ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଏବେ ଦିଲ୍ଲୀ ସାକେତ ସ୍ଥିତ ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିନ୍ଧିଆ ଓ ତାଙ୍କ ମା’ କରୋନା ପଜେଟିଭ ଚିହ୍ନଟ ହୋଇଥିବା ସୂଚନା ମିଲିଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ଧରଣର ରହିଥିବା କୁହାଯାଉଛି । ରିପୋର୍ଟ ଅନୁସାରେ, ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ମା ମାଧବୀ ରାଜେଙ୍କ ଗଳାରେ ସାମାନ୍ୟ ଦରଜ ଏବଂ ଜ୍ୱର ହେବା ଜଣାପଡିବା ପରେ ସୋମବାର ତାଙ୍କୁ ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦ୍ୱିତୀୟ ଦିନରେ ସେମାନଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଛି । ଗତକାଲି ତାଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ହେଲେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହା ଏଯାଏଁ ଜଣାପଡିନାହିଁ ।
ସୂଚନାଯୋଗ୍ୟ ଯେ, ସୋମବାର ସୁଦ୍ଧା ଦିଲ୍ଲୀରେ କରୋନା ଭାଇରସ ରେ ୧୦୦୭ଟି ନୂଆ ମାମଲା ଆସିଛି । ଏହାକୁ ମିଶାଇ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଛୁଇଁଛି । ଆଉ ୮୭୪ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ୩୦ ମେରୁ ଜୁନ ୬ ପର୍ଯ୍ୟନ୍ତ ୬୨ ସଂକ୍ରମିତ ଙ୍କ ମୃତ୍ୟୁ ହୋଇଛି ।