ନୂଆଦିଲ୍ଲୀ: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡକୁ ଗୋଟିଏ ଇନିଂସ ଓ ୨୫ ରନର ବିଶାଳ ଅନ୍ତରରୁ ୩-୧ରେ କବଜା କରିବା ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ବି ନିଜ ଜାଗା ବନାଇପାରିଛି । ସେଠାରେ ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ । ପ୍ରଥମ ଇନିଂସରେ ୨୦୫ ରନ କରିଥିବା ଇଂଲଣ୍ଡ ନିଜର ୨ୟ ଇନିଂସରେ ମାତ୍ର ୧୩୫ ରନ କରି ଅଲଆଉଟ ହୋଇଯାଇଛି । ଡାନିଏଲ ଲରେନ୍ସଙ୍କ ଅର୍ଦ୍ଧଶତକ ବ୍ୟତୀତ ଅନ୍ୟ କୌଣସି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରିନଥିଲେ । ଭାରତର ୨ଦୁଇ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ ୫ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଅକ୍ଷର ପଟେଲ ୪୩ ରନ କରି ରନଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଶୂନ ରନରେ ଆଉଟ ହୋଇଯାଇଥିଲେ ।