40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୬ଦିନିଆ ଇଡି ରିମାଣ୍ଡ୍‌ରେ କେଜରିୱାଲ୍‌; ସୁପ୍ରିମକୋର୍ଟରେ ମାମଲା ପ୍ରତ୍ୟାହାର କରିନେଲେ

୬ଦିନିଆ ଇଡି ରିମାଣ୍ଡ୍‌ରେ କେଜରିୱାଲ୍‌; ସୁପ୍ରିମକୋର୍ଟରେ ମାମଲା ପ୍ରତ୍ୟାହାର କରିନେଲେ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୬ ଦିନିଆ ରିମାଣ୍ଡ୍‌ରେ ନେଇଛି । ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟରେ କେଜରିୱାଲ୍‌ଙ୍କୁ ହାଜର କରିବା ସହ ୧୦ଦିନର ରିମାଣ୍ଡ୍ ପାଇଁ ଇଡି ଆବେଦନ କରିଥିଲା । ମାତ୍ର କୋର୍ଟ ୬ ଦିନ ପାଇଁ କେଜରିୱାଲ୍‌ଙ୍କୁ ରିମାଣ୍ଡ୍ ନେବା ପାଇଁ ଇଡିକୁ ଅନୁମତି ଦେଇଛନ୍ତି ।
ରାଉସ୍ ଆଭେନ୍ୟୁ କୋର୍ଟରେ ଆଜି କେଜରିୱାଲ୍‌ଙ୍କୁ ହାଜର କରିବା ସମୟରେ ଇଡି ପକ୍ଷରୁ କେଜରିୱାଲ୍‌ଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ମୁଖ୍ୟ ଅର୍ଥାତ୍ କିଙ୍ଗ୍‌ପିନ୍ ଭାବେ ଅଭିହିତ କରାଯାଇଥିଲା । ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ଦର୍ଶାଇଥିଲେ ଯେ ଏହି ଘଟଣା ସହ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଜେରା କରାଯାଇସାରିଥିବା ବେଳେ ସେମାନେ ସମସ୍ତେ କେଜରିୱାଲ୍ ସେମାନଙ୍କୁ ଶହଶହ କୋଟି ଟଙ୍କା ଆଦାୟ ପାଇଁ କହିଥିବା ବୟାନ୍ ଦେଇସାରିଛନ୍ତି । ଏହି ଘଟଣାରେ କେଜରିୱାଲ୍ ମାଷ୍ଟରମାଇଣ୍ଡ୍ ଥିବା ବେଳେ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଉଭୟ ନେତା ଜେଲ୍‌ରେ କଏଦୀ ଜୀବନ ଅତିବାହିତ କରୁଛନ୍ତି ।
ଅନ୍ୟପକ୍ଷେ ଦିଲ୍ଲୀ ହାଇକୋର୍ଟ ଦିନକ ପୂର୍ବେ ଦେଇଥିବା ରାୟ ବିରୋଧରେ କେଜରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ । ସୁପ୍ରିମକୋର୍ଟ କେଜରିୱାଲ୍‌ଙ୍କୁୂ ସ୍ୱତନ୍ତ୍ର କୋର୍ଟ (ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ)ରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । ତେବେ କେଜରିୱାଲ୍ ସୁପ୍ରିମକୋର୍ଟରେ ଫାଇଲ୍ କରିଥିବା ପିଟିସନ୍‌କୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ୍ ଗିରଫ ହେବା ପରେ ଦିଲ୍ଲୀରେ ସରକାର କିପରି ଚାଲିବ ସେନେଇ ପ୍ରଶ୍ନ ଉଠିଛି । ତେବେ ଜେଲ୍‌ରୁ ଥାଇ କେଜରିୱାଲ୍‌, ଚଳାଇବେ ବୋଲି କୁହାଯାଉଛି । କିନ୍ତୁ ଏହା କେତେ ଦୂର ସମ୍ଭବ ସେନେଇ ସନ୍ଦେହ ରହିଛି । କାରଣ ଜେଲ୍ ମାନୁଆଲ ଏସବୁକୁ ଅନୁମତି ଦେବ ନାହିଁ । ଏପରି ହେଲେ କେଜରିୱାଲ୍‌ଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିପାରେ । ତେବେ କେଜରିୱାଲ୍‌ଙ୍କ ଇସ୍ତଫା ପରେ ଅତିଶୀ ମାର୍ଲେନା କିମ୍ବା ଗୋପାଳ ରାୟ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ଉଭୟ ନେତା କେଜରିୱାଲ୍‌ଙ୍କ ବିଶ୍ୱସ୍ତ ନେତା ଭାବେ ପରିଚିତ । ଅନ୍ୟପକ୍ଷେ ବିଜେପି ପକ୍ଷରୁ କେଜରିୱାଲ୍‌, ନୈତିକତା ହରାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ଦାବି କରାଯାଇଛି । ପ୍ରଦେଶ ବିଜେପି ୟୁନିଟ୍ କେଜରିୱାଲ୍ ଏବଂ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ କଡା ଶବ୍ଦରେ ସମାଲୋଚନା କରିବା ଆରମ୍ଭ କରିଦେଇଛି । କିନ୍ତୁ କାଲି ପର୍ଯ୍ୟନ୍ତ ଆପ୍‌ର ଅବକାରୀ ନୀତିକୁ ସମାଲୋଚନା କରିଆସୁଥିବା କଂଗ୍ରେସ କିନ୍ତୁ ଏବେ କେଜରିୱାଲ୍‌ଙ୍କ ଗିରଫଦାରୀକୁ ନେଇ ବିଜେପିକୁ ଟାର୍ଗେଟ୍ କରିବା ଆରମ୍ଭ କରିଛି । କେଜରିୱାଲ୍‌ଙ୍କ ନେତୃତ୍ୱାଧୀନ ଆମ୍ ଆଦ୍‌ମୀ ସରକାର ବ୍ୟାପକ ଅବକାରୀ ଦୁର୍ନୀତି କରିଥିବା ଅଭିଯୋଗ ଆଣିଥିବା କଂଗ୍ରେସ ଏବେ ମୋଦୀ ସରକାର ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ଏସବୁ କରୁଥିବା ଦର୍ଶାଇଛି । ସୂଚନାଯୋଗ୍ୟ ଆପ୍ ଏବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ରହିଛି ।
ଏସବୁ ମଧ୍ୟରେ ଗାନ୍ଧିବାଦୀ ନେତା ତଥା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି । ଆନ୍ନା କହିଛନ୍ତି, କେଜରିୱାଲ୍ ତାଙ୍କ ସହ ମିଶି ମଦ ବିରୋଧରେ ଲଢ଼େଇ ଲଢ଼ୁଥିଲେ । କିନ୍ତୁ ରାଜନୀତିରେ ମିଳିଥିବା ଆଂଶିକ ସଫଳତାରେ ସେ ଏତେମାତ୍ରାରେ ଗର୍ବ ଅହଂକାରର ବଶୀଭୂତ ହୋଇପଡିଲେ ଯେ, ତାଙ୍କୁ ଆଉ କୌଣସି କଥା ଶୁଭୁନଥିଲା । କେଜରିୱାଲ୍ ଆଣିଥିବା ଅବକାରୀ ନୀତି ପାଇଁ ଆନ୍ନା ତାଙ୍କୁ ଦୁଇ ଦୁଇ ଥର ଚିଠି ଲେଖିôଥିଲେ ଏବଂ ଏପ୍ରକାର ନୀତିକୁ ରାଜ୍ୟରେ ଲାଗୁ ନକରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । କିନ୍ତୁ ସେ ଶୁଣିନଥିଲେ । ଆଇନ୍ ତା’ କାମ କରିବ । କେଜରିୱାଲ୍‌ଙ୍କ କର୍ମ ହିଁ ଆଜି ତାଙ୍କୁ ଏପରି ସମୟରେ ଆଣି ଛିଡା କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking