ସୁଲେମାନିୟା : ଏଠାରେ ଚାଲିଥିବା ଏସିଆ କପ୍ ଷ୍ଟେଜ୍୍-୨ରେ ଭାରତୀୟ ଜୁନିୟର୍ ଆର୍ଚର୍ମାନେ ଦମ୍ଦାର ପ୍ରଦର୍ଶନ କରି ଆଠ ସ୍ୱର୍ଣ୍ଣ, ଚାରି ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ୍ ପଦକ ସହ ପଦକ ତାଲିକା ଶୀର୍ଷରେ ରହିଛନ୍ତି । ବୁଧବାର ଟୁର୍ଣ୍ଣାମେଣ୍ଟ୍ର ଅନ୍ତିମ ଦିନରେ ଭାରତ ପାଞ୍ଚଟି ସ୍ୱର୍ଣ୍ଣ, ଚାରି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ହାସଲ କରିଥିଲା । ସେହିପରି ଭାରତୀୟ ଆର୍ଚର୍ମାନେ ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ୍ ବିଭାଗରେ କ୍ଲିନ୍ ସ୍ୱିପ୍ କରିଥିଲେ । ପୂର୍ବରୁ ମଙ୍ଗଳବାର ଭାରତ କମ୍ପାଉଣ୍ଡ୍ ଇଭେଣ୍ଟ୍ରେ ତିନିଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତିଥିଲା ।
ଅନ୍ତିମ ଦିନରେ ରିକର୍ଭ ଆର୍ଚର୍ ମ୍ରିଣାଳ ଚୌହାନ୍ ଭାରତୀୟ ଚ୍ୟାଲେଞ୍ଜ୍ର ନେତୃତ୍ୱ ନେଇ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି କମ୍ପାଉଣ୍ଡ୍ ବିଭାଗରେ ପ୍ରଥମେଶ ଫୁଗେ ଆଧିପତ୍ୟ ଜାହିର କରି ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଫଳରେ ଗତ ମାର୍ଚ୍ଚରେ ବ୍ୟାଙ୍କକ୍ରେ ଅନୁଷ୍ଠିତ ଲେଗ୍-୧ରେ ଶୀର୍ଷସ୍ଥାନ ଅଧିକାର କରିଥିବା ବାଂଲାଦେଶକୁ ଭାରତ ଏଠାରେ ପଛରେ ପକାଇ ଦେଇଥିଲା । ଏସିଆନ୍ ହେଭିୱେଟ୍ ସାଉଥ୍ କୋରିଆ, ଚୀନ୍ ଓ ଚୀନା ତାଇପେଇ ଭାଗ ନେଇନଥିବା ଏହି କଣ୍ଟିନେଣ୍ଟାଲ୍ ଇଭେଣ୍ଟ୍କୁ ଭାରତ ଏକ ଜୁନିୟର୍ ଟିମ୍ ପଠାଇଥିଲା ।
ବୁଧବାର ଅନ୍ତିମ ଦିନରେ ଭଜନ କୌର୍, ଅଭନୀ ଓ ଲକ୍ଷ୍ମୀ ହେମ୍ବ୍ରମ୍ଙ୍କ ଭାରତୀୟ ମହିଳା ରିକର୍ଭ ଟିମ୍ ରୋମାଞ୍ଚର ଫାଇନାଲ୍ରେ ବାଂଲାଦେଶର ଅକ୍ତର ନସ୍ରିନ୍, ଦିୟା ସିଦ୍ଦିକି ଓ ବିଉଟି ରାୟଙ୍କ ଟିମ୍କୁ ହରାଇ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ବିଜୟୀ କରାଇଥିଲା । ପ୍ରଥମେ ୦-୨ରେ ପଛୁଆ ଥିବା ଭାରତ ପ୍ରତ୍ୟାବର୍ତ୍ତନ କରି ସ୍କୋର୍ ୪-୪ରେ ବରାବର କରିଥିଲା । ଫଳରେ ନିଷ୍ପତ୍ତି ପାଇଁ ଶୁଟ୍ଅଫ୍ର ସହାୟତା ନିଆଯାଇଥିଲା । ଏଥିରେ ମଧ୍ୟ ଉଭୟ ଟିମ୍ ସମାନ (୧୦-୧୦-୯) କରିଥିଲେ । ତେବେ ଗୋଟିଏ ଶଟ୍ ସେଣ୍ଟର୍ ନିକଟତର ଥିବାରୁ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ଅନ୍ୟପକ୍ଷରେ ପୁରୁଷ ରିକର୍ଭ ଟିମ୍ ଇଭେଣ୍ଟ୍ରେ ବାଂଲାଦେଶ ବିପକ୍ଷରେ ଭାରତୀୟ ଟିମ୍ ୫-୧ରେ ସହଜ ବିଜୟ ହାସଲ କରିଥିଲା । ପ୍ରଥମ ସେଟ୍ ୫୫-୫୫ ରହିବା ପରେ ପାର୍ଥ ସାଲୁଙ୍ଖେ, ମ୍ରିଣାଳ ଚୌହାନ୍ ଓ ଜୁୟେଲ୍ ସର୍କାର୍ଙ୍କ ଟିମ୍ ପରବର୍ତ୍ତୀ ଦୁଇଟି ସେଟ୍ ୫୭-୫୫, ୫୬-୫୪ରେ ଜିତି ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଇଥିଲା । ତେବେ ରିକର୍ଭ ମିକ୍ସଡ୍ ଟିମ୍ ଇଭେଣ୍ଟ୍ରେ ଭାରତ ଏହି ସଫଳତା ଦୋହରାଇ ପାରିନଥିଲା । ଫାଇନାଲ୍ରେ ସାଲୁଙ୍ଖେ ଓ ଭଜନଙ୍କ ଯୋଡ଼ି ୨-୦ରେ ଆଗୁଆ ରହିଥିଲେ ମଧ୍ୟ ଶେଷରେ ଉଜ୍ବେକିସ୍ତାନ ଯୋଡ଼ି ଅଦ୍ଦୁସାଟୋରୋଭା ଜିୟୋଦାଖୋନ୍ ଓ ଆମିର୍ଖାନ୍ ସାଦିକୋଭ୍ଙ୍କଠାରୁ ୪-୫ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା ।
ଅପରାହ୍ଣ ସେସନ୍ରେ ସାଲୁଙ୍ଖେ ପୁରୁଷ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟ୍ର ଫାଇନାଲ୍ରେ ସାଦିକୋଭ୍ଙ୍କ ୬-୪ରେ ହରାଇ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହା ସାଲୁଙ୍ଖେଙ୍କ ତୃତୀୟ ପଦକ ଥିଲା । ସେ ଟିମ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣ, ମିକ୍ସଡ୍ ଟିମ୍ ଇଭେଣ୍ଟ୍ରେ ରୌପ୍ୟ ପଦକ ଜିତିଥିଲେ । ମହିଳା ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟ୍ରେ ଭଜନ କୌର୍ ରୌପ୍ୟ ପଦକ ଜିତିଥିଲେ । ଫାଇନାଲ୍ରେ ମେହତା ଆବ୍ଦୋଲାହି ତାଙ୍କୁ ୬-୨ରେ ପରାସ୍ତ କରିଥିଲେ । ବୁଧବାର ଅନୁଷ୍ଠିତ ଏକତରଫା ଫାଇନାଲ୍ରେ ମ୍ରିଣାଳୟ ଚୌହାନ୍ ଶୀର୍ଷ ର୍ୟାଙ୍କିଙ୍ଗ୍ର ରିକର୍ଭ ଆର୍ଚର୍ ରୁମାନ୍ ଶାନା (ବିଶ୍ୱ ର୍ୟାଙ୍କିଙ୍ଗ୍ ୪୨)ଙ୍କୁ ୬-୨ରେ ହରାଇ ପୁରୁଷ ରିକର୍ଭ ଟାଇଟଲ୍ ଜିତିଛନ୍ତି । କମ୍ପାଉଣ୍ଡ୍ ବ୍ୟକ୍ତିଗତ ବିଭାଗରେ ସମସ୍ତ ଫାଇନାଲିଷ୍ଟ୍ ଭାରତୀୟ ଥିବାବେଳେ ସାକ୍ଷୀର ଚୌଧୁରୀ ୧୪-୧୩୮ରେ ପରନୀତ୍ କୌର୍ଙ୍କ ହରାଇ ମହିଳା ଟାଇଟଲ୍ ଜିତିଥିଲେ । ସେହିପରି ଦିନର ଅନ୍ତିମ ଇଭେଣ୍ଟ୍ରେ ଫୁଗେ ବିପର୍ଯ୍ୟୟ ଘଟାଇବା ସହ ଶୀର୍ଷ ର୍ୟାଙ୍କର କମ୍ପାଉଣ୍ଟ୍ ଆର୍ଚର୍ ଋଷଭ ଯାଦବ (ନଂ ୬୬)ଙ୍କୁ ଦୁଇ ପଏଣ୍ଟ୍ ବ୍ୟବଧାନ (୧୪୬-୧୪୪)ରେ ହରାଇ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଫୁଗେ ମଙ୍ଗଳବାର କମ୍ପାଉଣ୍ଡ୍ ଟିମ୍ ଏବଂ ମିକ୍ସଡ୍ ଟିମ୍ ଇଭେଣ୍ଟ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ ।