ଭୁବନେଶ୍ବର : ୨୦୩୬ ଯାଏଁ ଓଡ଼ିଶା ରହିବ ଭାରତୀୟ ହକି ଦଳର ପ୍ରାୟୋଜକ । ଆଜି ଏନେଇ ଘୋଷଣା କରିଛନ୍ତି ଓଡିଶା ସରକାର । ୨୦୧୮ରୁ ୨୦୩୩ ଯାଏଁ ଓଡିଶା ଭାରତୀୟ ହକିର ପ୍ରାୟୋଜକ ଥିବାବେଳେ ଏହାକୁ ଆଉ ୩ ବର୍ଷ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି । ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ପ୍ରାୟୋଜକ ଅବଧି ସମୟକୁ ଆଉ ତିନି ବର୍ଷ ବୃଦ୍ଧି କରାଯିବ । ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।” ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଦଳର ପ୍ରାୟୋଜକ ଦାୟିତ୍ଵ ନେଇଛନ୍ତି । ୨୦୨୩ରୁ ୧୦ ବର୍ଷ ପାଇଁ ପ୍ରାୟୋଜକ କରିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଯେ, ରାଜ୍ୟ ଅତିଥି ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି ପାଇଁ ଓଡ଼ିଶାକୁ ବିଶ୍ବରେ ଗୋଟିଏ ଅଲଗା ପରିଚୟ ମିଳିଛି । ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି । ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।