33.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଭାରତ-ସିଙ୍ଗାପୁର ଅନ୍‌ଲାଇନ୍ ପେମେଣ୍ଟ ସିଷ୍ଟମ କାର୍ଯ୍ୟକ୍ଷମ

ଭାରତ-ସିଙ୍ଗାପୁର ଅନ୍‌ଲାଇନ୍ ପେମେଣ୍ଟ ସିଷ୍ଟମ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ଓ ସିଙ୍ଗାପୁର ମଧ୍ୟରେ ଅନ୍‌ଲାଇନ୍ ପେମେଣ୍ଟ ସିଷ୍ଟମକୁ କାର୍ଯ୍ୟକାରୀ କରାଯାଇଛି । କୌଣସି ବିଦେଶୀ ରାଷ୍ଟ୍ର ସହ ଭାରତର ଏଭଳି ଅନ୍‌ଲାଇନ ପେମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯିବାରେ ଏହା ପ୍ରଥମ ବୋଲି ଜଣାପଡିଛି । ଏହି ପ୍ରକ୍ରିୟାରେ ଭାରତର ୟୁପିଆଇ ଏବଂ ସିଙ୍ଗାପୁରର ପେନାଓ ବ୍ୟବସ୍ଥା ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ସ୍ଥାପନ କରାଯାଇଛି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ । ଏହି ବ୍ୟବସ୍ଥା ଫଳରେ ବର୍ତ୍ତମାନ ଦୁଇ ଦେଶର ନାଗରିକମାନେ କ୍ୟୁଆର୍ କୋଡ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥିବା ମୋବାଇଲ ଫୋନ ଜରିଆରେ ଟଙ୍କା ଦେଣନେଣ କାରବାର କରିପାରିବେ ବୋଲି କୁହାଯାଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବର୍ଣ୍ଣନା କରିବା ସହ ମୋଦୀ କହିଛନ୍ତି ଯେ ଭାରତ-ସିଙ୍ଗାପୁର ମଧ୍ୟରେ ଥିବା ବୈଷୟିକ ଜ୍ଞାନକୌଶଳକୁ ନୂତନ ଶିଖରରେ ପହଞ୍ଚାଇବ । ପୁନଶ୍ଚ ସ୍ୱଳ୍ପ ଖର୍ଚ୍ଚରେ ଦୁଇ ଦେଶର ଲୋକେ ଟଙ୍କା କାରବାର କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି ଉତ୍ସବରେ ଭାରତ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ସିଙ୍ଗାପୁର ମନିଟାରୀ ଅଥରିଟୀର ପରିଚାଳନା ନିର୍ଦ୍ଦେଶକ ରବି ମେନନ ପୌରହିତ୍ୟ କରିଥିଲେ । ଫିନ୍‌ଟେକ୍ ଇକୋସିଷ୍ଟମକୁ ତ୍ୱରାନ୍ୱିତ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ମୋଦୀଙ୍କ ଶାସନକାଳରେ ଭାରତରେ ପ୍ରଥମ ଥର ପାଇଁ ଡିଜିଟାଲ ପେମେଣ୍ଟ ସିଷ୍ଟମକୁ କାର୍ଯ୍ୟକାରୀ କରାଯାଇଛି । ବର୍ତ୍ତମାନ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌)କୁ କେବଳ ଦେଶ ମଧ୍ୟରେ ସୀମିତ ନରଖି ବିଦେଶରେ ପ୍ରଚଳନ କରିବାକୁ ମୋଦୀ ସରକାର ତତ୍ପରତା ପ୍ରକାଶ କରୁଛନ୍ତି । ବର୍ତ୍ତମାନ ସିଙ୍ଗାପୁର ସହ ଏହି ସିଷ୍ଟ କାର୍ଯ୍ୟକାରୀ ହେବାଫଳରେ ସେଠାରେ ବାସ କରୁଥିବା ପ୍ରବାସୀ ଭାରତୀୟ ଶ୍ରମିକ, ଛାତ୍ରଛାତ୍ରୀ ବିଶେଷଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଚଳିତବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିଦେଶାଗତ ପ୍ରତିନିଧି ଓ ପର୍ଯ୍ୟଟକଙ୍କ ପାଇଁ ଦେଶର ନିର୍ଦ୍ଦିଷ୍ଟ ଏୟାରପୋର୍ଟରେ ୟୁପିଆଇ ସୁବିଧା ପ୍ରଚଳନ କରାଯିବ ବୋଲି ଗଭର୍ଣ୍ଣର ଶ୍ରୀ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking