41.1 C
Bhubaneswar
Sunday, April 28, 2024
Homeଓଡିଶା୬୦ ବର୍ଷ ଧରି ସଖୀବଟ ଦାୟିତ୍ୱରେ ଥାଇ ଅଲୋଡା : ରୋଗଶଯ୍ୟାରେ ବନ୍ଦ ଘରେ ସଦାନନ୍ଦ...

୬୦ ବର୍ଷ ଧରି ସଖୀବଟ ଦାୟିତ୍ୱରେ ଥାଇ ଅଲୋଡା : ରୋଗଶଯ୍ୟାରେ ବନ୍ଦ ଘରେ ସଦାନନ୍ଦ ବାବା

କେନ୍ଦ୍ରାପଡା : କେନ୍ଦ୍ରାପଡାର ଗୁପ୍ତକ୍ଷେତ୍ର ଭାବେ ପ୍ରତିଷ୍ଠିତ ସଖୀବଟରେ ଦୀର୍ଘ ୬୦ ବର୍ଷ ଦାୟିତ୍ୱରେ ରହି ମନ୍ଦିର ପରିଚାଳନା କରିଥିବା ସଦାନନ୍ଦ ଦାସ ବାବା (୮୨) ପାରାଲିସିସରେ ପୀଡିତ ହେବା ପରେ ଦୁଇ ବର୍ଷ ହେଲା ଏକ ତାଲା ବନ୍ଦ ଘରେ ଅସହାୟ ଭାବରେ ପଡି ରହିଛନ୍ତି । ଏଥିପାଇଁ ମନ୍ଦିର କମିଟି କିମ୍ବା ସଂସ୍କୃତି ବିଭାଗ ଆହା ପଦେ ବି କରୁନଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ପ୍ରାୟ ୫ଶହ ବର୍ଷର ବିରାଟ ବରଗଛ ସହ ୮ ଏକର ଭୂମି ଉପରେ ସ୍ଥାପିତ ସଖୀବଟର ଏକ ମନ୍ଦିରରେ ବଳଦେବଜୀଉ ପୂଜା ପାଇ ଆସୁଛନ୍ତି । କେନ୍ଦ୍ରାପଡା ସହରରେ ପୂର୍ବରୁ ଥିବା ବଳଦେବଜୀଉ ମନ୍ଦିର ଭଙ୍ଗାଯିବା ପରେ ଏଠାରେ ଗୁପ୍ତ ଭାବରେ ପ୍ରାୟ ୯ ବର୍ଷ କାଳ ଶ୍ରୀବଳଦେବଜୀଉ ପୂଜା ପାଉଥିବା ସୂଚନା ରହିଛି । ତେବେ ଏହି ପୀଠରେ ଦୀର୍ଘ ୬୦ ବର୍ଷ ଧରି ଠାକୁରଙ୍କ ଭଲ ମନ୍ଦ ବୁଝି ଆସିଥିବା ବାବା ସଦାନନ୍ଦ ଦାସ ସଂସ୍କୃତି ବିଭାଗ ଦା୍ୱରା ଏହିପୀଠକୁ ଐତିହ୍ୟସ୍ଥଳ ଘୋଷଣା ହେବା ପରେ ଓ ୨୦୦୪ରେ ସଖୀବଟ ଉନ୍ନୟନ କମିଟି ଗଠନ ହେବା ପରେ ଅଲୋଡା ହୋଇପଡିଛନ୍ତି ।
୮୨ ବର୍ଷ ବୟସର ବାବା ଶ୍ରୀ ଦାସ ଦୁରାରୋଗ୍ୟ ପାରାଲିସିସରେ ଆକ୍ରାନ୍ତ ହେବା ପରେ ଗୋଟିଏ ଘରେ ପଡି ରହିଛନ୍ତି । ମନ୍ଦିର କମିଟି ପକ୍ଷରୁ ୬ହଜାର ଟଙ୍କା ଦରମାରେ ସ୍ଥାନୀୟ ବ୍ୟକ୍ତି ଖଗେଶ୍ୱର ବେହେରାଙ୍କୁ ବାବାଙ୍କ ସେବା କରିବାକୁ ନିଯୁକ୍ତ କରାଯାଇଥିବାବେଳେ ଏକମାସର ଦରମା ଦେଇ ଆଉ ନଦେବାରୁ ଏହି ଗରିବ ବ୍ୟକ୍ତିଜଣକ ମଠରେ ରହି ବାବାଙ୍କ ସଂପୂର୍ଣ୍ଣ ସେବା ଓ ଦାୟିତ୍ୱ ନେଇପାରୁ ନଥିବା କହିଛନ୍ତି । ସେ ଦିନରେ ଆସି ବାବାଙ୍କୁ ଉଠାଇବା ସହିତ ରୋଷେଇ କରି ଖାଇବାକୁ ଦେବା ପରେ ନିଜ ପରିବାର ଭରଣ ପୋଷଣ ପାଇଁ ବିଲ ବାଡି କାମ କରିବାକୁ ଯାଉଥିବାବେଳେ ସନ୍ଧ୍ୟାରୁ ବାବାଙ୍କୁ ବାହାରୁ ତାଲାଦେଇ ପ୍ରତିଦିନ ଚାଲିଯାଉଥିବା କହିଛନ୍ତି ।
ତେବେ ବନ୍ଦ ଘରେ ପଡିଥିବା ବାବାଙ୍କର ରାତିରେ ତଂଟି ଶୁଖିଗଲେ ପାଣି ଟୋପାଏ ପିଇବାକୁ ଚାହିଁଲେ ମଧ୍ୟ ଏହା ସମ୍ଭବ ହେଉନଥିବା ଜଣାପଡିଛି । କମିଟି ବାବାଙ୍କ ଏହି ଅସହାୟତା ସମୟରେ ଆଡଆଖିରେ ଚାହୁଁନଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କମିଟି ନିକଟରେ ଲକ୍ଷ ଲକ୍ଷ ଟଙ୍କା ଗଚ୍ଛିତ ଥିବାବେଳେ ବାବାଙ୍କୁ ଅଣଦେଖା କରିବା ଉଚିତ୍ ହେଉନି ବୋଲି କମିଟିର ପୂର୍ବତନ ସଂପାଦକ କହିଛନ୍ତି । ମାନବିକତା ଦୃଷ୍ଟି କୋଣରୁ କମିଟି ଓ ସଂସ୍କୃତି ବିଭାଗ ବାବାଙ୍କ ଦାୟିତ୍ୱ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking