ପଶ୍ଚିମବଙ୍ଗକୁ ବେଆଇନ ଓଭରଲଡିଂ ବାଲି ଚୋରା ଚାଲାଣ ବିରୋଧରେ ରାସ୍ତା ଅବରୋଧ

 
ମୟୂରଭଞ୍ଜ ( ଘାସିରାମ ବେହେରା) ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାରେ ବିଫଳ ହୋଇଛି ୫ଞ ବ୍ୟବସ୍ଥା। ଅଭିଯୋଗ କଲେ ନଜରକୁ ଆସିନାହିଁ ଆସିଲେ ଦେଖିବା କହି ଅଫିସରଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଦିଅନ୍ତି ଜବାବ। ଯେତେବେଳେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଚୋରା ଚାଲାଣ ନଜରକୁ ଆସେ ଲୋକ ଦେଖାଣିଆ ଜୋରିମାନା କରି ବାହାଦୁରୀ ନିଅନ୍ତି। ହେଲେ ଜନସାଧାରଣଙ୍କ ସମସ୍ୟାର ସମାଧାନ ହୁଏ ନାହିଁ। ତେବେ ବିଚିତ୍ର ସରକାରୀ ବ୍ୟବସ୍ଥା ଏଠି କେବଳ ସାଧାରଣଜନତାଙ୍କ ଉପରୁ ଟିକସ ଆଦାୟ ପାଇଁ ପ୍ରଶାସନିକ ଅଧିକାରୀମାନେ ଅଣ୍ଟା ଭିଡୁଥିବା ବେଳେ ଚୋରା ବେପାରୀଙ୍କ ପ୍ରତି ସମସ୍ତଙ୍କ ଅନୁକମ୍ପା କାହିଁକି ବୋଲି ଉଠୁଛି ପ୍ରଶ୍ନ। ତେବେ ଦୈନିକ ବିଭିନ୍ନ ବାଲି ସୈରାତରୁ ଚୋରାରେ ଶହଶହ ଟ୍ରିପ ବାଲି ଦଶଚକିଆ ଡ଼ମ୍ପର ଏବଂ ହାଇୱା ଯୋଗେ ଓଭରଲୋଡିଂ ହୋଇ ପଶ୍ଚିମବଙ୍ଗ ସମେତ ପୋଡ଼ାଶୀ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବିନା ପରମିଟରେ ଚାଲାଣ ହେଉଛି। ତାହା ପୁଣି ବିନା ଟିଟି ପରମିଟରେ ନିଲାମଧାରୀ ଚେଲା ଛାମୁଣ୍ଡାଙ୍କୁ ଧରି କରୁଥିବା ରାଜସ୍ୱ ବିଭାଗ ଅଧିକାରୀଙ୍କ ଜ୍ଞାତରେ। ସେହିପରି ଚୋରା ଚାଲାଣର ହିସାବ ସମସ୍ତଙ୍କ ପାଖରେ ଥାଏ। ସେହି ଆଧାରରେ ଲୁଟ ରାଜସ୍ବ ଭାଗବଣ୍ଟା ହୋଇଥାଏ ବୋଲି ଆଲୋଚନା ହେଉଛି। ଯୋଉଥିପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି।

 
ତେବେ ଏଭଳି ବାଲି ଚୋରାଚାଲାଣ ଘଟଣା ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା, ରାସଗୋବିନ୍ଦପୁର ତହସିଲରେ ବ୍ୟାପକ ଭାବେ ହେଉଥିବା ବେଳେ ଶୁଳିଆପଦା ତହସିଲ ଅଞ୍ଚଳରେ ଆଜି ନଜରକୁ ଆସିଛି। ବାଲିମାଫିଆମାନେ ଏଠି କାୟାବିସ୍ତାର କରି ଚଳାଇଛନ୍ତି ରାଜୁତି। କିଏ ବିଧାୟକର ତୋ କିଏ ଖୋଦ ମନ୍ତ୍ରୀଙ୍କ ଲୋକ କହି ଚଳାଇଛନ୍ତି ରାଜସ୍ବ ଲୁଟ। ଏଭଳି ମୌକାର ଫାଇଦା ନେବାକୁ ପଛରେ ପଡି ନାହାନ୍ତି ସରକାରୀ ବାବୁମାନେ। ଶୁଳିଆପଦା ତହସିଲ ବେଆଇନ ବାଲି ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିବା ଅଭିଯୋଗ ଆଜିର ଘଟଣା ପ୍ରମାଣ କରିଛି। ଏଠି ଦିନରାତି ଶହଶହ ଟ୍ରକରେ ପୋଡଶୀ ପଶ୍ଚିମବଙ୍ଗକୁ ବେଆଇନ ବାଲି ଅଭରଲୋଡିଙ୍ଗ ହୋଇ ଶୁଳିଆପଦା ବ୍ଲକର ମୂଖ୍ୟରାସ୍ତା ଦେଇ ଗାଡିସବୁ ବାରିପଦା ଆସୁଥିବାରୁ ରାସ୍ତାଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି ଆଉ ସଙ୍କଟାପନ୍ନ ହେଉଛି ସାଧାରଣ ଜନଜୀବନ । ବେଆଇନ ବାଲିଚାଲାଣକୁ ବିରୋଧ କରି ସ୍ଥାନୀୟ ଲୋକମାନେ ବାରମ୍ବାର ତହସିଲଦାର ଓ ଥାନାରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ଫଳଶୁନ୍ୟ । ଅଞ୍ଚଳବାସୀ ଏନେଇ ତହସିଲଦାର ଦାୟିତ୍ୱରେ ଥିବା ଶୁଳିଆପଦା ବିଡ଼ିଓ ପରୀକ୍ଷିତ ଜେନାଙ୍କୁ ବାଲି ଚୋରାଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ବାରମ୍ବାର ଜଣାଇବାରୁ କହିଲେ ଆପଣମାନେ ଜିଲ୍ଲାପାଳଙ୍କୁ କୁହନ୍ତୁ । ଯଦି ସମ୍ପୃକ୍ତ କ୍ଷମତାସଂପନ୍ନ ଅଫିସର ଏଭଳି ଦାୟିତ୍ବହୀନ ଉତ୍ତର ସାଧାରଣ ଲୋକଙ୍କୁ ଦେବେ ତେବେ ୫ଞ କରୁଛି କଣ। ଅନ୍ୟପଟେ ଆମ ଜାଣିବାରେ ସମସ୍ତ ଗାଡିର ପାରମିଟ ରହିଛି ବୋଲି ଆଖିବୁଜି ଜବାବ ଦେବା ତହସିଲଦାର ଓ ବାଲି ମାଫିଆ ମଧୁଚନ୍ଦ୍ରିକାର ଦୃଷ୍ଟାନ୍ତ ନୁହେଁ କି ? ସେହିପରି ବାଲି ଚୋରାଚାଲାଣକୁ ବିରୋଧ କଲେ ଗୁଳିମାଡ କରିବାର ଧମକ ଦେଉଛନ୍ତି ବାଲିମାଫିଆ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ ।
ଯାହାକୁନେଇ ଚାପି ହୋଇଥିବା ଜନଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଥିଲା। ତେବେ ଗତକାଲି ରାତିରେ ଏକ ବାଲିଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଶୁଳିଆପଦା ଛକରେ । ସ୍ଥାନୀୟ ଲୋକମାନେ ପୋଲିସ ଉପସ୍ଥିତିରେ ପରମିଟ ମାଗିଥିଲେ କିନ୍ତୁ ଡ୍ରାଇଭର ପରମିଟ ଦେଖାଇପାରିନଥିଲେ , ଏବଂ ଡ୍ରାଇଭରର ଲାଇସେନ୍ସ ମଧ୍ୟ ନଥିବା ଜଣାପଡ଼ିଥିଲା । ଆଜି ସକାଳେ ସ୍ଥାନୀୟ ଜନସାଧାରଣ ବାରିପଦା – ପଶ୍ଚିମବଙ୍ଗର ମୂଖ୍ୟରାସ୍ତା ଶୁଳିଆପଦା ଠାରେ ରାସ୍ତାରେ ନିଆଁଜାଳି ଅବରୋଧ କରିଥିଲେ । ଏବଂ ଦାବି ରଖିଥିଲେ ତହସିଲଦାର ଦାୟିତ୍ୱରେ ଥିବା ବିଡ଼ିଓ କିଛି ଶୁଣୁନଥିବାରୁ ଆଜି ଜିଲ୍ଲାପାଳ ଏଠାକୁ ଆସନ୍ତୁ ଏବଂ ଖରାପ ଥିବା ରାସ୍ତାର ମରାମତି କେମିତି ଶିଘ୍ର ହୋଇପାରିବ ଓ ବେଆଇନ ବାଲିଚାଲାଣ କେମିତି ବନ୍ଦ ହେବ ତାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।
ଏନେଇ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅତିରିକ୍ତ ତହସିଲଦାର ବାବାଜୀ ଚରଣ ସିଂ ବେଆଇନ ବାଲିଚାଲାଣକୁ ସ୍ୱୀକାର କରିଛନ୍ତି । ପୂର୍ବରୁ ଅଭିଯୋଗ ମଧ୍ୟ ହେଇଛି, ଏନେଇ ତହସିଲଦାରଙ୍କୁ ଜଣାଇଛୁ । ତହସିଲଦାର କହିଥିଲେ ପୋଲିସର ସହାୟତା ନେଇ ବାଲି ଚୋରାଚାଲାଣ କେମିତି ବନ୍ଦ ହୋଇପାରିବ ପଦକ୍ଷେପ ଗ୍ରହଣ କରିବେ ।
ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମୁଖିନ ହେଉଥିବା ଖବରପାଇ ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ଆଲୋଚନା କରିଥିଲେ । ତେବେ ଅଞ୍ଚଳବାସୀଙ୍କ ଅଭିଯୋଗକୁ ବେଖାତିର କରିବା ପଛରେ ତହସିଲଦାରଙ୍କ ମନ୍ଦ ଉଦ୍ଦେଶ୍ୟ ପଦାରେ ପଡ଼ିଛି ବୋଲି ସ୍ପଷ୍ଟ ଆଲୋଚନା ହେଉଛି । ସେହିପରି ଲଘୁଖଣିଜ ଦ୍ରବ୍ୟର ଚୋରାଚାଲାଣ ରୋକାଯିବା ପ୍ରକ୍ରିୟାରେ ରାଜ୍ୟସରକାର ପୋଲିସକୁ ମଧ୍ୟ ସାମିଲ କରିଥିବା ବେଳେ ଏଠି ପୋଲିସର ନୀରବତା କାହିଁକି ?ମାଫିଆଙ୍କ ସୁରକ୍ଷା ପାଇଁ ନୁହେଁ ତୋ ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏଠାରେ ଚାଲିଥିବା ବେଆଇନ ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକାଯିବା ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ସମସ୍ତ ସରକାରୀ ଅଧିକାରୀଙ୍କ ନଜରକୁ ଆଣିଥିଲେ ସୁଦ୍ଧା ଫଳଶୁନ୍ୟ।ଯାହା ସରକାରଙ୍କ ୫ଞ କାର‌୍ୟ୍ୟକ୍ରମ ବିଫଳ ହୋଇଥିବା ସୂଚିତ କରୁଥିଲେ ବି ବିଧାୟକ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶ୍ରୁତି ପରେ ଅବରୋଧ ପ୍ରତ୍ୟାହାର ହୋଇଥିଲା।
ହେଲେ ମୟୁରଭଞ୍ଜରେ ଅଫିସର ଠୁ ମନ୍ତ୍ରୀ ସବୁ ଜାଣି ଅଜଣା। ସବୁ ସତ୍ତ୍ୱେ ଲଘୁଖଣିଜ ଦ୍ରବ୍ୟର ଚୋରାଚାଲାଣ ନଜରକୁ ଆସିଲେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ।
ତେବେ ଆଗକୁ ମାଫିଆରାଜ ଖତମ କରି ଚୋରା ବାଲିଚାଲାଣ ବନ୍ଦ କରିବାରେ ବିଧାୟକ, ରାଜସ୍ବମନ୍ତ୍ରୀ, ସ୍ଥାନୀୟ ରାଜସ୍ବ ବିଭାଗ ଏବଂ ପୋଲିସ ପ୍ରଶାସନ କେତେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା ।