କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସ୍ଥିତ ମନ୍ମଥନାଥ ହାଇସ୍କୁଲରେ ଚାଲୁଥିବା କୋଭିଡ଼ କେୟାର ସେଣ୍ଟରରେ ସୋମବାର ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରବେଶ କରି ଅନଲାଇନ ଶିକ୍ଷା ଦେବା ବିଷୟକୁ ନେଇ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି । ରାଜ୍ୟବାହାରୁ ଆସୁଥିବା ପ୍ରବାସୀଙ୍କ ଦ୍ୱାରା ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଭୟ ଥିବାରୁ ଓ ବିଭିନ୍ନ ଅଂଚଳରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ନିଜ ଘରେ ସଙ୍ଗରୋଧରେ ରହିବାର ସୁବିଧା ନଥିବାରୁ ବିଭିନ୍ନ ସ୍କୁଲ, କଲେଜ ତଥା ସରକାରୀ ଅନୁଷ୍ଠାନକୁ ଅସ୍ଥାୟୀ ଭାବେ କୋଭିଡ଼ କେୟାର ସେଂଟର କରାଯାଇଛି ଓ ସେଠାରେ ରାଜ୍ୟକୁ ଆସୁଥିବା ପ୍ରବାସୀ ତଥା କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ଅସ୍ଥାୟୀ ଭାବେ ରଖାଯାଉଛି । ଏହିଭଳି ଏକ କୋଭିଡ଼ କେୟାର ସେଣ୍ଟର କରାଯାଇଥିଲା ପଟ୍ଟାମୁଣ୍ଡାଇର ଏମ୍ଏନ୍ ହାଇସ୍କୁଲରେ ।
ଏହି ସେଣ୍ଟରରେ ଏବେ ୧୨ ଜଣ କୋଭିଡ଼ ପଜିଟିଭ ଚିହ୍ନଟ ବ୍ୟକ୍ତି ରହୁଛନ୍ତି । ସେଣ୍ଟରରେ ରହୁଥିବା କୋଭିଡ଼ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଲୁଗାପଟା ସ୍କୁଲ ପରିସରରେ ଏଣେ ତେଣେ ଶୁଖୁଛି ଓ ସେଠାରେ ରହୁଥିବା କୋଭିଡ଼ ପଜିଟିଭମାନେ ସ୍କୁଲ ପରିସରରେ ମଧ୍ୟ ବୁଲାବୁଲି କରୁଛନ୍ତି । ଏହା ଜାଣି ମଧ୍ୟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସୋମବାର ସ୍କୁଲ ପରିସରକୁ ଯାଇ ଅନଲାଇନରେ ଶିକ୍ଷାଦାନ କରିଥିଲେ । ଏ ବିଷୟ ଜଣାପଡ଼ିବା ପରେ ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଏ ଖବର ପହଂଚିବା ପରେ ସେ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ କୈଫତ ତଲବ କରିବା ସହ ସ୍କୁଲ ପରିସରକୁ କେହି ନଯିବାକୁ କହିଛନ୍ତି । କୋଭିଡ଼ କେୟାର ସେଣ୍ଟର ଚାଲୁଥିବା ଏମ୍ଏନ୍ ହାଇସ୍କୁଲ ପାଇଁ ବିକଳ୍ପ ବ୍ୟବସ୍ଥା ନଥିବାରୁ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀମାନେ ବାଧ୍ୟ ହୋଇ ସ୍କୁଲ ପରିସରକୁ ଯାଇଥିବା କୁହାଯାଉଛି। ଏମଏନ ହାଇସ୍କୁଲରୁ କୋଭିଡ଼ କେୟାର ସେଣ୍ଟର ସ୍ଥାନାନ୍ତର ହେବା ପର୍ଯ୍ୟନ୍ତ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀମାନେ ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲ ସହିତ ଯୋଡ଼ି ହୋଇ ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସଂଞ୍ଜୀବ ସିଂ କହିଛନ୍ତି ।