35.1 C
Bhubaneswar
Tuesday, April 23, 2024
Homeଓଡିଶାମୃତବ୍ୟକ୍ତିଙ୍କ ନାଁରେ ଜବ୍‌କାର୍ଡ, ଟଙ୍କା ଉଠାଣ

ମୃତବ୍ୟକ୍ତିଙ୍କ ନାଁରେ ଜବ୍‌କାର୍ଡ, ଟଙ୍କା ଉଠାଣ

ସଇଁନ୍ତଲା : ରାଜ୍ୟ ସରକାର ଦାଦନ ରୋକିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରେ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଦେଉଥିବା କହୁଛନ୍ତି , ହେଲେ ଯୋଜନା ସବୁ ଫେଲ ମାରିଛି । କେତେବେଳେ ମେସିନ ଭରଷାରେ ସରପଞ୍ଚ, ଜିଆର୍‌ଏସ୍ ମାଲେମାଲ ହେଉଛନ୍ତି ତ ଆଉ କେତେବେଳେ ମୃତ ବ୍ୟକ୍ତିଙ୍କ ନାଁ ରେ ଟଙ୍କା ଜମାକରି ମାଲେମାଲ ହେଉଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତରୁ । ଅଭିଯୋଗ ମୁତାବକ, କରମତଲା ପଞ୍ଚାୟତ ଲିମପଡା ନିକଟସ୍ଥ ମୁଗୁରମୁଣ୍ଡା ପୋଖରୀର ଉନ୍ନତି କରଣ ପାଇଁ ୨୦୨୧-୨୨ ମସିହାରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ।

ଏହି କାମକୁ ଗାଁ ସାଥୀ କିମ୍ବା ପଞ୍ଚାୟତ ପ୍ରଶାସନ ନିଜେ ନ କରି କିଛି ଟଙ୍କାରେ କାମକୁ ବିକ୍ରି କରି ନିଜ ଅଞ୍ଚଳର ଜଣେ ଠିକାଦାରଙ୍କ ଜରିଆରେ କରାଯାଇଛି । କାମର କୌଣସି ସୂଚନା ଫଳକ ନ ଥିବା ବେଳେ ଆହୁରି ସନ୍ଦେହ ସୃଷ୍ଟି ହୋଇଛି । ୫୨୩ ଶ୍ରମ ଦିବସ ସୃଷ୍ଟି କରି ୧ ଲକ୍ଷ ୧୭ ହଜାର ୨୧୬ ଟଙ୍କା ଜବ୍ କାର୍ଡଧାରୀ ବିଭିନ୍ନ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଗତ ୨୭.୫.୨୦୨୨ ତାରିଖ ଦିନ ଜମା ହୋଇଛି । କିନ୍ତୁ ଦୁଃଖର ବିଷୟ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଜମା ହୋଇଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି । ଲିମପଡ଼ା ଗ୍ରାମର ସାରଦା ରଣାଙ୍କ ସ୍ତ୍ରୀ ଫଟୁ ରଣା ଦେଢ଼ ବର୍ଷ ତଳେ ପ୍ରାଣ ହରାଇଛନ୍ତି । କିନ୍ତୁ ତାଙ୍କର ନାମରେ ମଧ୍ୟ ଜବକାର୍ଡ ତିଆରି କରି ଏଥିରେ କାମ କରିଥିବା ଦର୍ଶାଯାଇଛି ।

ମୃତ ଫଟୁ ରଣା ପୋଖରୀର ଉନ୍ନତି କରଣ ପାଇଁ ଦୁଇ ସପ୍ତାହ କାମ କରିଥିବା ଦର୍ଶାଇ ୨୬୬୪ ଟଙ୍କା ସଇଁନ୍ତଲା ସ୍ଥିତ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ପାସ୍‌ବୁକ୍‌ରେ ଜମା ହୋଇଛି । କିନ୍ତୁ ୨୦ରୁ ୨୫ ହଜାର ଭିତରେ କାମ ହୋଇଥିବା ବେଳେ ଲକ୍ଷ ଟଙ୍କା ଉଠା ଯାଇଛି । ଶ୍ରମିକ କାମ କରୁନ ଥିବା ବେଳେ ହଜାର ହଜାର ଟଙ୍କା ତାଙ୍କ ନାଁରେ ଉଠୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ମନରେଗା କାମରେ ବାରମ୍ବାର ହେଉଥିବା ବେଳେ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏନେଇ ସଇଁନ୍ତଲା ବିଡିଓ ଚନ୍ଦ୍ରମଣି ନାଗଙ୍କୁ ପଚାରିବାରୁ ଏପିଓ ବନଜାବାସିନୀ ଦାସଙ୍କୁ ତଦନ୍ତ କରିବା ନିର୍ଦ୍ଦେଶ ଦେଇଥିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking