ଅକ୍ଟୋବର ୧ ତାରିଖରୁ ନୂଆ ଚିନି ଋତୁ ଆରମ୍ଭ ହେବା ସହିତ, ପାର୍ବଣ ଋତୁରେ ଗ୍ରାହକମାନଙ୍କୁ ଯଥେଷ୍ଟ ପରିମାଣରେ ଚିନି ଯୋଗାଇବା ସହ ଯୁକ୍ତିସଙ୍ଗତ ଦରରେ ଏହା ଉପଲବ୍ଧ କରାଇବା ପାଇଁ ଭାରତ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ଚିନି ବ୍ୟବସାୟୀଙ୍କ ପାଇଁ ଷ୍ଟକ୍ ରଖିବା ସମୟସୀମାକୁ ୧୫ ଦିନକୁ ହ୍ରସ କରିଛନ୍ତି ଏବଂ ୨୦୨୬ ମସିହା ଅକ୍ଟୋବର ୧୫ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ (କୋଲକାତା ଏବଂ ଏହାର ସଂପ୍ରସାରିତ ମହାନଗର ଅଞ୍ଚଳ ଏବଂ ଆସାମ ରାଜ୍ୟକୁ ବାଦ ଦେଇ) ଷ୍ଟକ୍ ରଖିବା ସୀମାକୁ ୧,୦୦୦ କ୍ୱିଣ୍ଟାଲ୍ ଧାର୍ଯ୍ୟ କରିଛନ୍ତି।
ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ୨୦୨୬ ମସିହା ଅକ୍ଟୋବର ୧୫ ତାରିଖଠାରୁ ଜଣେ ଚିନି ବ୍ୟବସାୟୀ:
• ଚିନି ହସ୍ତଗତ ହେବା ତାରିଖଠାରୁ ୧୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚିନି ଷ୍ଟକ୍ ରଖିପାରିବେ ନାହିଁ।
• ଦେଶର ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ୧,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକ୍ ରଖିପାରିବେ ନାହିଁ।
• ନିର୍ଦ୍ଦିଷ୍ଟ ବଜାର ଆବଶ୍ୟକତାକୁ ବିଚାରକୁ ନେଇ, କୋଲକାତା ଏବଂ ଏହାର ସଂପ୍ରସାରିତ ମହାନଗର ଅଞ୍ଚଳ ଏବଂ ଆସାମ ରାଜ୍ୟ ପାଇଁ ଷ୍ଟକ୍ ରଖିବା ସୀମା ୨,୦୦୦ କ୍ୱିଣ୍ଟାଲ୍ ସ୍ଥିର କରାଯାଇଛି।
ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ଚିନି ସଂଗ୍ରହ କରି କୋଲକାତା ଉତ୍ତର-ପୂର୍ବାଞ୍ଚଳ ସମେତ ଦେଶର ପୂର୍ବାଞ୍ଚଳକୁ ଯୋଗାଣ କରିଥାଏ। ଉତ୍ତର-ପୂର୍ବାଞ୍ଚଳର ଭୌଗୋଳିକ ସୀମାବଦ୍ଧତା, ପରିବହନ ଓ ଲଜିଷ୍ଟିକ୍ସ ସମସ୍ୟା ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସାମ ପାଇଁ ଅଧିକ ମହଜୁଦ ସୀମା ଧାର୍ଯ୍ୟ କରାଯାଇଛି। ସଂଶୋଧିତ ନିୟମର ଉଦ୍ଦେଶ୍ୟ ହେଉଛି ବଣ୍ଟନ ବ୍ୟବସ୍ଥାରେ ଚିନି ଅନାବଶ୍ୟକ ଭାବେ ଜମା ହୋଇ ନ ରହିବା ଏବଂ ଚିନି ମିଲରୁ ବ୍ୟବସାୟୀଙ୍କ ମାଧ୍ୟମରେ ଶେଷରେ ଉପଭୋକ୍ତାଙ୍କ ନିକଟରେ ସୁଗମ ଭାବେ ପହଞ୍ଚିବା ସୁନିଶ୍ଚିତ କରିବା। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିନି ମହଜୁଦ କରି ରଖିବା ପ୍ରବୃତ୍ତିକୁ ଆହୁରି ରୋକିବା, ଅନୁମାନଭିତ୍ତିକ ବ୍ୟବସାୟକୁ ନିରୁତ୍ସାହିତ କରିବା ଏବଂ ବ୍ୟବସାୟୀମାନଙ୍କ ଦ୍ୱାରା ଅତ୍ୟଧିକ ଚିନି ମହଜୁଦକୁ ରୋକିବା। ଚିନି କେତେ ପରିମାଣରେ ଏବଂ କେତେ ସମୟ ପର୍ଯ୍ୟନ୍ତ ମହଜୁଦ ରଖାଯାଇପାରିବ, ତାହା ଉପରେ ସୀମା ଧାର୍ଯ୍ୟ କରି ସରକାର ଯୋଗାଣ ଶୃଙ୍ଖଳରେ ଚିନିର ସୁବ୍ୟବସ୍ଥିତ ଗତି ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି। ଏଥିସହ ଉପଭୋକ୍ତାମାନଙ୍କ ପାଇଁ ଯୁକ୍ତିସଙ୍ଗତ ଦରରେ ଚିନିର ନିରନ୍ତର ଉପଲବ୍ଧତା ମଧ୍ୟ ସୁନିଶ୍ଚିତ ହେବ।
ଖୁଚୁରା ଚିନି ଦର ୧୫% ହ୍ରାସ
ଅଗଷ୍ଟ ମାସର ସର୍ବୋଚ୍ଚ ଦର ତୁଳନାରେ ଚିନିର ହାରାହାରି ଖୁଚୁରା ଦର ୧୫ ପ୍ରତିଶତ ହ୍ରାସ ପାଇଛି। ମିଲ୍ରେ ବିକ୍ରି ଦର କମିଥିବାର ଲାଭ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିଲେ, ଚିନି ଦର ଆହୁରି କମିବ ବୋଲି ଆଶା କରାଯାଉଛି। ଏକ୍ସ-ମିଲ୍ ଚିନିର ଦର ପ୍ରାୟ ୨୮ ପ୍ରତିଶତ ହ୍ରାସ ପାଇଛି ଏବଂ ଗତ ତିନି ସପ୍ତାହ ଧରି ଏହା ସ୍ଥିର ରହିଛି। ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ବଜାରରେ ଏହାର ସୁବ୍ୟବସ୍ଥିତ ଯୋଗାଣ ଓ ବଣ୍ଟନକୁ ସୁଗମ କରିବା ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପର ପ୍ରଭାବରେ ଏହି ଦର ହ୍ରାସ ଘଟିଛି। ସରକାର ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ ଚିନି ମିଲ୍, ବ୍ୟବସାୟୀ, ହୋଲସେଲର ଏବଂ ଅନ୍ୟାନ୍ୟ ବଜାର ଅଂଶୀଦାରମାନେ ଯୋଗାଣ ଶୃଙ୍ଖଳରେ ଚିନିର ନିରନ୍ତର ଯୋଗାଣ ନିଶ୍ଚିତ କରିବା ସହ କୃତ୍ରିମ ଭାବେ ଚିନି ଜମା କରିବା କିମ୍ବା କଳ୍ପନାଭିତ୍ତିକ ଜମାଖୋରୀକୁ ରୋକିବା ଆବଶ୍ୟକ। ମିଲ୍ରେ ଚିନିର ଦରରେ ହୋଇଥିବା ଉଲ୍ଲେଖନୀୟ ହ୍ରାସର ଲାଭ ତୁରନ୍ତ ଉପଭୋକ୍ତାଙ୍କୁ ଦେବାକୁ ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀମାନଙ୍କୁ ମଧ୍ୟ ସରକାର ଅନୁରୋଧ କରିଛନ୍ତି।
ନିଜ ନିଜ ଅଞ୍ଚଳରେ ପ୍ରଚଳିତ କୃଷି-ଜଳବାୟୁ ପରିସ୍ଥିତି ଅନୁଯାୟୀ ଚିନି ମିଲଗୁଡ଼ିକୁ ଆଖୁ ପେଡ଼ା ଓ ଚିନି ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଚିନି ଉତ୍ପାଦନକାରୀ ଅଞ୍ଚଳରେ ଏଲ୍ ନିନୋ ପରିସ୍ଥିତି ଯୋଗୁଁ ଅନିୟମିତ ଓ ଅଭାବୀ ବର୍ଷାର ଆଖୁ ଫସଲ ଉପରେ ପଡ଼ୁଥିବା ପ୍ରଭାବକୁ କେନ୍ଦ୍ର ସରକାର ନିରନ୍ତର ନଜରରେ ରଖିବେ। ଦେଶରେ ଚିନିର ଉପଲବ୍ଧତା, ଉପଭୋକ୍ତାଙ୍କ ସ୍ୱାର୍ଥ ଏବଂ ଆଖୁ ଚାଷୀଙ୍କ ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ସରକାର ଆବଶ୍ୟକ ସମସ୍ତ ପଦକ୍ଷେପ ସମୟୋଚିତ ଭାବେ ଗ୍ରହଣ କରିବେ। ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅଞ୍ଚଳରେ ରହିଥିବା ବର୍ତ୍ତମାନର କ୍ଷେତ୍ର ପରିସ୍ଥିତିକୁ ଆଧାର କରି ଆଖୁ ପେଡ଼ା କାର୍ଯ୍ୟ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ସରକାର ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ ଆଖୁ ଚାଷୀ ଏବଂ ଉପଭୋକ୍ତା ହେଉଛନ୍ତି ଭାରତର ଚିନି ନୀତିର ଦୁଇଟି ପ୍ରମୁଖ ସ୍ତମ୍ଭ। ଆଖୁ ଚାଷୀମାନଙ୍କୁ ଉପଯୁକ୍ତ ଓ ଲାଭଜନକ ମୂଲ୍ୟ ମିଳିବା ସୁନିଶ୍ଚିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ସେହିପରି, ଚିନି ଦରରେ ଅହେତୁକ ବୃଦ୍ଧିରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ସହ ଦେଶର ସମସ୍ତ ଅଞ୍ଚଳରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବାକୁ ମଧ୍ୟ ସରକାର ସମାନ ଭାବେ ପ୍ରତିବଦ୍ଧ।










