27.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶଉତ୍ତର ଭାରତରେ ସୁଧୁରୁନି ବନ୍ୟା ସ୍ଥିତି; ମୃତ୍ୟୁସଂଖ୍ୟା ଶହ ଟପିଲା, ଲକ୍ଷାଧିକ ବାସଚ୍ୟୁତ

ଉତ୍ତର ଭାରତରେ ସୁଧୁରୁନି ବନ୍ୟା ସ୍ଥିତି; ମୃତ୍ୟୁସଂଖ୍ୟା ଶହ ଟପିଲା, ଲକ୍ଷାଧିକ ବାସଚ୍ୟୁତ

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଗତ ଶନିବାରଠାରୁ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଅପରିବର୍ତ୍ତିତ ରହିଛି । ବୁଧବାର ସୁଦ୍ଧା ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳରେ ବନ୍ୟା ସ୍ଥିତି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଇତିମଧ୍ୟରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ଏକ ଶହ ଅତିକ୍ରମ କରିଥିବାବେଳେ ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇସାରିଲେଣି । କ୍ରମାଗତ ଚତୁର୍ଥ ଦିନ ଧରି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଲାଗି ରହିଛି । ହିମାଚଳ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଜଳ ପ୍ରବାହିତ ହେଉଥିବାବେଳେ ଏହା ନଦୀର ଭ୍ରମ ସୃଷ୍ଟି କରୁଛି । ପାହାଡରୁ ଖସୁଥିବା ବିରାଟକାୟ ପଥରଖଣ୍ଡ ଏବଂ ନଦୀର ପ୍ରଖର ସ୍ରୋତରେ ସାମନାକୁ ଆସୁଥିବା କୌଣସି ବ୍ୟକ୍ତି କିମ୍ବା ବାସଭବନ, ଯାନବାହନ ସତ୍ତା ହରାଉଥିବା ଲକ୍ଷ୍ୟ କରାଯାଇଛି । ବୁଧବାର ସୁଦ୍ଧା ହିମାଚଳରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି ।

ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବୁଧବାର ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ କୁଲ୍ଲୁସ୍ଥିତ ରିଲିଫ୍ ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କ ଦୁଃଖଦୁର୍ଦ୍ଦଶା ପଚାରି ବୁଝିଛନ୍ତି । ବନ୍ୟା ଯୋଗୁଁ ପ୍ରାୟ ୪୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ହିମାଚଳ ଏବଂ ଉତ୍ତରାଖଣ୍ଡର ୩ଟି ଜିଲ୍ଲା ପାଇଁ ରେଡ୍‌ଆଲର୍ଟ ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବାକୁ ଉତ୍ତରାଖଣ୍ଡ ସରକାର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ବୁଧବାର ଉତ୍ତରାଖଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସାତଜଣ ନିଖୋଜ ଥିବା ସରକାରୀଭାବେ କୁହାଯାଇଛି । ପଞ୍ଜାବ ଓ ହରିୟାଣାରେ ବନ୍ୟାରେ ଏପର୍ଯ୍ୟନ୍ତ ମୋଟ ୧୮ ଜଣଙ୍କର ପ୍ରାଣହାନି ଘଟିଛି । ପଞ୍ଜାବର ପଟିଆଲା, ରୁପନଗର, ମୋଗା, ମୋହାଲି, ସହସ୍ର ବୁଦ୍ଧ ନଗର ଏବଂ ଫତେଗଡ ସାହିବ ଜିଲ୍ଲାରୁ ପ୍ରାୟ ୧୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ପ୍ରଭାବିତ ଅଞ୍ଚଳରେ ଡାକ୍ତରୀ ଶିବିର ପ୍ରତିଷ୍ଠା କରାଯାଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ସେନା ଓ ଏନ୍‌ଡିଆର,ଫ୍ ଯବାନଙ୍କୁ ମୁତୟନ କରାଯାଇଛି । ତେବେ ରାଜ୍ୟର ସବୁ ଡ୍ୟାମ୍ ସୁରକ୍ଷିତ ରହିଛି ଏବଂ ପ୍ରମୁଖ ନଦୀଗୁଡିକର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ଜଣାପଡିଛି । ବନ୍ୟା ଯୋଗୁଁ ଏକର ଏଜର ଜମି ଜଳମଗ୍ନ ହୋଇପଡିଥିବାବେଳେ ଚାଷକାର୍ଯ୍ୟ ଉଜୁଡି ଯାଇଥିବା କୁହାଯାଇଛି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ବନ୍ୟା ପରିସ୍ଥିତି ସମୀକ୍ଷା କରିଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ମ୍ୟନ୍ତ ଚୌତାଲା ଟ୍ରାକ୍ଟର ଚଳାଇ ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିଥିବା ଜଣାପଡିଛି । ବନ୍ୟା ଯୋଗୁଁ ପଞ୍ଜାବ ଓ ହରିୟାଣାରେ ପନିପରିବା ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଉଭୟ ପଞ୍ଜାବ ଓ ହରିୟାଣାରେ ଟ୍ରେନ୍ ସେବା ଏବେମଧ୍ୟ ସ୍ୱାଭାବିକ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking