27.1 C
Bhubaneswar
Monday, January 13, 2025
Homeଖେଳରୋହିତ ଓ କାର୍ତ୍ତିକଙ୍କ ବିସ୍ପୋରକ ବ୍ୟାଟିଂ: ପ୍ରଥମ ଟି-୨୦ରେ ଭାରତର ବୃହତ୍ ବିଜୟ

ରୋହିତ ଓ କାର୍ତ୍ତିକଙ୍କ ବିସ୍ପୋରକ ବ୍ୟାଟିଂ: ପ୍ରଥମ ଟି-୨୦ରେ ଭାରତର ବୃହତ୍ ବିଜୟ

ତ୍ରିନିଦାଦ୍‌: ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ କ୍ଲିନ୍‌ସୁଇପ୍ କରିବା ପରେ ଭ୍ରମଣକାରୀ ଭାରତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଟି-୨୦ ସିରିଜ୍‌ରେ ମଧ୍ୟ ତା\’ର ବିଜୟ ଧାରା ଜାରି ରଖିଛି । ଦଳ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଅଧିନାୟକ ରୋହିତ ଶର୍ମା ଓ ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୬ ୱିକେଟ୍ ବିନିମୟରେ ୧୯୦ ରନ୍ କରିଥିଲା । ଜବାବରେ ଘରୋଇ ୱେଷ୍ଟ୍‌ଇଣ୍ଡିଜ୍ ୮ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ କରିବା ଫଳରେ ଭାରତ ବୃହତ୍ ୬୮ ରନ୍ ବ୍ୟବଧାନରେ ବିଜୟୀ ହୋଇଛି ।
ଓପନିଂରେ ଅଧିନାୟକ ରୋହିତ ଆଉ ଏକ ଗବେଷଣା କରିବାକୁ ଯାଇ ସୂର୍ଯ୍ୟକୁମାର ଯାଦବଙ୍କ ସହ ଇନିଂସ ଆରମ୍ଭ କରିଥିଲେ । ଉଭୟ ୪୪ ରନ୍ ଯୋଡ଼ିବା ପରେ ଇଣ୍ଡିଜ୍‌କୁ ପ୍ରଥମ ସଫଳତା ମିଳିଥିଲା । ସୂର୍ଯ୍ୟକୁମାର ୩ଟି ଚୌକା ଓ ଗୋଟିଏ ଛକା ସହ ୨୪ ରନ୍ କରି ସ୍ପିନର୍ ଆକିଲ୍ ହୋସେନ୍‌ଙ୍କ ବଲରେ ଆଉଟ୍ ହୋଇଥିଲେ । ଶ୍ରେୟସ୍ ଆୟର୍ ଶୂନରେ ବିଦାୟ ନେଇଥିଲେ ହେଁ ରୋହିତଙ୍କ ସାଥୀରେ ଋଷଭ ପନ୍ତ୍ ୪୩ ରନ୍‌ର ଭାଗୀଦାରୀ କରିଥିଲେ । ପନ୍ତ୍ ୨ଟି ଚୌକା ସହାୟତାରେ ୧୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କ ପରେ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧ ରନ୍ କରି ଡେବ୍ୟୁଟାଣ୍ଟ୍ ଆଲ୍‌ଜାରି ଜୋସେଫ୍‌ଙ୍କ ପ୍ରଥମ ଟି-୨୦ ଶିକାର ବନିଥିଲେ । ଦଳୀୟ ସ୍କୋର୍ ୧୨୭ ଥିବା ସମୟରେ ରୋହିତ ଆଉଟ୍ ହୋଇଥିଲେ । ସେତେବେଳକୁ ସେ ୭ଟି ଚୌକା ଓ ୨ଟି ଛକା ସହ ୬୪ ରନ୍ କରିସାରିଥିଲେ ।

ରବୀନ୍ଦ୍ର ଜାଡେଜା ୨ଟି ଚୌକା ସହ ୧୬ ରନ୍ କରି ଆଉଟ୍ ହେବା ପରେ ସପ୍ତମ ୱିକେଟ୍‌ରେ କାର୍ତ୍ତିକ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଅବିଭାଜିତ ୫୨ ରନ୍‌ର ଭାଗୀଦାରୀ କରିଥିଲେ । ଉଭୟ ଅନ୍ତିମ ୪ ଓଭର୍‌ରେ ଏହି ରନ୍ ସଂଗ୍ରହ କରିଥିଲେ । କାର୍ତ୍ତିକ ବିଶେଷ ଭାବେ ଆକ୍ରମଣାତ୍ମକ ଇନିଂସ ଖେଳି ମାତ୍ର ୧୯ଟି ବଲ୍‌ରେ ୪୧ ରନ୍‌ର ବିଧ୍ୱଂସୀ ଇନିଂସ ଖେଳିଥିଲେ । ତାଙ୍କର ଏହି ଅପରାଜିତ ଇନିଂସରେ ୪ଟି ଚୌକା ଓ ୨ଟି ଛକା ରହିଥିଲା । ଏହାଛଡ଼ା ଅଶ୍ୱିନ୍ ଗୋଟିଏ ଛକା ସହ ୧୩ ରନ୍‌ର ଯୋଗଦାନ ଦେଇଥିଲେ । ଇଣ୍ଡିଜ୍ ପକ୍ଷରୁ ଜୋସେଫ୍ ୨ଟି ୱିକେଟ୍ ନେଇଥିବା ବେଳେ ଓବେଦ୍ ମ୍ୟାକ୍‌କୟ, ଜେସନ୍ ହୋଲ୍‌ଡର୍‌, ହୋସେନ୍ ଓ କୀମୋ ପଲ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

୧୯୧ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବା ସକାଶେ ଇଣ୍ଡିଜ୍ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଦ୍ୱିତୀୟ ଓଭର୍‌ରେ ଯୁବ ପେସର୍ ଅର୍ଶଦୀପ ସିଂହ ଓପନର କାଇଲ୍ ମାୟେର୍ସଙ୍କୁ ଆଉଟ୍ କରି ଘରୋଇ ଦଳକୁ ଝଟ୍‌କା ଦେଇଥିଲେ । ସେତେବେଳକୁ ଓପନର ମାୟେର୍ସ ୬ଟି ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୧୫ ରନ୍ କରିସାରିଥିଲେ । ବ୍ୟାଟିଂ କ୍ରମରେ ଉନ୍ନତି ପାଇଥିଲେ ହେଁ ଜେସନ୍ ହୋଲ୍‌ଡର୍ ଖାତା ବି ଖୋଲିପାରି ନଥିଲେ । ଭାରତୀୟ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ଅକ୍ତିଆର କରିବା ଫଳରେ ଇଣ୍ଡିଜ୍ ପାଇଁ ବିଜୟ ଲକ୍ଷ୍ୟ କଷ୍ଟସାଧ୍ୟ ହୋଇପଡ଼ିଥିଲା । ଅନ୍ୟତମ ଓପନର ଶମାର ବ୍ରୁକ୍ସ ୨ଟି ଚୌକା ଓ ଗୋଟିଏ ଛକା ସହ ୨୦, ପଲ୍ ୨ଟି ଚୌକା ସହାୟତାରେ ୧୯, ଅଧିନାୟକ ନିକୋଲାସ୍ ପୂରନ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୮, ରୋଭମାନ୍ ପାୱେଲ୍ ଗୋଟିଏ ଛକା ସହ ୧୪, ଶିମରୋନ୍ ହେଟମେୟର୍ ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୪ ଏବଂ ହୋସେନ୍ ଗୋଟିଏ ଛକା ଜରିଆରେ ୧୧ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ, ଅଶ୍ୱିନ୍ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଏବଂ ଭୁବନେଶ୍ୱର କୁମାର ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking