ଡୋମିନିକା : ଆଜିଠାରୁ ଏଠାକାର ୱିଣ୍ଡ୍ସୋର୍ ପାର୍କ ଷ୍ଟାଡିୟମ୍ଠାରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ । ଗୋଟିଏ ପଟେ ସିରିଜ୍ରେ ବିଜୟୀ ହୋଇ ଘରୋଇ ଦଳ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଯୋଗ୍ୟତା ପାଇବାରୁ ବଞ୍ଚିତ ହେବାର ଗ୍ଳାନିକୁ ଭୁଲିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଇଣ୍ଡିଜ୍ ବିପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ୨୧ ବର୍ଷର ଅପରାଜେୟ ଧାରା ବଜାୟ ରଖିବା ଉଦ୍ଦେଶ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଭାରତ ଗତ ୨୦୦୨-୦୩ଠାରୁ ଅଦ୍ୟାବଧି ଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ୮ଟି ସିରିଜ୍ରେ ଅପରାଜେୟ ରହିଛି । ଇଣ୍ଡିଜ୍ ଶେଷ ଥର ପାଇଁ ଗତ ୨୦୦୨ରେ ନିଜ ମାଟିରେ ଭାରତକୁ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ରେ ୨-୧ରେ ମାତ୍ ଦେଇଥିଲା । ବୁଧବାରଠାରୁ ଉଭୟ ଇଣ୍ଡିଜ୍ ଓ ଭାରତ ଦୁଇବର୍ଷିଆ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି)ର ତୃତୀୟ ସଂସ୍କରଣରେ ସେମାନଙ୍କ ଅଭିଯାନ ମଧ୍ୟ ଆରମ୍ଭ କରିବେ । ଏହି ସଂସ୍କରଣର ଫାଇନାଲ୍ ଆସନ୍ତା ୨୦୨୫ରେ ଖେଳାଯିବ । ଭାରତ ଏହି ଚାମ୍ପିଅନ୍ଶିପ୍ର ଗତ ୨ଟି ସଂସ୍କରଣର ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ପ୍ରଥମେ ୨୦୨୧ରେ ନ୍ୟୁଜିଲାଣ୍ଡ୍ ଓ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାସ୍ତ ହୋଇଛି । ତେଣୁ ଇଣ୍ଡିଜ୍ ବିପକ୍ଷ ଆଗାମୀ ଟେଷ୍ଟ୍ ସିରିଜ୍ରେ ଉନ୍ନତ ପ୍ରଦର୍ଶନ ପୂର୍ବକ ଭାରତ ଦମ୍ଦାର ପ୍ରତ୍ୟାବର୍ତ୍ତନ ଆଶା ରଖିଛି ।
ଚଳିତ ମାସ ପ୍ରାରମ୍ଭରେ ଦି ଓଭାଲ୍ଠାରେ ଖେଳାଯାଇଥିବା ଡବ୍ଲ୍ୟୁଟିସି ଫାଇନାଲ୍ରେ ସ୍ଥାନ ପାଇଥିବା ଖେଳାଳିଙ୍କ ମଧ୍ୟରୁ ଚେତେଶ୍ୱର ପୂଜାରାଙ୍କୁ ବାଦ୍ ଦିଆଯାଇଛି । ଏହାଛଡ଼ା ଅଭିଜ୍ଞ ପେସର୍ ମହମ୍ମଦ ଶମି ମଧ୍ୟ ବିଶ୍ରାମ ନେଇଛନ୍ତି । ଏହା ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସ୍ୱାଲ୍ ଓ ଋତୁରାଜ ଗାଏକ୍ୱାଡ୍ଙ୍କ ମଧ୍ୟରୁ ଜଣକୁ ଟେଷ୍ଟ୍ ଡେବ୍ୟୁ ସୁଯୋଗ ମିଳିବ । ସେହିପରି ପେସ୍ ବାହିନୀରେ ଜୟଦେବ ଉନାଦକତ୍ ଓ ନବଦୀପ ସୈନୀଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ, ତା’ ଟସ୍ ପରେ ସ୍ପଷ୍ଟ ହେବ । ସିରିଜ୍ରେ ଭାରତର ବୋଲିଂ ଲାଇନ୍ରେ ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ । ୧୧ଟି ଟେଷ୍ଟ୍ରେ ୬୦ଟି ୱିକେଟ୍ ନେଇଥିବା ଅଶ୍ୱିନ୍ ଇଣ୍ଡିଜ୍ ବିପକ୍ଷରେ ବେଶ୍ ସଫଳ ରହିଛନ୍ତି । ତା’ଛଡ଼ା ବ୍ୟାଟିଂରେ ମଧ୍ୟ ସେ ୫୦ରୁ ଊର୍ଦ୍ଧ୍ୱ ହାରରେ ୫୫୨ ରନ୍ କରିଛନ୍ତି, ଯେଉଁଥିରେ ୪ଟି ଶତକ ରହିଛି । ତେଣୁ ଅଧିନାୟକ ରୋହିତ ଆଗାମୀ ୨ଟି ମ୍ୟାଚ୍ରେ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରିବେ । ଦଳକୁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ତଥା ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଫେରିଥିବାରୁ ବ୍ୟାଟିଂ ଲାଇନ୍କୁ ଶକ୍ତି ମିଳିଛି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଯଶସ୍ୱୀ ଜୈସ୍ୱାଲ୍/ଋତୁରାଜ ଗାଏକ୍ୱାଡ୍, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ୍ ଭରତ (ୱିକେଟ୍କିପର୍), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ୍ ଠାକୁର, ମହମ୍ମଦ ସିରାଜ୍ ଓ ଜୟଦେବ ଉନାଦକତ୍/ନବଦୀପ ସୈନୀ ।
ସମ୍ଭାବ୍ୟ ଇଣ୍ଡିଜ୍ ଏକାଦଶ: କ୍ରେଗ୍ ବ୍ରେଥ୍ୱେଟ୍ (ଅଧିନାୟକ), ଟାଙ୍ଗେରିନ୍ ଚନ୍ଦରପଲ୍, କିର୍କ ମ୍ୟାକ୍କେଞ୍ଜି, ଆଲିକ୍ ଆଥାନେଜ୍, ଜର୍ମେନ୍ ବ୍ଲାକ୍ଉଡ୍, ରହକିମ୍ କର୍ନୱାଲ୍, ଜେସନ୍ ହୋଲ୍ଡର୍, ଜୋଶୁଆ ଡା ସିଲ୍ଭା (ୱିକେଟ୍କିପର୍), ଶାନନ୍ ଗାବ୍ରିଏଲ୍/ଜୋମେଲ୍ ୱାରିକାନ୍, ଆଲଜାରି ଓ କେମାର୍ ରୋଚ୍ ।