37.1 C
Bhubaneswar
Monday, May 20, 2024
Homeଓଡିଶାଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ : ଦାରୁବ୍ରହ୍ମଙ୍କ ରାଧା ଦାମୋଦର ବେଶ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ : ଦାରୁବ୍ରହ୍ମଙ୍କ ରାଧା ଦାମୋଦର ବେଶ

ପୁରୀ : ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରେ ବୁଧବାରଠାରୁ ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ରାଧା ଦାମୋଦର ବେଶ ଏବଂ ବାଳଧୂପ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଚଳିତ ମାସ ୨୫ରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ କାର୍ତ୍ତିକ ନୀତି ପାଳନ କରାଯିବ। ବୁଧବାର ସକାଳ ୭ଟା ୧୫ରେ ମହାପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯାଇଥିଲା। ମଇଲମ, ତଡ଼ପଲାଗି, ଅବକାଶ ଓ ରୋଷହୋମ ପରେ ପ୍ରଭୁଙ୍କୁ ରାଧା ଦାମୋଦର ବେଶ କରାଯାଇଥିଲା। ପୁଷ୍କାଳକ ସେବକ ରତ୍ନ ସିଂହାସନ ଉପରକୁ ଯାଇ ସକାଳ ୮ଟା ୨୫ରୁ ୯ଟା ୩୦ ମଧ୍ୟରେ ଶ୍ରୀଜୀଉଙ୍କୁ ଆକର୍ଷଣୀୟ ବେଶ କରିଥିଲେ।

ଆଶ୍ୱିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରଭୁଙ୍କୁ ରାଧା ଦାମୋଦର ବେଶ କରାଯିବ। କାର୍ତ୍ତିକ ମାସରେ ବିଷ୍ଣୁଙ୍କ ନାମ ଦାମୋଦର ହୋଇଥିବାରୁ ତାଙ୍କୁ ରାଧା ଦାମୋଦର ବେଶ କରାଯିବା ପରମ୍ପରା ରହିଛି। ଏହି ବେଶରେ ଦାରୁବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ ଘାଗଡ଼ାମାଳି, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ ଲାଗି କରାଯାଇଥିଲା। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ସୁବର୍ଣ୍ଣ ଚନ୍ଦିକା, ତିଳକ, ନଳୀଭୁଜ ଏବଂ କୁଣ୍ଡଳ ଧାରଣ କରିଥିଲେ। ଦେବୀ ସୁଭଦ୍ରାଙ୍କୁ ତଡ଼ଗି ଲାଗି କରାଯାଇଥିଲା। ଆକର୍ଷଣୀୟ ଫୁଲରେ ପ୍ରସ୍ତୁତ ଗୁଣା, ଚିତା ଓ ଅଧରମାଳ ପ୍ରଭୁ ଲାଗି ହୋଇଥିଲେ। ଶ୍ରୀଜୀଉଙ୍କ ଶ୍ରୀମସ୍ତକରେ ଚୂଳ ତ୍ରିମୁଣ୍ଡି ଶୋଭା ପାଉଥିଲା। ସେଥିରେ ଚନ୍ଦ୍ରିକା ଲଗାଯାଇଥିଲା। ମହାପ୍ରଭୁ ନୂତନ ବସ୍ତ୍ର ପରିଧାନ କରିଥିଲେ। ଏହି ବେଶରେ ଥାଇ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସମେତ ମହାପ୍ରଭୁଙ୍କୁ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ କରାଯାଇଥିଲା। ଏକାଦଶୀ ତିଥିରେ ପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଗବେଷକଙ୍କ ମତରେ ଗୋପୀମାନେ କାର୍ତ୍ତିକ ବ୍ରତ ସମୟରେ ଯମୁନା ନଦୀ କୂଳରେ ରାଧା ଦାମୋଦରଙ୍କୁ ପୂଜା କରୁଥିଲେ। ଏହି ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ବାଳଭୋଗ କରିବା ସହ ରାଧା ଦାମୋଦର ପୂଜା ଏବଂ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ରାଧା ଦାମୋଦର ବେଶ କରାଯିବା ସହ ବାଳ ଭୋଗ କରାଯାଏ। ତେବେ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚଦିନ ରାଧା ଦାମୋଦର ବେଶ ପରିବର୍ତ୍ତେ ପ୍ରଭୁଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡ଼ ବା ବାମନ ବେଶ, ଡାଳିକିଆ ତଥା ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜାଧିରାଜ ବେଶ କରାଯିବା ବିଧି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking