28.1 C
Bhubaneswar
Friday, April 26, 2024
Homeଅପରାଧବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ:ହାଇଦ୍ରାବାଦ ଏନକାଉଣ୍ଟର

ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ:ହାଇଦ୍ରାବାଦ ଏନକାଉଣ୍ଟର

ହାଇଦ୍ରାବାଦ: ଗତ କିଛିଦିନ ତଳେ ଜଣେ ମହିଳା ଭେଟନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ପୋଡ଼ି ମାରି ଦିଆଯାଇଥିଲା । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫକାରୀମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରୁ ସେମାନଙ୍କୁ ପୁଲିସ ରିମାଣ୍ଡରେ ଆଣିଥିଲା । ରିମାଣ୍ଡରେ ଆଣିବା ପରେ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ସେମାନଙ୍କୁ ପଚରାଯାଇଥିଲା । କେଉଁସ୍ଥାନରେ ଓ କିଭଳି ଭାବରେ ଦୁଷ୍କର୍ମ କରି ପୋଡ଼ି ମାରିଲେ ସେ ବିଷୟରେ ଘଟଣାସ୍ଥଳକୁ ଅପରାଧୀମାନଙ୍କୁ ନେଇ ପ୍ରମାଣ ଯୋଗାଡ଼ କରିବାକୁ ହାଇଦ୍ରାବାଦ ପୁଲିସ ଉଦ୍ୟମ କରିଥିଲା । ଡିସେମ୍ବର ୬ ତାରିଖ ଶୁକ୍ରବାର ଦିନ ଭୋର ୩ଟାରେ ଆଣିଥିଲା । ଏହି ସମୟରେ ୪ ଅଭିଯୁକ୍ତ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ନେବାରୁ ପୁଲିସ ଏନକାଉଣ୍ଟର କରିଥିଲା ବୋଲି ଶାମସାବାଦ ପୁଲିସ ସ୍ପଷ୍ଟୀକରଣ ରଖିଥିଲା। ମହିଳା ଡାକ୍ତରଙ୍କ ମୃତଦେହ ଚେତନାପାଲି ଓଭରବ୍ରିଜ ତଳୁ ମିଳିଥିବାରୁ ସେହିସ୍ଥାନକୁ ଅଭିଯୁକ୍ତମାନଙ୍କୁ ନିଆଯାଇଥିବା କୁହାଯାଉଛି । ସେଠାରୁ ସେମାନେ ଖସିଯିବା ପାଇଁ ଉଦ୍ୟମ କରିଥିଲେ । କୁହାଯାଉଛି ଜଣେ ଅଭିଯୁକ୍ତ ପୁଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ମାରିବା ପାଇଁ ଭୟଭୀତ କରିଥିଲେ । ଏଥିରେ ପୁଲିସ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲା । ମୃତକମାନଙ୍କର ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରୀଖାନାକୁ ନିଆଯାଇଛି । ସେମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ।
ତେବେ ଡାକ୍ତର ଦିଶା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ଲୋକଙ୍କ ବାଃ ବାଃ ସାଉଁଟିଥିବା ଶାମସାବାଦ ପୁଲିସ ପାଇଁ ଅଡ଼ୁଆ ବଢ଼ିପାରେ । ଏହି ଏନକାଉଣ୍ଟର ଘଟଣାରେ ତେଲେଙ୍ଗାନାର କେସିଆର ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ତଦନ୍ତ ଉପରେ ଭରସା କରି ପାରିନାହାନ୍ତି ସୁପ୍ରିମକୋର୍ଟ । ତେଣୁ ଏବେ ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଭିଏସ ଶୀରପୁରକରଙ୍କ ନେତୃତ୍ୱରେ ଏହି ତଦନ୍ତ ହେବ । ଛଅ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦନ୍ତ ବେଳେ ଅନ୍ୟ କୌଣସି ତଦନ୍ତ ହୋଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ ଏସ ବୋବଡେ କହିଛନ୍ତି ।
ଅଭିଯୁକ୍ତଙ୍କ ଉପରକୁ ପୁଲିସର ଏନକାଉଣ୍ଟରକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ଏନକାଉଣ୍ଚରରେ ସାମିଲ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ ହେବା ଦରକାର ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ କହିଥିଲେ । ଏହାକୁ ନେଇ ଆଜି ତେଲେଙ୍ଗାନା ସରକାର କୋର୍ଟରେ ପକ୍ଷ ରଖିଥିଲେ । ଆଇନଜୀବୀ ମୁକୁଲ ରୋହତଗୀ ତେଲେଙ୍ଗାନା ସରକାରର ପକ୍ଷ ରଖି କହିଥିଲେ, ରାଜ୍ୟ ସରକାର ଏସଆଇଟି ତଦନ୍ତ କରୁଛନ୍ତି । ଏଭଳି ସ୍ଥିତିରେ କୋର୍ଟଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇ ଏକା ସାଙ୍ଗରେ ଦୁଇଟି ତଦନ୍ତ କରିବାର ଆବଶ୍ୟକତା ନାହିଁ ।
ଜବାବରେ ସୁପ୍ରିମକୋର୍ଟ କହିଥିଲେ, ଏସଆଇଟି ତଦନ୍ତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ହୋଇଛି । ଏହା କେବେ ସରିବ ଜଣା ନାହିଁ । ଏନକାଉଣ୍ଚର ମାମଲାରେ ସମସ୍ତ ନାଗରିକ ସତ ଜାଣିବା ଦରକାର । ତେଣୁ ତଦନ୍ତ ବେଳେ ସନ୍ଦେହ ପ୍ରକାଶ ହେଲେ କୋର୍ଟ ନିଜ ଆଡୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ । ଯଦି ଏନକାଉଣ୍ଟରରେ ସାମିଲ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ସରକାର ଅପରାଧିକ ମାମଲା ରୁଜୁ କରି ତଦନ୍ତ କରିବେ ତାହେଲେ କୋର୍ଟ କୌଣସି ଆଦେଶ ଜାରି କରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking