ଭୁବନେଶ୍ୱର : ତାତିରେ ଲାଗିଲା ବ୍ରେକ । ରାଜ୍ୟରେ ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ । ଦିନ ଦୁଇଦିନ ମଧ୍ୟରେ ସାରା ରାଜ୍ୟକୁ ଛୁଇଁବା ଆକଳନ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଫଳରେ ରାଜଧାନୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ବର୍ଷା ପାଣି ଜମନି ରହିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନା ଯୋଗ୍ୟ ଯେ, ମୌସୁମୀ ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ସୂଚନା ମିଳିଛି । ଆସନ୍ତା ୨୬ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।