37.2 C
Bhubaneswar
Friday, April 19, 2024
Homeଓଡିଶାଗଣଶିକ୍ଷା ବିଭାଗରେ ବ୍ୟାପକ ପ୍ରିୟାପ୍ରୀତି: ବଦଳି ଲାଗି ଲବି ଚାଲେ ଜୋରଦାର

ଗଣଶିକ୍ଷା ବିଭାଗରେ ବ୍ୟାପକ ପ୍ରିୟାପ୍ରୀତି: ବଦଳି ଲାଗି ଲବି ଚାଲେ ଜୋରଦାର

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନିିତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଗଣଶିକ୍ଷା ବିଭାଗର ଆଉଏକ କାରନାମା ନଜରକୁ ଆସିଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ୫ଟି ନୀୟମକୁ ମାନୁଥିବା ବେଳେ ଗଣଶିକ୍ଷା ବିଭାଗ ମାତ୍ର ଏହାଠାରୁ ଉର୍ଦ୍ଧ୍ୱରେ ଥିବା ଅଭିଯୋଗ ହେଉଛି । ଏହା ଏକମାତ୍ର ବିଭାଗ ଯେଉଁଠି ବଦଳି ପ୍ରକ୍ରିୟାରେ ଆଦୌଂ ସ୍ୱଚ୍ଛତା ନଥିବାର ଅଭିଯୋଗ ହୋଇଥାଏ । ଏ କ୍ଷେତ୍ରରେ କାହାରି ନିଘା ବି ନାହିଁ । ବଦଳି ଲାଗି ଲବି ଜୋର ଦାର ହେଉଥିବା ବେଳେ ଏନେଇ ଲକ୍ଷାଧିକ ଟଙ୍କାର ଲାଞ୍ଚ କାରବାର ବି ହେଉଥିବା ଅନେକ ଶିକ୍ଷକ ଅଭିଯୋଗ କରିଛନ୍ତି ।
ତେବେ ଅଭିଯୋଗ ମୁତାବକ, ଉଚ୍ଚ ବିଦ୍ୟାଳୟସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ବଦଳିରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର କଡ଼ା ନିୟମ ଲାଗୁ କରିଛନ୍ତି । ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ ସହ ନିର୍ଧାରିତ ଫର୍ମ ପୂରଣ କରି ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୁହାଯାଉଛି । ୧୫ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଚାକିରି କରିବା, କୌଣସି ପ୍ରକାର ଗୁରୁତର ରୋଗ ତଥା ଟର୍ମିନାଲ ଡିଜିଜ୍‌ରେ ପୀଡ଼ିତ ଏବଂ ସ୍ୱାମୀ ଓ ସ୍ତ୍ରୀ ଗୋଟିଏ ସ୍ଥାନରେ ରହିବାକୁ ଚାହୁଥିବା କ୍ଷେତ୍ରରେ ବଦଳି ନିୟମ କାର୍ଯ୍ୟକାରୀ ହେବାର ନିୟମ ରହିଛି । ଏଥିପାଇଁ ପ୍ରତି ଶିକ୍ଷାବର୍ଷ ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ ହୁଏ । ଆବେଦନ ସରିବା ପରେ ଯୋଗ୍ୟତା ଅର୍ଜନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଏ । ଧାର୍ଯ୍ୟ ସମୟ ପରେ କୌଣସି ବଦଳି କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି । ମାତ୍ର ଗଣଶିକ୍ଷା ବିଭାଗରେ ଏହି ନିୟମ କେତେ କଡ଼ାକଡ଼ି ପାଳନ ହେଉଛି ତାହା ଏବେ ସାମ୍ନାକୁ ଆସିଛି । ଗତ ୨୭ ତାରିଖରେ ହାଇସ୍କୁଲସ୍ତରରେ ୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କିମ୍ବା ମୁତୟନ କରାଯାଇଛି । ୯ ଜଣଙ୍କୁ ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନରେ ମୁତୟନ କରାଯାଇଥିବା ବେଳେ ୧୧ ଜଣଙ୍କ ବଦଳି ହୋଇଛି । ୨୦୨୧-୨୨ ଶିକ୍ଷାବର୍ଷର ବଦଳି କ୍ୟାଲେଣ୍ଡର ସରିଯାଇଥିବା ବେଳେ ହଠାତ୍ ଏଭଳି ବଦଳି ପଛର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁମାନଙ୍କର ବଦଳି ହୋଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମୁଖ୍ୟତଃ ଭୁବନେଶ୍ୱର ଓ ପୁରୀରେ ଥଇଥାନ କରାଯାଇଛି । ୬ ଜଣଙ୍କର ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲକୁ ବଦଳି ହୋଇଛି । ଏମିତିକି ଦୁଇ ଜଣଙ୍କର ନିମାପଡ଼ା ବ୍ଲକରୁ କାକଟପୁର, କାକଟପୁର ବ୍ଲକରୁ ନିମାପଡ଼ାକୁ ବଦଳି ହୋଇଥିବା ଜଣାପଡ଼ିଛି । ୮ ଜଣଙ୍କୁ ଭୁବନେଶ୍ୱରର ବିଭିନ୍ନ ହାଇସ୍କୁଲକୁ ବଦଳି ଓ ମୁତୟନ କରାଯାଇଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି । ହଠାତ୍ ନିୟମ ବାହାରେ କିଭଳି ବଦଳି କରାଗଲା ତାହାକୁ ନେଇ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶ୍ନ ଉଠାଇଲେଣି । ଆଇନ ସମସ୍ତଙ୍କ ଲାଗି ସମାନ ହୋଇଥିବାରୁ କିଏ ଓ କାହା ସ୍ୱାର୍ଥରେ କେବଳ ୨୦ ଜଣଙ୍କ ବଦଳି କରାଯାଇଛି ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି । ଯଦି ସବୁ କିଛି ସ୍ୱଚ୍ଛତାରେ ଚାଲିଛି ତେବେ ପ୍ରଶାସନିକ କାର୍ଯ୍ୟ ଏବଂ ସ୍ୱାମୀ/ସ୍ତ୍ରୀ ଗ୍ରାଉଣ୍ଡରେ କାହିଁକି ନିର୍ଦ୍ଦିଷ୍ଟ କିଛି ଜଣଙ୍କ ବଦଳି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।
ବଦଳି ଓ ଅନ୍ୟତ୍ର ମୁତୟନ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ଥାନ ଦେଖିବା ତେବେ ବଲାଙ୍ଗୀରର ଡୁଙ୍ଗୁରିପାଲ୍ଲୀରୁ ବରଗଡ଼, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ, କଟକ ଜିଲ୍ଲା ତିଗିରିଆରୁ ଢେଙ୍କାନାଳ ଜିଲ୍ଲା ଭୁବନ, ନୂଆପଡ଼ା ଜିଲ୍ଲାରୁ ପୁରୀ ଜିଲ୍ଲାର ଗଦାଧର ହାଇସ୍କୁଲ, ସୋନପୁର ଜିଲ୍ଲା ତରଭାରୁ ବିନିକା ବ୍ଲକ, ରାୟଗଡ଼ା ଜିଲ୍ଲାର କୁମ୍ଭରାଧାମଣିରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ, କଟକ ନିଆଳିରୁ ପୁରୀ ଜିଲ୍ଲା ପିପିଲି ବ୍ଲକ, ଗଜପତିରୁ ନବରଙ୍ଗପୁର, ପୁରୀ ନୂଆଗାଁରୁ ଭୁବନେଶ୍ୱର ୟୁନିଟ୍‌-୯ ହାଇସ୍କୁଲ, କେନ୍ଦୁଝରରୁ ଯାଜପୁର, ଗଞ୍ଜାମର ହିଞ୍ଜିଳିକାଟୁରୁ ବାଲେଶ୍ୱରର ଖଇରାକୁ ବଦଳି କରାଯାଇଛି । ସେହିପରି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, ଗଞ୍ଜାମର ବେଗୁନିଆପଡ଼ା, ଖୋର୍ଧା ଜିଲ୍ଲାର ବାଣପୁର ଓ ଜଗତ୍‌ସିଂହପୁର ଏରସମାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ୱରସ୍ଥିତ ୟୁନିଟ୍‌-୧ ସରକାରୀ ହାଇସ୍କୁଲକୁ ବଦଳି କରାଯାଇଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁର ଧର୍ମଶାଳାରୁ ଭୁବନେଶ୍ୱର ପଟିଆ ହାଇସ୍କୁଲ, କଳାହାଣ୍ଡିରୁ ବାଲେଶ୍ୱର ସଦର ବ୍ଲକରେ ଥିବା ଏକ ହାଇସ୍କୁଲରେ ଶିକ୍ଷକଙ୍କୁ ମୁତୟନ କରାଯାଇଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି । ମାଟ୍ରିକ୍ ପରୀକ୍ଷା ପରେ ଏମାନେ ନୂତନ କାର୍ଯ୍ୟରେ ଯୋଗଦେବେ ବୋଲି କୁହାଯାଇଛି । ତେବେ ଏ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ଯୋଗାଯୋଗ କରିଥିଲେ ହେଁ ତାହା ସମ୍ଭବପର ହୋଇପାରି ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking