28.1 C
Bhubaneswar
Friday, April 24, 2026
Homeଦେଶ ବିଦେଶନିରନ୍ତର ବିକାଶକୁ ଭାରତୀୟ ରେଳବାଇର ପ୍ରେତ୍ସାହନ, ୨୦୨୫-୨୬ରେ ୮୧. ୫୯ ଲକ୍ଷ ବୃକ୍ଷରୋପଣ

ନିରନ୍ତର ବିକାଶକୁ ଭାରତୀୟ ରେଳବାଇର ପ୍ରେତ୍ସାହନ, ୨୦୨୫-୨୬ରେ ୮୧. ୫୯ ଲକ୍ଷ ବୃକ୍ଷରୋପଣ

ରେଳଧାରଣା ପାର୍ଶ୍ବରେ ବୃକ୍ଷରୋପଣ ମୃର୍ତ୍ତିକା ଅବକ୍ଷୟକୁ ରୋକିବା ସହ ଆମ ଯାତ୍ରାକୁ ସବୁଜମୟ, ନିରାପଦ ଓ ଉତ୍ତମ ଅଭିଜ୍ଞତାସଂପନ୍ନ କରୁଛି
“ଆମ ଶକ୍ତି, ଆମ ଗ୍ରହ” ଚିନ୍ତାଧାରାକୁ ଆଗକୁ ବଢାଇ, ବିଦ୍ୟୁତକୃତ ଓ ସବୁଜ ରେଳବାଇ ବର୍ଷାଜଳର ସଫଳ ବ୍ୟବହାର ଓ ଜୈବିକ ଶୌଚାଳୟ ନିର୍ମାଣ କରୁଛି
୨୦୧୪ ମସିହାରୁ ୩.୬୬ ଲକ୍ଷ ଜୈବିକ ଶୌଚାଳୟ ସ୍ଥାପନ କରାଯାଇଛି, ଯାହା ପରିଷ୍କାର ରେଳଧାରଣା, ମାଟି ଏବଂ ଭୂତଳ ଜଳର ସୁରକ୍ଷା ଓ ଯାତ୍ରୀମାନଙ୍କ ପରିମଳ ସୁନିଶ୍ଚିତ କରୁଛି
୯୯.୬% ବ୍ରଡଗେଜ୍ ନେଟୱାର୍କ ବିଦ୍ୟୁତୀକରଣ ହୋଇଥିବାରୁ ଭାରତୀୟ ରେଳବାଇ ପଶ୍ଚିମ ଏସୀୟ ସଙ୍କଟ ମଧ୍ୟରେ ଡିଜେଲ ବ୍ୟବହାର ହ୍ରାସ କରିଛି ଏବଂ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିଛି
୨୦୧୬-୧୭ ମସିହାରୁ, ୮,୩୧୩ଟି ବର୍ଷାଜଳ ଅମଳ ଢାଞ୍ଚା ନିର୍ମାଣ କରାଯାଇଛି, ଯାହା ବର୍ଷାଜଳ ସଂଗ୍ରହ କରି ଷ୍ଟେସନଗୁଡ଼ିକରେ ଜଳ ସଂରକ୍ଷଣ ପ୍ରୟାସକୁ ବୃଦ୍ଧି କରୁଛି
କେବଳ ଗତ ଆର୍ଥିକ ବର୍ଷରେ, ୨୬ଟି ନୂତନ ଜଳ ରିସାଇକ୍ଲିଙ୍ଗ୍‌ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଥିଲା; ୨୦୧୫-୧୬ ମସିହାରୁ, ମୋଟ ୧୮୫ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇଛି, ଯାହା ରେଳବାଇକୁ ସବୁଜ କରିବା ଦିଗରେ ସହାୟକ ହୋଇଛି
ରେଳବାଇ ଜମିରେ ୧୦୯ଟି ପୋଖରୀ, ଟାଙ୍କି ଏବଂ ଆର୍ଦ୍ରଭୂମି ପୁନରୁଦ୍ଧାର କରାଯାଇଛି। ଏହାଦ୍ୱାରା ସ୍ଥାନୀୟ ଭୂତଳ ଜଳର ପୁନର୍ଭରଣ କରାଯାଉଛି ଏବଂ ଜୈବ ବିବିଧତା ବାସସ୍ଥାନ ସୃଷ୍ଟି କରାଯାଉଛି, ଯାହାର ଲାଭ ରେଳବାଇ ପରିସର ବାହାରେ ଥିବା ସମ୍ପ୍ରଦାୟଗୁଡ଼ିକୁ ବି ବିସ୍ତାରିତ ହେଉଛି
୯୦୯ ମେଗାୱାଟ ସୌରଶକ୍ତି ଏବଂ ୧୦୩ ମେଗାୱାଟ ପବନ ଶକ୍ତି କ୍ଷମତା କାର୍ଯ୍ୟକ୍ଷମ କରାଯାଇଛି, ଏହା ସହିତ ଅତିରିକ୍ତ ୩,୩୦୦ ମେଗାୱାଟ କ୍ଷମତା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ରେଳବାଇକୁ ଆତ୍ମନିର୍ଭରଶୀଳ ଏବଂ ପରିବେଶ ଅନୁକୂଳ ହେବାରେ ସାହାଯ୍ୟ କରୁଛି

ବିଶ୍ବବ୍ୟାପୀ ‘ଆମ ଶକ୍ତି, ଆମ ଗ୍ରହ’ ଶୀର୍ଷକରେ ପୃଥିବୀ ଦିବସ ୨୦୨୬ ପାଳନ ହେଉଥିବା ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି। ଦେଶର ବିଶାଳ ଏବଂ ବିବିଧ ଭୂଖଣ୍ଡରେ ଦୈନିକ ୨ କୋଟିରୁ ଅଧିକ ଯାତ୍ରୀଙ୍କୁ ପରିବହନ କରୁଥିବା ଭାରତୀୟ ରେଳବାଇ କେବଳ ପରିବହନର ଏକ ମାଧ୍ୟମ ନୁହେଁ; ବରଂ ନିଜର ବିଶାଳ ପରିସର, ପହଞ୍ଚ ଏବଂ ସଂକଳ୍ପ ସହିତ, ଏହା ଭାରତକୁ ଏକ ସବୁଜ ଭବିଷ୍ୟତ ଆଡକୁ ଆଗେଇ ନେଉଥିବା ଏକ ଶକ୍ତିଶାଳୀ ଅନୁଷ୍ଠାନ ଭାବରେ ଠିଆ ହୋଇଛି।
ଗତ ଦଶନ୍ଧିରେ ଭାରତୀୟ ରେଳପଥ ପରିବେଶଗତ ଦାୟିତ୍ୱକୁ ଭିତ୍ତିଭୂମି ଯୋଜନା, ଷ୍ଟେସନ ପରିଚାଳନା, ରୋଲିଂ ଷ୍ଟକ୍ ଏବଂ ଭୂମି ବ୍ୟବହାରରେ ସମନ୍ୱିତ କରି ଏହାର କାର୍ଯ୍ୟକୁ ସୁବ୍ୟବସ୍ଥିତ ଭାବରେ ପରିବର୍ତ୍ତନ କରିଛି। ଆଜି, ଏହା ପରିବେଶ ଅନୁକୂଳ ପରିବହନ କ୍ଷେତ୍ରରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।
ସବୁଜିମା ସହ ସୁରକ୍ଷିତ ଯାତ୍ରା: ବନୀକରଣ ପଦକ୍ଷେପ ଦ୍ବାରା ରେଳମାର୍ଗର ରୁପାନ୍ତରଣ
ଭାରତୀୟ ରେଳବାଇର ବୃକ୍ଷରୋପଣ ଅଭିଯାନ ସମସ୍ତ ଜୋନରେ କାର୍ଯ୍ୟକାରୀ ହେଉଛି, ଯାହା ପରିବେଶ ସୁରକ୍ଷାପାଇଁ ଏକ ସମନ୍ୱିତ ଦେଶବ୍ୟାପୀ ପ୍ରୟାସକୁ ପ୍ରତିନିଧିତ୍ୱ କରୁଛି। ୨୦୨୫-୨୬ରେ ରେଳବାଇ ଦ୍ବାରା ରୋପଣ କରାଯାଇଥିବା ମୋଟ ୮୧.୫୯ ଲକ୍ଷ ଚାରା ମଧ୍ୟରୁ, ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ପକ୍ଷରୁ ୯.୩ ଲକ୍ଷ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ୯ ଲକ୍ଷ, ଉତ୍ତର ପୂର୍ବ ରେଳବାଇ ପକ୍ଷରୁ ୮.୭ ଲକ୍ଷଏବଂ ଉତ୍ତର ରେଳବାଇ ପକ୍ଷରୁ ୮.୫ ଲକ୍ଷ ରୋପଣ କରାଯାଇଛି। ରେଳ ଧାରଣା ପାର୍ଶ୍ୱରେ, ଷ୍ଟେସନ ପରିସରରେ ଏବଂ ଉପଲବ୍ଧ ଅନ୍ୟାନ୍ୟ ଜମିରେ ବ୍ୟାପକ ବୃକ୍ଷରୋପଣ ବିଭିନ୍ନ ଅଞ୍ଚଳରେ ସବୁଜ ଆବରଣର ବିସ୍ତାର କରୁଛି। ଏହି ପଦକ୍ଷେପ ଅଙ୍ଗାରକ ନିର୍ଗମନ ହ୍ରାସ କରିବା, ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶଗତ ପରିସ୍ଥିତିରେ ଉନ୍ନତି ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ଫଳରେ ରେଳ ଯାତ୍ରା ଯାତ୍ରୀମାନଙ୍କ ପାଇଁ ଏକ ସବୁଜ ଏବଂ ସୁସ୍ଥ ଅଭିଜ୍ଞତା ହୋଇଥାଏ।
ଏହି ବ୍ୟାପକ ବୃକ୍ଷରୋପଣ ଅଭିଯାନ ପ୍ରାକୃତିକ କାର୍ବନ ସିଙ୍କ ଭାବରେ କାର୍ଯ୍ୟ କରି ଜଳବାୟୁ ନିରନ୍ତରତାକୁ ପ୍ରେତ୍ସାହିତ କରେ। ଏହା ଉଭୟ ଧ୍ବନି ଏବଂ ଧୂଳି ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ କରେ। ବର୍ଦ୍ଧିତ ସବୁଜ ଆବରଣ ଷ୍ଟେସନ ଏବଂ ରେଳ ରୁଟ ପରିପାର୍ଶ୍ୱର ମାଇକ୍ରୋକ୍ଲାଇମେଟ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାତ୍ରୀମାନଙ୍କ ପାଇଁ ଅଧିକ ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରେ।
ଏହା ବ୍ୟତୀତ, ରେଳ ଧାରଣା ନିକଟରେ ବୃକ୍ଷରୋପଣ, ଭିତ୍ତିଭୂମି ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଗଛ ମୂଳ ମାଟିକୁ ବାନ୍ଧି ରଖିବାରେ ସାହାଯ୍ୟ କରେ, ଯାହା ଦ୍ଵାରା କ୍ଷୟ ହ୍ରାସ ହୁଏ ଏବଂ ଭୂସ୍ଖଳନକୁ ରୋକାଯାଏ, ବିଶେଷକରି ପାହାଡିଆ ଏବଂ ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ଏହାର ବେଶ ଉପଯୋଗୀତା ରହିଛି। ସବୁଜ ଆବରଣ ଭୂପୃଷ୍ଠ ଜଳପ୍ରବାହକୁ ନିୟନ୍ତ୍ରଣ କରେ ଏବଂ ଜଳ ଶୋଷଣକୁ ବୃଦ୍ଧି କରେ, ଯାହା ଦ୍ଵାରା ରେଳଧାରଣା ଅସ୍ଥିରତାର ବିପଦ ହ୍ରାସ ପାଏ। ଏହି ପ୍ରକୃତି-ଆଧାରିତ ପଦକ୍ଷେପଗୁଡ଼ିକ କେବଳ ରେଳ ସମ୍ପତ୍ତିକୁ ସୁରକ୍ଷା ଦିଏ ନାହିଁ ବରଂ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଏବଂ ଅଧିକ ନିର୍ଭରଯୋଗ୍ୟ ଯାତ୍ରା ମଧ୍ୟ ସୁନିଶ୍ଚିତ କରେ।
ଜଳ : ସଂଚୟ, ରିସାଇକ୍ଲିଂ, ଅଡିଟିଙ୍ଗ ଓ ସଂରକ୍ଷଣ:
ଜଳ ଅଭାବ ଏକବିଂଶ ଶତାବ୍ଦୀର ଏକ ବଡ଼ ସମସ୍ୟାଭାବେ ଦେଖାଦେଇଛି। ନିଜର ସହ ଶହ ଓ୍ବାସିଂ ଲାଇନ୍‌, ମେଣ୍ଟେନାନ୍ସ ଡିପୋ, କ୍ୟାଟରିଂ ବିଭାଗ, ଯାତ୍ରୀ ସୁବିଧା ବାବଦରେ ରେଳବାଇ ପ୍ରତିଦିନ ଲକ୍ଷ ଲକ୍ଷ ଲିଟର ପାଣି ବ୍ୟବହାର କରେ। ଏହାକୁ ଦୃଷ୍ଟିରେ ରଖି ରେଳବାଇ ନିଜର ସବୁ ଜୋନରେ ଜଳ ବ୍ୟବହାରକୁ ସନ୍ତୁଳିତ କରିବାକୁ ଦୃଢ ଓ ମାପଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛି। ଏସବୁ ପଦକ୍ଷେପ ମଧ୍ୟରେ ରହିଛି ବର୍ଷାଜଳ ଅମଳ, ବର୍ଜ୍ୟଜଳ ପୁନଃଚକ୍ରଣ, ଜଳ ବ୍ୟବହାର ଅଡିଟ୍, ଏବଂ ରେଳବାଇ ଜମିରେ ଅବସ୍ଥିତ ପରିତ୍ୟକ୍ତ ଜଳାଶୟର ପୁନରୁଦ୍ଧାର।
ଛାତ-ଉପର ବୃଷ୍ଟିଜଳ ସଂରକ୍ଷଣ :
୨୦୧୬-୧୭ ମସିହାରୁ, ଭାରତୀୟ ରେଳବାଇ ଏହାର ସମସ୍ତ ଜୋନରେ ମୋଟ ୮,୩୧୩ଟି ଛାତ-ଉପର ବର୍ଷାଜଳ ଅମଳ ଢାଞ୍ଚା ସ୍ଥାପନ କରିଛି। କେବଳ ଗତ ଦୁଇ ବର୍ଷ ମଧ୍ୟରେ, ୨,୯୧୫ଟି ନୂତନ ଢାଞ୍ଚା ଯୋଡାଯାଇଛି । ଏହା ମଧ୍ୟରୁ ୨୦୨୪-୨୫ ମସିହାରେ ‘ଜଳ ସଂଚୟ ଜନ ଭାଗୀଦାରୀ ଅଭିଯାନ’ ଅଧୀନରେ ୧,୨୧୫ଟି ୟୁନିଟ୍ ସ୍ଥାପିତ ହୋଇଥିଲା। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଏହି ପଦକ୍ଷେପର ନେତୃତ୍ୱ ନେଇ ୩,୧୨୮ଟି ଢାଞ୍ଚା ସ୍ଥାପନ କରିଛି।
ବର୍ଷା ଋତୁରେ ବର୍ଷାଜଳ ଅମଳ କରି, ଏହି ଢାଞ୍ଚାଗୁଡ଼ିକ ଦ୍ୱିଗୁଣିତ ଉଦ୍ଦେଶ୍ୟ ସାଧନ କରେ: ଗୋଟିଏ ପଟେ, ସେଗୁଡ଼ିକ ଜଳବନ୍ଦୀକୁ ରୋକିଥାନ୍ତି, ଏବଂ ଅନ୍ୟ ପଟେ ଭୂତଳ ଜଳ ସ୍ତରକୁ ପୁନର୍ଭରଣ କରିବାରେ ସାହାଯ୍ୟ କରନ୍ତି। ରାଜସ୍ଥାନ ଭଳି ଜଳକ୍ଳିଷ୍ଟ ଅଞ୍ଚଳ କିମ୍ବା ଡେକାନର ବୃଷ୍ଟିଛାୟା ଅଞ୍ଚଳରେ, ଏହି ବ୍ୟବସ୍ଥାଗୁଡ଼ିକ ରେଳ ପରିଚାଳନା ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ଏହି ଜଳକୁ ରେଳବାଇ ପକ୍ଷରୁ ବ୍ୟବହାର କରାଯିବା ଦ୍ବାରା ପୌରସଂସ୍ଥା କିମ୍ବା ଟାଙ୍କି ମାଧ୍ୟମରେ ଯୋଗାଇଦିଆଯାଇଥିବା ଜଳ ବ୍ୟବହାର ଉପରେ ନିର୍ଭରଶୀଳତା ହ୍ରାସ ପାଇଛି।
ଜଳ ପୁନଃଚକ୍ରଣ ପ୍ଲାଣ୍ଟ :
ଭାରତୀୟ ରେଳବାଇ ନିଜର ସମସ୍ତ ଜୋନରେ ମୋଟ ୧୮୫ଟି ଜଳ ପୁନଃଚକ୍ରଣ (ରିସାଇକ୍ଲିଂ) ପ୍ଲାଣ୍ଟ ସ୍ଥାପନ କରିଛି। ୨୦୧୫-୧୬ ପୂର୍ବରୁ ଏପରି ମାତ୍ର ୨୧ଟି ପ୍ଲାଣ୍ଟ ଥିଲେ ମଧ୍ୟ, କେବଳ ଗତ ଆର୍ଥିକ ବର୍ଷରେ ୨୬ଟି ନୂତନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଉତ୍ତର ରେଳବାଇ ୨୭ଟି ପ୍ଲାଣ୍ଟ ସହିତ ସବୁଠାରୁ ଆଗୁଆ ରହିଛି। ଏହି ପ୍ଲାଣ୍ଟଗୁଡ଼ିକ ରେଳଡବା ପରିଷ୍କାର ଏବଂ ୟାର୍ଡ କାର୍ଯ୍ୟରୁ ନିର୍ଗତ ଜଳକୁ ବିଶୋଧନ ଓ ପୁନଃଚକ୍ରଣ କରି ପୁନଃବ୍ୟବହାର ପାଇଁ ଉପଯୁକ୍ତ କରିଥାଏ ଏବଂ ମଧୁର ଜଳ ବ୍ୟବହାରକୁ ଯଥେଷ୍ଟ ହ୍ରାସ କରିଥାଏ।
୨୦୧୯ ମସିହାରେ ଯେତେବେଳେ ଚେନ୍ନାଇରେ ଜଳ ସଙ୍କଟ ଦେଖାଦେଲା, ସେତେବେଳେ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଥିବା ରେଳ ଷ୍ଟେସନଗୁଡ଼ିକ ଗୁରୁତର ଅଭାବର ସମ୍ମୁଖୀନ ହେଲେ। ଏପରିସ୍ଥିତିରେ ବେସିନ୍ ବ୍ରିଜ୍ ଏବଂ ଏଗମୋରରେ ଥିବା ଦକ୍ଷିଣ ରେଳବାଇର ଜଳ ପୁନଃଚକ୍ରଣ ପ୍ଲାଣ୍ଟଗୁଡ଼ିକ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ଏହି ଜଳ କୋଚ୍ ଧୋଇବା ଏବଂ ପ୍ଲାଟଫର୍ମ ସଫା କରିବାରେ ବ୍ୟବହାର ହୋଇଥିଲା।
ଜଳ ଅଡିଟ୍:
୨୦୧୫-୧୬ ପରଠାରୁ ସମସ୍ତ ରେଳ ଜୋନରେ ମୋଟ ୧୯୪୪ଟି ଜଳ ଅଡିଟ୍ କରାଯାଇଛି, କେବଳ ୨୦୨୫-୨୬ରେ ୩୧୦ଟି ଅଡିଟ୍ ରେକର୍ଡ କରାଯାଇଛି, ଯାହା କୌଣସି ଗୋଟିଏ ବର୍ଷରେ ସର୍ବାଧିକ। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ୪୪୨ଟି ଅଡିଟ୍ ସହିତ ଆଗରେ ଅଛି, ତା’ପରେ ଉତ୍ତର ରେଳବାଇ (୩୨୩) ଏବଂ ପଶ୍ଚିମ ରେଳବାଇ (୨୧୬) ରହିଛି। ଏହି ଅଡିଟ୍ ଜଳ ବ୍ୟବହାର ହଟସ୍ପଟ୍, ପାଇପ୍ ଲିକେଜ୍ ଏବଂ ସିଷ୍ଟମ୍ ଅଦକ୍ଷତା ଚିହ୍ନଟ କରେ, ଯାହା ସଚେତନତାକୁ ଲକ୍ଷ୍ୟ ସଞ୍ଚୟରେ ପରିଣତ କରେ।
ଜଳାଶୟର ପୁନରୁଦ୍ଧାର:
ନିଜର ଆଭ୍ୟନ୍ତରୀଣ କାର୍ଯ୍ୟ ବ୍ୟତୀତ, ଭାରତୀୟ ରେଳବାଇ ନିଜସ୍ବ ଜମି କିମ୍ବା ଆଖପାଖରେ ଥିବା ୧୦୯ଟି ଜଳାଶୟ ଯେପରିକି ପୋଖରୀ, ଟାଙ୍କି ଓ ଆର୍ଦ୍ରଭୂମିର ପୁନରୁଦ୍ଧାର କରିଛି। ଏଗୁଡ଼ିକ ଅବ୍ୟବହୃତ, ଜବରଦଖଲ କିମ୍ବା ପରିତ୍ୟକ୍ତ ଅବସ୍ଥାରେ ଥିଲା। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ୩୪, ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳବାଇ ୪୪ ଏବଂ ପଶ୍ଚିମ ରେଳବାଇ ୧୧ ଜଳାଶୟର ପୁନରୁଦ୍ଧାର କରିଛନ୍ତି। ଏହି ପୁନରୁଦ୍ଧାରିତ ଜଳ ଉତ୍ସଗୁଡ଼ିକ ସ୍ଥାନୀୟ ଭୂତଳ ଜଳ ସ୍ତରକୁ ରିଚାର୍ଜ କରନ୍ତି, ଜୈବ ବିବିଧତା ବାସସ୍ଥାନ ସୃଷ୍ଟି କରନ୍ତି ଏବଂ ପ୍ରାକୃତିକ ଷ୍ଟର୍ମଓ୍ବାଟର ପରିଚାଳନା ପ୍ରଣାଳୀ ଭାବରେ କାର୍ଯ୍ୟ କରନ୍ତି, ଯାହାର ଲାଭ ରେଳ ସୀମା ବାହାରକୁ ଯାଇ ଆଖପାଖର ସମ୍ପ୍ରଦାୟ ପର୍ଯ୍ୟନ୍ତ ବିସ୍ତାରିତ ହୁଏ। ଜଳ ଉତ୍ସର ପୁନରୁଦ୍ଧାର ଅବ୍ୟବହୃତ କିମ୍ବା ଅବକ୍ଷୟ ହୋଇଥିବା ଜମିକୁ ପରିବେଶଗତ ସମ୍ପତ୍ତିରେ ପରିଣତ କରେ। ସେମାନେ ପ୍ରାକୃତିକ ଷ୍ଟର୍ମଓ୍ବାଟର ବଫର ଭାବରେ କାର୍ଯ୍ୟ କରନ୍ତି, ଯାହା ନିକଟସ୍ଥ ସମ୍ପ୍ରଦାୟଗୁଡ଼ିକୁ ବନ୍ୟା ଏବଂ ମରୁଡି ଉଭୟ ଦାଉରୁ ସୁରକ୍ଷା କରିଥାଏ।
ଅହମ୍ମଦାବାଦର କାଙ୍କରିଆରେ ଭାରତର ପ୍ରଥମ ଜଳ-ନିରପେକ୍ଷ ରେଳ ଡିପୋ:
ଅହମ୍ମଦାବାଦର ପଶ୍ଚିମ ରେଳବାଇ ଅଧୀନରେ କାଙ୍କରିଆ କୋଚିଂ ଡିପୋ ଏକ ମାଇଲଖୁଣ୍ଟ ହାସଲ କରିଛି ଯାହା ଭାରତରେ ଅନ୍ୟକୌଣସି କାରଖାନା ହାସଲ କରିପାରିନାହାନ୍ତି। ତାହା ହେଉଛି ସମ୍ପୂର୍ଣ୍ଣ ଜଳ ନିରପେକ୍ଷତା। ଏହି ଡିପୋ କୋଚ୍ ଧୋଇବା ଏବଂ ରକ୍ଷଣାବେକ୍ଷଣ ସମୟରେ ସୃଷ୍ଟି ହେଉଥିବା ପ୍ରାୟ ସମସ୍ତ ବର୍ଜ୍ୟଜଳର ଶୋଧନ ଏବଂ ପୁନଃବ୍ୟବହାର କରେ ଓ ବାହ୍ୟ ମଧୁର ଜଳ ଉତ୍ସ ଉପରେ ନିର୍ଭରତାକୁ ଦୂର କରେ।
ମିଶନ ବିଦ୍ୟୁତୀକରଣ: ଏକ ନିର୍ଣ୍ଣାୟକ ପରିବର୍ତ୍ତନ:
ଯଦି କୌଣସି ପରିବର୍ତ୍ତନ ଭାରତୀୟ ରେଳବାଇର ପରିବେଶଗତ ଚରିତ୍ରକୁ ମୌଳିକ ଭାବରେ ପରିବର୍ତ୍ତନ କରିଛି, ତାହା ହେଉଛି ଏହାର ବ୍ରଡ-ଗେଜ୍ ନେଟୱାର୍କର ଦ୍ରୁତ ବିଦ୍ୟୁତୀକରଣ। ଭାରତୀୟ ରେଳବାଇ ଏହାର ବ୍ରଡ-ଗେଜ୍ ନେଟୱାର୍କର ୯୯.୬% ବିଦ୍ୟୁତୀକରଣ କରିଛି। ମାର୍ଚ୍ଚ ୨୦୨୬ ସୁଦ୍ଧା, ୬୯୮୭୩ ରୁଟ୍ କିଲୋମିଟର (ଆରକେଏମ) ବିଦ୍ୟୁତୀକରଣ କରାଯାଇଛି – ଯାହା ୨୦୧୪ ରେ ମାତ୍ର ୨୧,୮୦୧ ଆରକେଏମ ଥିଲା।
ଭାରତୀୟ ରେଳବାଇ ୨୦୧୬-୧୭ ତୁଳନାରେ ୨୦୨୪-୨୫ ରେ ୧୭୮ କୋଟି ଲିଟର ଡିଜେଲ ସଞ୍ଚୟ କରିଛି, ଅର୍ଥାତ୍‌ ୬୨ ପ୍ରତିଶତ ସଂଚୟ କରିଛି। ପଶ୍ଚିମ ଏସିଆର ସଙ୍କଟ ମଧ୍ୟରେ, ଏହି ପଦକ୍ଷେପ ଅଶୋଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିଛି। ଡିଜେଲରୁ ନବୀକରଣୀୟ ଶକ୍ତି ଉତ୍ସ ଦ୍ୱାରା ଚାଳିତ ବିଦ୍ୟୁତକୁ ପରିବର୍ତ୍ତନ କେବଳ ଏକ ସବୁଜ ବିକଳ୍ପ ନୁହେଁ ବରଂ ଏହା ବିଶ୍ବ ତୈଳ ବଜାରର ଅସ୍ଥିରତାରୁ ରେଲବାଇକୁ ରକ୍ଷା କରୁଛି।
ଜୈବ-ଶୌଚାଳୟ: ରେଳରେ ପରିବେଶ ଅନୁକୂଳ ପରିମଳ:
ଭାରତୀୟ ରେଳବାଇ ଜୈବ-ଶୌଚାଳୟ ସ୍ଥାପନ କରି ପରିବେଶ ସୁରକ୍ଷା ଓ ଯାତ୍ରୀ ପରିମଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛି। ୨୦୧୪ ପରଠାରୁ, ଯାତ୍ରୀ କୋଚରେ ୩୬୬,୦୦୦ରୁ ଅଧିକ ଜୈବ-ଶୌଚାଳୟ ସ୍ଥାପନ କରାଯାଇଛି। ଏହି ପଦକ୍ଷେପ ରେଳ ଟ୍ରାକରେ ମାନବ ମଳର ସିଧାସଳଖ ନିଷ୍କାସନକୁ ଦୂର କରିଛି। ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି, ଏହି ବ୍ୟବସ୍ଥା ମାନବ ବର୍ଜ୍ୟକୁ ଅଣୁଜୀବ ପ୍ରକ୍ରିୟାକରଣ ମାଧ୍ୟମରେ ପାଣି ଏବଂ ଗ୍ୟାସରେ ପରିଣତ କରେ, ଯାହା ଦ୍ୱାରା ଦୁର୍ଗନ୍ଧ ଏବଂ ପ୍ରଦୂଷଣ ହ୍ରାସ କରେ, ଏବଂ ରେଳ ସମ୍ପତ୍ତିର କ୍ଷୟକୁ ମଧ୍ୟ ରୋକିଥାଏ।
ଏହି ପଦକ୍ଷେପ ମାଟି ଏବଂ ଟ୍ରାକର ପ୍ରଦୂଷଣକୁ ରୋକିବା, ରେଳ ଭିତ୍ତିଭୂମିରେ କ୍ଷୟ ସମସ୍ୟାକୁ ହ୍ରାସ କରିବା ଏବଂ ପରିବେଶ ଅନୁକୂଳ ଆବର୍ଜନା ପରିଚାଳନାକୁ ପ୍ରୋତ୍ସାହିତ କରି ପରିବେଶ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅପବ୍ୟବହାରର ସିଧାସଳଖ ନିଷ୍କାସନକୁ ରୋକିବା ଏବଂ ସ୍ଥାୟୀ ପରିମଳ ଅଭ୍ୟାସକୁ ସମର୍ଥନ କରି, ଭାରତୀୟ ରେଳବାଇ ଯାତ୍ରୀଙ୍କ ଆରାମକୁ ବୃଦ୍ଧି କରୁଛି ଏବଂ ତା’ସଙ୍ଗେ ଏକ ସ୍ୱଚ୍ଛ ପରିବେଶ ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ଯୋଗଦାନ ଦେଉଛି।
ନବୀକରଣୀୟ ଶକ୍ତି: ସୂର୍ଯ୍ୟ ଏବଂ ପବନ ସହିତ ଭବିଷ୍ୟତକୁ ଶକ୍ତି ପ୍ରଦାନ:
ଭାରତୀୟ ରେଳବାଇ ନବୀକରଣ ଶକ୍ତିକୁ ନିଜର ଦୀର୍ଘମିଆଦି ପରିଚାଳନା ରଣକୌଶଳର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ କରିଛି। ଡିସେମ୍ବର ୨୦୨୫ ସୁଦ୍ଧା, ପ୍ରାୟ ୯୦୯ ମେଗାଓ୍ବାଟ୍ କ୍ଷମତା ବିଶିଷ୍ଟ ସୌର ଶକ୍ତି ପ୍ଲାଣ୍ଟ ଏବଂ ମୋଟ ୧୦୩ ମେଗାଓ୍ବାଟ୍ ପବନ ଶକ୍ତି ପ୍ଲାଣ୍ଟ ସମଗ୍ର ରେଳ ନେଟୱାର୍କରେ କାର୍ଯ୍ୟକ୍ଷମ କରାଯାଇଛି। ଏହା ବ୍ୟତୀତ, ରେଳବାଇ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶର ଡେଭଲପରମାନଙ୍କ ସହିତ ସୌର, ପବନ ଏବଂ ହାଇବ୍ରିଡ୍ ଉତ୍ସ ମାଧ୍ୟମରେ ଅତିରିକ୍ତ ୩,୩୦୦ ମେଗାଓ୍ବାଟ୍ ନବୀକରଣୀୟ ଶକ୍ତି କ୍ଷମତା କ୍ରୟ କରିବା ପାଇଁ ଚୁକ୍ତି କରିଛି। ଏହି ପଦକ୍ଷେପ ଦୀର୍ଘକାଳୀନ ଶକ୍ତି ସୁରକ୍ଷା ଏବଂ ମୂଲ୍ୟ-ସ୍ଥିର ସବୁଜ ବିଦ୍ୟୁତ୍ କ୍ରୟ ଦିଗରେ ଏକ ସୁଚିନ୍ତିତ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରେ।
ଏଲ୍‌ଇଡି ଆଲୋକୀକରଣ: ଏକ ଦକ୍ଷ ଭାବରେ ଆଲୋକିତ ନେଟୱାର୍କ:
ଭାରତୀୟ ରେଳବାଇ ଏହାର ସମସ୍ତ କାର୍ଯ୍ୟାଳୟ, ଷ୍ଟେସନ ଏବଂ ଆବାସିକ କଲୋନୀରେ ଶତ ପ୍ରତିଶତ ଏଲଇଡି ଆଲୋକୀକରଣ ଲକ୍ଷ୍ୟ ସଫଳତାର ସହିତ ହାସଲ କରିଛି। ପାରମ୍ପରିକ ଆଲୋକ ବଦଳରେ ଏଲଇଡିର ବ୍ୟବହାର କେବଳ ବିଦ୍ୟୁତ୍ ବ୍ୟବହାର ହ୍ରାସ କରିନାହିଁ ବରଂ ଆଲୋକୀକରଣର ଗୁଣବତ୍ତା ମଧ୍ୟ ଉନ୍ନତ କରିଛି, ଯାହା ଦ୍ଵାରା ପ୍ରତୀକ୍ଷା ହଲ୍ ଏବଂ ପ୍ଲାଟଫର୍ମଗୁଡ଼ିକୁ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଏବଂ ଅଧିକ ଆନନ୍ଦଦାୟକ କରିଛି। ଏହା ମଧ୍ୟ ପରିବେଶ ସୁରକ୍ଷାରେ ସହାୟକ ହୋଇପାରିଛି।
ଶକ୍ତି ସଂରକ୍ଷଣ: ଏକ ଜାତୀୟ ଭିନ୍ନତା:
ଭାରତୀୟ ରେଳବାଇ ଶକ୍ତି ଦକ୍ଷତା କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ବ୍ୟକ୍ତିଗତ ପଦକ୍ଷେପରୁ ଆଗକୁ ବଢ଼ି, ରେଳବାଇ ଏହାର ସମଗ୍ର ବ୍ୟବସ୍ଥାରେ “ସଂରକ୍ଷଣ ସଂସ୍କୃତି” ସଫଳତାର ସହ ପ୍ରତିଷ୍ଠା କରିପାରିଛି। ଏହି ପ୍ରତିବଦ୍ଧତାର ପ୍ରମାଣ ସ୍ୱରୂପ, ଭାରତୀୟ ରେଳବାଇ ୨୦୨୫ ମସିହାରେ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର (ଏନଇସିଏ)ରେ ୩ଟି ଭିନ୍ନ ବର୍ଗରେ ମୋଟ ୭ଟି ପୁରସ୍କାର ହାସଲ କରିଥିଲା। ଏସବୁ ପୁରସ୍କାର କେବଳ ସାଂକେତିକ ନୁହେଁ, ବରଂ ଦେଶର ଶକ୍ତି ସଂରକ୍ଷଣ କ୍ଷେତ୍ରରେ ରେଳବାଇକୁ ଏକ ମାନଦଣ୍ଡରେ ପରିଣତ କରିଛି।
ଉପସଂହାର
ଭାରତର ପ୍ରତ୍ୟେକ ଅଂଚଳକୁ ସ୍ପର୍ଶ କରିବା ଓ ପ୍ରତ୍ୟେକ ବର୍ଗର ଜନସଂଖ୍ୟାକୁ ସେବାଯୋଗାଇବା ଭାରତୀୟ ରେଳବାଇର ଶକ୍ତି। ଏହି ଶକ୍ତି ସହ ଏକ ଗୁରୁ ଦାୟିତ୍ବ ମଧ୍ୟ ରହିଛି। ବିଦ୍ୟୁତୀକରଣ, ଜଳ ସଂରକ୍ଷଣ, ବନୀକରଣ, ପରିମଳ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତୀୟ ରେଳବାଇ ହାସଲ କରିଥିବା ଅଗ୍ରଗତି ଏକ ଭିତ୍ତିଭୂମି ଅଟେ। ରୋପଣ କରାଯାଇଥିବା ପ୍ରତ୍ୟେକ ଗଛ, ସଂରକ୍ଷଣ ହୋଇଥିବା ପ୍ରତି ଲିଟର ଜଳ ଏବଂ ସୂର୍ଯ୍ୟରୁ ଉତ୍ପାଦିତ ପ୍ରତ୍ୟେକ କିଲୋୱାଟ ବିଦ୍ୟୁତ୍ ସେହି ସବୁଜ ଭବିଷ୍ୟତ ଆଡ଼କୁ ଗୋଟିଏ ଗୋଟିଏ ପଦକ୍ଷେପ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking