28.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶସଂସଦରେ ପୁଣି ମଣିପୁର ତାତି, ଉଭୟ ଗୃହ ମୁଲତବୀ

ସଂସଦରେ ପୁଣି ମଣିପୁର ତାତି, ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗ ନେଇ ସୋମବାର ସଂସଦର ଉଭୟ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଛନ୍ତି । ଫଳରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗହେଉଛି ଗୃହରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା କାରଣରୁ ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରାଯାଇଛି । ସୋମବାର ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ ହେବାପରେ ସଞ୍ଜୟ ବାରମ୍ବାର ଗୃହର ମଧ୍ୟଭାଗକୁ ଆସି ମଣିପୁର ପ୍ରସଙ୍ଗରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀନ ଧନ୍‌କର ତାଙ୍କୁ ଚେତାବନୀ ଦେବା ସହିତ ଏଭଳି ଆଚରଣରୁ କ୍ଷାନ୍ତ ରହିବାକୁ ବାରମ୍ବାର ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅମାନ୍ୟ କରିଥିବା ଅଭିଯୋଗରେ ରାଜ୍ୟସଭାରେ ବିଜେପି ଦଳର ନେତା ପୀୟୂଷ ଗୋୟଲ ସଞ୍ଜୟଙ୍କ ନିଲମ୍ବନ ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ ।

ଏହା ଗୃହୀତ ହେବାପରେ ଅଧ୍ୟକ୍ଷ ସଞ୍ଜୟଙ୍କୁ ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ନିଲମ୍ବନ ଆଦେଶ ଦେଇଛନ୍ତି । ଅଧ୍ୟକ୍ଷଙ୍କ ଏଭଳି ନିର୍ଦ୍ଦେଶକୁ ସମସ୍ତ ବିରୋଧୀ ଦଳ ସମାଲୋଚନା କରିଛନ୍ତି । ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ସେମାନେ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି । ନିଲମ୍ବିତ ହେବାପରେ ମଧ୍ୟ ସଞ୍ଜୟ ଗୃହରେ ପାଟିତୁଣ୍ଡ ଜାରି ରଖିଥିବା ଲକ୍ଷ୍ୟ କରାଯାଇଥିଲା । ସୂଚନାଯୋଗ୍ୟ ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉଭୟ ଗୃହରେ ମଣିପୁର ପ୍ରସଙ୍ଗ ନେଇ ବିରୋଧୀ ଦଳଗୁଡିକ ପ୍ରବଳ ହୋ ହାଲ୍ଲା ଚଳାଇଛନ୍ତି । ଫଳରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବାବେଳେ ବାରମ୍ବାର ଉଭୟ ଗୃହକୁ ମୁଲତବୀ ରଖାଯାଉଛି । ମଣିପୁର ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦାବି କରିଆସୁଛନ୍ତି । ତେବେ ମୋଦୀ ଏପର୍ଯ୍ୟନ୍ତ ବିବୃତି ରଖିନଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking