳାଳିମାନଙ୍କ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ବିରାଟ କୋହଲି ଫେଲ୍ ମାରିଛନ୍ତି । କିନ୍ତୁ ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍ ଚମତ୍କାର ପ୍ରଦର୍ଶନ ପୂର୍ବକ ଆଗାମୀ ଟେଷ୍ଟ୍ ସିରିଜ୍ରେ ଅନ୍ତର୍ଜାତୀୟ ଡେବ୍ୟୁ ସମ୍ଭାବନାକୁ ଅଧିକ ଉଜ୍ଜ୍ୱଳ କରିଛନ୍ତି । ଏହି ଦଳରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ସ୍ଥାନୀୟ କ୍ଲବ୍ କ୍ରିକେଟର୍ମାନେ ମଧ୍ୟ ସାମିଲ୍ ଥିଲେ । ୱେଷ୍ଟ୍ଇଣ୍ଡିଜ୍ ମାଟିରେ ଘରୋଇ ବୋଲରଙ୍କ ବିପକ୍ଷରେ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ସଂଘର୍ଷ କରିଥିବା ଦେଖାଯାଇଆସିଥିବା ବେଳେ ଗୁରୁବାର ମ୍ୟାଚ୍ରେ କୋହଲି ପୁଣିଥରେ ତାଙ୍କର ଦୁର୍ବଳତା କାରଣରୁ ଶସ୍ତାରେ ଆଉଟ୍ ହୋଇଛନ୍ତି । ଅଫଷ୍ଟମ୍ପ୍ ବାହାରର ବଲ୍ କୋହଲିଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ଗୁରୁବାର ମ୍ୟାଚ୍ରେ ଭାରତର ବାମହାତୀ ପେସର୍ ଜୟଦେବ ଉନାଦକତ୍ ଏହାର ଫାଇଦା ନେଇଥିଲେ । ଦୁର୍ବଳ ଫୁଟ୍ୱାର୍କ କାରଣରୁ ଉନାଦକତ୍ଙ୍କ ବଲ୍ରେ କୋହଲି ଖେଳିଥିବା ଶଟ୍ଟି ପ୍ରଥମ ସ୍ଲିପ୍ ଅଞ୍ଚଳକୁ ଯାଇଥିଲା । ସେଠାରେ ସ୍ଥାନୀୟ କ୍ଲବ୍ କ୍ରିକେଟର୍ ଏହି କ୍ୟାଚ୍କୁ ହାତଛଡ଼ା କରି ନ ଥିଲେ ।
ଅନ୍ୟପକ୍ଷରେ ଘରୋଇ କ୍ରିକେଟ୍ ସହ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଟେଷ୍ଟ୍ ଦଳରେ ସ୍ଥାନ ପାଇଥିବା ଜୈସ୍ୱାଲ୍ ୭୬ ବଲ୍ରେ ୫୪ ରନ୍ କରି ତାଙ୍କ ଫର୍ମକୁ କାଏମ ରଖିଥିବା ସ୍ପଷ୍ଟ କରିଥିଲେ । ଦଳରେ ଚେତେଶ୍ୱର ପୂଜାରାଙ୍କ ସ୍ଥାନ ନେଇଥିବା ଜୈସ୍ୱାଲ୍ଙ୍କୁ ଗୁରୁବାର ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଆରମ୍ଭ କରିବାର ସୁଯୋଗ ମିଳିଥିଲା । ଶୁବମାନ ଗିଲ୍ଙ୍କ ସ୍ଥାନରେ ଜୈସ୍ୱାଲ୍ଙ୍କୁ ଇନିଂସ ଆରମ୍ଭ କରିବାର ସୁଯୋଗ ଦେଇ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ଓ ଅଧିନାୟକ ରୋହିତ ଆସନ୍ତା ୧୨ରୁ ଆରମ୍ଭ ହେଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ରେ ତାଙ୍କୁ ସ୍ଥାନ ପୋଜିସନ୍ରେ ଖେଳାଇବାର ସଙ୍କେତ ଦେଇଛନ୍ତି । ତା’ଛଡ଼ା ବିଗତ ଦିନରେ ଘରୋଇ କ୍ରିକେଟ୍ ସହ ଇଣ୍ଡିଆ-ଏ’ ପକ୍ଷରୁ ଖେଳିବା ଅବସରରେ ଗିଲ୍ ମଧ୍ୟକ୍ରମରେ ବ୍ୟାଟିଂ କରି ଯଥେଷ୍ଟ ସଫଳତା ପାଇଛନ୍ତି । ତେଣୁ ତାଙ୍କୁ ଟିମ୍ ମ୍ୟାନେଜ୍ମେଣ୍ଟ୍ ବ୍ୟାଟିଂ କ୍ରମରେ ତଳକୁ ଖସାଇ ପୂଜାରାଙ୍କ ପୋଜିସନ୍ରେ ଖେଳାଇବା ଉପରେ ମଧ୍ୟ ବିଚାର କରିପାରେ ।