35.1 C
Bhubaneswar
Friday, June 6, 2025
Homeଖେଳଅନ୍ତିମ ଦିନିକିଆରେ ଇଣ୍ଡିଜ୍ ପରାସ୍ତ: ୩୭ ବର୍ଷ ପରେ ନ୍ୟୁଜିଲାଣ୍ଡ୍ ସିରିଜ୍ ବିଜୟୀ

ଅନ୍ତିମ ଦିନିକିଆରେ ଇଣ୍ଡିଜ୍ ପରାସ୍ତ: ୩୭ ବର୍ଷ ପରେ ନ୍ୟୁଜିଲାଣ୍ଡ୍ ସିରିଜ୍ ବିଜୟୀ

ବାର୍ବାଡୋସ: ଚଳିତ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ଦଳ ୨-୧ରେ ବିଜୟୀ ହୋଇଛି । ପୂର୍ବରୁ ସିରିଜ୍‌ଟି ବରାବର ଥିବା ବେଳେ ରବିବାର ଏଠାରେ ଅନ୍ତିମ ଦିନିକିଆ ଖେଳାଯାଇଥିଲା । ଏଥିରେ ଦଳ ଘରୋଇ ଇଣ୍ଡିଜ୍‌କୁ ୫ ୱିକେଟ୍‌ରେ ପରାସ୍ତ କରି ଦୀର୍ଘ ୩୭ ବର୍ଷ ପରେ ଇଣ୍ଡିଜ୍ ମାଟିରେ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ସିରିଜ୍ ବିଜୟର ଗୌରବ ଲାଭ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ଇଣ୍ଡିଜ୍ ୮ ୱିକେଟ୍‌ରେ ୩୦୧ ରନ୍ କରିବା ପରେ ନ୍ୟୁଜିଲାଣ୍ଡ୍ ହାତରେ ୫ଟି ୱିକେଟ୍ ଓ ୧୭ଟି ବଲ୍ ବାକି ଥିବା ସମୟରେ ୩୦୭ ରନ୍ କରି ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ନ୍ୟୁଜିଲାଣ୍ଡ୍ ଅଧିନାୟକ ଟମ୍ ଲାଥାମ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଓ ସ୍ପିନର୍ ମିଚେଲ୍ ସାଣ୍ଟନର୍ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି ।

ଇଣ୍ଡିଜ୍‌ର ଦୁଇ ଓପନର ଶାଇ ହୋପ୍ ଓ କାଇଲ୍ ମାୟେର୍ସ ୧୭୩ ରନ୍‌ର ଦମ୍‌ଦାର ଭାଗୀଦାରୀ କରି ଦଳକୁ ବଡ଼ ସ୍କୋର୍ ଆଡ଼କୁ ଆଗେଇ ନେଇଥିଲେ । ଏହି ଭାଗୀଦାରୀରେ ମାୟେର୍ସଙ୍କ ଅବଦାନ ଅଧିକ ରହିଥିଲା । ସେ ବିସ୍ଫୋରକ ବ୍ୟାଟିଂ କରି ଦିନିକିଆରେ ଦ୍ୱିତୀୟ ଶତକ ପୂରଣ କରିଥିଲେ । ତେବେ ଉଭୟ ବ୍ୟାଟ୍ସମ୍ୟାନ୍ ମାତ୍ର ୩ଟି ବଲ୍ ବ୍ୟବଧାନ ମଧ୍ୟରେ ଆଉଟ୍ ହୋଇଥିଲେ । ପ୍ରଥମେ ହୋପ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୫୧ ରନ୍ କରି ଆଉଟ୍ ହୋଇଥିଲେ । ପରେ ମାୟେର୍ସ କ୍ୟାଚ୍ ଆଉଟ୍ ହେବା ବେଳକୁ ୧୧୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୨ଟି ଚୌକା ଓ ୩ଟି ଛକା ସହାୟତାରେ ୧୦୫ ରନ୍‌ରେ ପହଞ୍ଚିସାରିଥିଲେ । ତେବେ ଏହାପରେ ଦଳ କ୍ରମାଗତ ୱିକେଟ୍‌ମାନ ହରାଇଚାଲିବା ଫଳରେ ନ୍ୟୁଜିଲାଣ୍ଡ୍‌କୁ କଷ୍ଟସାଧ୍ୟ ଟାର୍ଗେଟ୍ ଦେବାରେ ବିଫଳ ହୋଇଥିଲା ।

ଅଧିନାୟକ ନିକୋଲାସ୍ ପୂରନ୍ ମାତ୍ର ୫୫ଟି ବଲ୍‌ରେ ୪ଟି ଚୌକା ଓ ୯ଟି ଛକା ମାଧ୍ୟମରେ ୯୧ ରନ୍ କରିବା ଫଳରେ ଦଳୀୟ ସ୍କୋର୍ ୩ ଶହ ପାଖାପାଖି ପହଞ୍ଚିଥିଲା । ଆଲ୍‌ଜାରି ଜୋସେଫ୍ ମାତ୍ର ୬ଟି ବଲ୍‌ରେ ଗୋଟିଏ ଚୌକା ଓ ୨ଟି ଛକା ସହ ୨୦ ରନ୍ କରି ଅପରାଜିତ ରହିବା ସହ ଦଳୀୟ ସ୍କୋର୍‌କୁ ୩ ଶହ ଅତିକ୍ରମ କରାଇଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ୩ଟି ଓ ସାଣ୍ଟନର୍ ୨ଟି ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଭ୍ରମଣକାରୀ ଦଳ ଓପନର ଫିନ୍ ଆଲେନ୍ (୩)ଙ୍କୁ ସଅଳ ହରାଇଥିଲା । କିନ୍ତୁ ଅନ୍ୟତମ ଓପନର ମାର୍ଟିନ୍ ଗପ୍ଟିଲ୍ ଓ ଡେଭନ୍ କୋନ୍‌ୱେ ଦ୍ୱିତୀୟ ୱିକେଟ୍‌ରେ ୮୨ ରନ୍ ଯୋଡ଼ିଥିଲେ ।

ଗପ୍ଟିଲ୍ ୫ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୫୭ ରନ୍ କରିଥିବା ବେଳେ କୋନୱେ ୬ଟି ଚୌକା ଜରିଆରେ ୫୬ ରନ୍ କରିଥିଲେ । ଡାରିଲ୍ ମିଚେଲ୍ ଓ ଲାଥାମ୍‌ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ୧୨୦ ରନ୍‌ର ଭାଗୀଦାରୀ ହେବା ଫଳରେ ନ୍ୟୁଜିଲାଣ୍ଡ୍ ବିଜୟ ସହଜ ହୋଇଥିଲା । ଲାଥାମ୍ ୬ଟି ଚୌକା ଜରିଆରେ ୬୯ ଏବଂ ମିଚେଲ୍ ୬ଟି ଚୌକା ଓ ଗୋଟିଏ ଛକା ସହ ୬୩ ରନ୍ ଯୋଗ କରିଥିଲେ । ଏହାଛଡ଼ା ଜେମ୍ସ ନିଶାମ୍ ମାତ୍ର ୧୧ଟି ବଲ୍ ଖେଳି ଗୋଟିଏ ଚୌକା ଓ ୪ଟି ଛକା ମାଧ୍ୟମରେ ୩୪ ରନ୍ କରି ଅପରାଜିତ ରହିବା ସହ ଦଳୀୟ ସ୍କୋର୍‌କୁ ୩୦୭/୫ରେ ପହଞ୍ଚାଇଥିଲେ । ଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍‌ଡର୍ ଓ ଆନିକ୍ କାରିଆହ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking