ଧରାପଡ଼ିଲେ ଡକାୟତି ଗ୍ୟାଙ୍ଗ : ୩ ଗିରଫ ୨ ଚମ୍ପଟ

କେନ୍ଦ୍ରାପଡ଼ା : ଚୋରି ମୋବାଇଲ ଫୋନ ବ୍ୟବହାର ଏକ ଡକାୟତି ଗ୍ୟାଙ୍ଗକୁ ଧରିବାରେ ପୁଲିସ ସଫଳ ହୋଇଛି । ଗତ ମାସ ୨୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ବ୍ଲକର କୁସୁନପୁର ଗାଁରେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଗ୍ୟାଙ୍ଗର ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ୨ ଜଣ ପୁଲିିସ ଆଖିରେ ଧୁଳି ଦେଇ ଖସି ଯାଇଛନ୍ତି । ଡକାୟତଙ୍କ ଠାରୁ ପୁଲିିସ ୪ ହଜାର ଟଙ୍କା, ୭ଟି ମୋବାଇଲ ଫୋନ, ଗୋଟିଏ ଲୁହା ଚାପଡ଼ ଓ ୬ଟି ସ୍କୃଡ୍ରାଇଭର ଜବତ ହୋଇଛି ।
ସୂଚନାଯୋଗ୍ୟ, ଗତ ମାସ ୨୦ ତାରିଖ ରାତିରେ କୁସୁନପୁର ଗାଁର କାହ୍ନୁଚରଣଙ୍କ ନାୟକଙ୍କ ଘରର ଗ୍ରୀଲ ତାଡ଼ି ଘରୁ ୨୦ ହଜାର ଟଙ୍କା, ସୁନା ଅଳଙ୍କାର ଓ ୩ଟି ମୋବାଇଲ ଫୋନ ଲୁଟ କରିବା ସହ କାହ୍ନୁଚରଣ ଓ ତାଙ୍କ ପତ୍ନୀ ସୁଲୋଚନାଙ୍କୁ ହାଣି ଲହୁ ଲୁହାଣ କରି ଚାଲିଯାଇଥିଲେ । ଏହି ଡକାୟତି ଭିଆଇବା ପରେ ଡକାୟତମାନେ ପାଖ ତୁଳସୀପୁର ଗାଁର ଅକ୍ଷୟ ସାହୁଙ୍କ ଘରେ ପଶି ୫ ହଜାର ଟଙ୍କା ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଡକାୟତି ଘଟଣା ଦୁଇଟିକୁ ନେଇ ମାର୍ଶାଘାଇ ପୁଲିସ ଥାନାରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଡକାୟତମାନେ ଚୋରି ମୋବାଇଲ ଫୋନଗୁଡ଼ିକ ମଧ୍ୟରୁ ଗୋଟିଏ ଫୋନକୁ ବ୍ୟବହାର କରିବା ତାଙ୍କ ପାଇଁ କାଳ ହୋଇଥିଲା ।

ଚୋରି ମୋବାଇଲ ଫୋନ ଗୁଡ଼ିକ ବ୍ୟବହାର ଉପରେ ପୁଲିସ ନଜର ରଖିଥିଲା ଓ ସେଗୁଡ଼ିକୁ ଟ୍ରାକ ମଧ୍ୟ କରୁଥିଲା । ଚୋରି ମୋବାଇଲର ଫୋନ ଗୁଡ଼ିକ ମଧ୍ୟରୁ ଗୋଟିଏକୁ ଡକାୟତଙ୍କ ମଧ୍ୟରୁ ଜଣେ ତିଲଙ୍ଗ ଗାଁର ନାରାୟଣ ଦାସ(୨୨) ବ୍ୟବହାର କରିବା ଦ୍ୱାରା ପୁଲିସ ତା’ ନିକଟରେ ପହଂଚି ତାକୁ ଗିରଫ କରିଥିଲା ଓ ନାରାୟଣର ସୂଚନା ଅଧାରରେ ତିଲଙ୍ଗ ଗାଁରେ ରହୁଥିବା ଉତରପ୍ରଦେଶ ଫକିରାବାଦର ଶେର ସିଂ(୩୦) ଓ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡ଼ଜରିଆ ଗାଁର ଶତୃଘ୍ନ ଦାସସଙ୍କ ପୁଅ ପୁପୁନି ଦାସ(୨୨)କୁ ପୁଲିିସ ଗିରଫ କରିଥିଲା । ଏହି ଡକାୟତିରେ ୫ ଜଣ ସମ୍ପୃକ୍ତ ଥିଲେ । ଅନ୍ୟ ୨ ଜଣ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଖସି ଯାଇଛନ୍ତି । ଧରାପଡ଼ିଥିବା ଡକାୟତମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଥିବା କେନ୍ଦ୍ରାପଡ଼ା ଏସପି ନିତିଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here