29.1 C
Bhubaneswar
Thursday, October 1, 2026
Homeଓଡିଶାସରକାରୀ ଜମି ବେଆଇନ ଆବଂଟନ ଓ ଅନିୟମିତତାର ମୁଖ୍ୟ ସୈାଦାଗର ବିଜେଡି: ଅମର ପଟ୍ଟନାୟକ

ସରକାରୀ ଜମି ବେଆଇନ ଆବଂଟନ ଓ ଅନିୟମିତତାର ମୁଖ୍ୟ ସୈାଦାଗର ବିଜେଡି: ଅମର ପଟ୍ଟନାୟକ

ଭୁବନେଶ୍ୱର: ଗତ ୨୮ ତାରିଖ ଦିନ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥିତ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ସାଂପୁଲ ଭାବେ ମାତ୍ର ୮ଟି ଜିଲ୍ଲାକୁ ନେଇ ଉପସ୍ଥପିତ ହୋଇଥିବା ଏହି ରିପୋର୍ଟରେ ତତ୍କାଳୀନ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ଆଦିର ଖୁଲାସା ହୋଇଯାଇଛି । କେବଳ ଖଣି ଓ ଖଣିଜ ପଦାର୍ଥ ନୁହେଁ, ବରଂ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ ଜମିଠାରୁ ଆରମ୍ଭ କରି ବାସଗୃହ, ଜମି ଆଦି ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ମାତ୍ରାରେ ଦୁର୍ନିତିି ଓ ଭ୍ରଷ୍ଟାଚାର ହୋଇଥିବାର ସ୍ପଷ୍ଟ ଭାବେ ଖୁଲାସା ହୋଇଛି । ସରକାରୀ ଜମିର ବେଆଇନ ଆବଂଟନ ଓ ଅନିୟମିତତାର ମୁଖ୍ୟ ସୈାଦାଗର ହେଉଛି ବିଜେଡି ବୋଲି ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶ୍ରୀ ଅମର ପଟ୍ଟନାୟକ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ସିଏଜି ରିପୋର୍ଟକୁ ଆଧାର କରି କହିଛନ୍ତି ଯେ; ସରକାରୀ ଜମି କୈାଣସି ସରକାରଙ୍କ ନୁହେଁ, ଏହା ହେଉଛି ସାଧାରଣ ଜନତା ଓ ସମାଜର । ସରକାର ହେଉଛନ୍ତି ସରକାରୀ ଜମିର କେବଳ ମାତ୍ର ଟ୍ରଷ୍ଟି । ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥରେ ରାଜ୍ୟରେ କୈାଣସି ଶିଳ୍ପ ପ୍ରତିଷ୍ଠା ସ୍ଥାପନା ପାଇଁ ରାଜ୍ୟ ସରକାର ଇଡକୋ କିମ୍ବା ରାଜସ୍ୱ ବିଭାଗ ମାଧ୍ୟମରେ ଜମି ଆବଂଟନ କରିଥାନ୍ତି । ନିର୍ଦ୍ଦିଷ୍ଟ ସମୟ ସୀମା ୩ ବର୍ଷ ଭିତରେ ସେ ସବୁ ଶିଳ୍ପ ପ୍ରତିଷ୍ଠା ନହେଲେ ରାଜ୍ୟ ସରକାର ସେ ସମସ୍ତ ଜମି ନିଜ ହାତକୁ ନେଇଆସିବାର କ୍ଷମତା ରଖିଛନ୍ତି । ମାତ୍ର ତତ୍କାଳୀନ ବିଜେଡି ସରକାର ଅମଳରେ ଇଡକୋ ଏହି ନିୟମକୁ ଉଲ୍ଲଂଘନ କରି ୫ ବର୍ଷର ନିୟମ ଲାଗୁ କରିବା ସହିତ ଅନେକ କ୍ଷେତ୍ରରେ କେବେ ସୁଦ୍ଧା କାମ ଶେଷ ହେବ, ସେ ନେଇ କୈାଣସି ସମୟ ସୀମା ଉଲ୍ଲେଖ କରିଲେ ନାହିଁ । ୨୦୧୨-୧୩-୧୪-୧୫ ମସିହାରେ ଏ ସଂପର୍କରେ ତତ୍କାଳୀନ ସିଏଜି ରାଜ୍ୟ ସରକାରଙ୍କୁ ବାରମ୍ବାର ତାଗିଦ କରିଥିଲେ ସୁଦ୍ଧା କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବିଜେଡି ସରକାର ନୀରବ ରହି ପ୍ରୋତ୍ସାହିତ କରିବା ସହିତ ଖିଲାପକାରୀଙ୍କୁ ସୁରକ୍ଷା ଦେଇ ଚାଲିଥିଲେ । ୧୦ ବର୍ଷ ପରେ ଅର୍ଥାତ ସିଏଜିଙ୍କ ବର୍ତ୍ତମାନର ରିପୋର୍ଟକୁ ଅନୁଧ୍ୟାନ ଓ ନିରୀକ୍ଷଣ କରିବା ପରେ ବିଜେଡିର ‘ଯଥା ପୂର୍ବଂ, ତଥା ପରଂ’ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । “ସରକାରୀ ଜମିକୁ ବଜାର ଦର ଅପେକ୍ଷା ଯଥେଷ୍ଟ କମ୍ ମୂଲ୍ୟରେ ନିର୍ଦ୍ଦିଷ୍ଟ ତୋଷଣକାରୀ ସଂସ୍ଥା, ବ୍ୟକ୍ତି ଓ ପରିଚିତ କଂପାନୀଗୁଡିକ ଦିଆଯାଇଛି । ଜମି ଆବଂଟନ ପାଇଁ ଥିବା ନିର୍ଦ୍ଧାରିତ ମାର୍ଗଦର୍ଶିକା, ନିଲାମ ପ୍ରକ୍ରିୟା ଏବଂ ସ୍ୱଚ୍ଛତାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ମନମୁଖୀ ଭାବେ ଆବଂଟନ କରାଯାଇଛି । ସରକାରୀ ଜମିକୁ ଉଚିତ୍ ମୂଲ୍ୟରେ ନିଲାମ ନକରିବା କାରଣରୁ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ଯେଉଁ ଉଦ୍ଦେଶ୍ୟ ପାଇଁ ଜମି ଦିଆଯାଇଥିଲା, ତାହା ସେହି କାମରେ ନଲାଗି ଅନ୍ୟ ବ୍ୟବସାୟୀକ କାମରେ ବ୍ୟବହୃତ ହୋଇଛି । ଗରୀବ ଓ ମଧ୍ୟବିତ୍ତ ଲୋକଙ୍କୁ ଘରଡିହ ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ସରକାରୀ ଅଫିସ ଧାଇଁବାକୁ ପଡୁଥିବାବେଳେ, ତତ୍କାଳୀନ ବିଜେଡି ସରକାରଙ୍କ ନିକଟତର ବ୍ୟକ୍ତିଙ୍କୁ ଅତି ସହଜରେ ଦାମୀ ଜମି ଟେକି ଦିଆଯାଇଛି” । ଜମି ଆବଂଟନରେ ସମସ୍ତ ନୀତି, ନିୟମ ଓ ଆଇନକୁ ଜଳାଞ୍ଜଳୀ ଦେଇ ଉଭୟ ସରକାରୀ ଓ ବେସରକାରୀ ଜମିକୁ ଚଂଚକତା କରାଯାଇଛି । ଏପରିକି ସରଳ, ନିରିହ ଗରୀବ ଲୋକମାନଙ୍କୁ ବାଦ୍ ଦିଆଯାଇନାହିଁ । ଏଭଳି ସଙ୍ଗୀନ ଅପରାଧର ସତ୍ୟ ସିଏଜି ରିପୋର୍ଟ ମାଧ୍ୟମରେ ସାମ୍ନାକୁ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ବିଜେଡି ସରକାର ଅମଳରେ ବ୍ୟାପକ ମାତ୍ରାରେ ଜମି କେଳେଙ୍କାରୀ ହୋଇଥିବାର ସିଏଜି ରିପୋର୍ଟରେ ସ୍ପଷ୍ଟ ହୋଇଛି । ୨୦୨୪ ମସିହା ମାର୍ଚ୍ଚ ମାସ ସୁଦ୍ଧା ୮ଟି ଜିଲ୍ଲାରେ ପ୍ରାୟ ୫୦୨୩୧ ଏକର ଜମି ଆବଂଟନ କରାଯାଇଥିଲା । ୨୦୧୮ ମସିହା ମଧ୍ୟରେ ଘରୋଇ, ଗରୀବ ଲୋକଙ୍କଠାରୁ ଅଧିଗ୍ରହଣ କରାଯାଇଥିବା ୭୧୦୨ ଏକର ଜମି ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ଜମି କୈାଣସି ବ୍ୟବହାରରେ ନଲାଗି ଖାଲି ପଡିରହିଛି । ସେହିପରି ପୁରୀର ଶାମୁକା ବିଚ୍ ପ୍ରକଳ୍ପ ପାଇଁ ୧୬୧୫ ଏକର ଜମି ଅଧିଗ୍ରହଣ କରାଯାଇଥିଲେ ସୁଦ୍ଧା ପ୍ରାୟ ୧୮ ବର୍ଷ ହେବ ସେଠାରେ କୈାଣସି ବିକାଶ ହୋଇନାହିଁ । କାହାକୁ କେତେ, କେବେ ଓ କେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଛି, ସେ ନେଇ ତତ୍କାଳୀନ ବିଜେଡି ସରକାରଙ୍କ ନିକଟରେ କୈାଣସି ସଠିକ ଡାଟାବେସ୍ ନଥିଲା । ଜମି ଦୁର୍ନୀତି ଯୋଗୁଁ ରାଜ୍ୟର ଯେଉଁ ଆର୍ଥିକ କ୍ଷତି ହୋଇଛି, ତାହାର ଭରଣା ପାଇଁ ସଂପୃକ୍ତ କଂପାନୀ ବା ବ୍ୟକ୍ତିଙ୍କଠାରୁ ଜୋରିମାନା ଆଦାୟ କରାଯାଇନାହିଁ, କାହିଁକି ଓ କାହା ସ୍ୱାର୍ଥରେ ? ଜମି ଦୁର୍ନୀତିରେ ସଂପୃକ୍ତକାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କଲେ ନାହିଁ ବିଜେଡି ସରକାର ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ ପୁଞ୍ଜିନିବେଶକାରୀଙ୍କୁ ଜମି ଯୋଗେଇ ଦିଆଯାଇପାରୁନଥିବା କାରଣରୁ ଫେରି ଯାଉଛନ୍ତି । ୨୦୧୮ ମସିହା ପର୍ଯ୍ୟନ୍ତ ଶିଳ୍ପାଞ୍ଚଳ, ଆଇଟି ପାର୍କ ପାଇଁ ୫୭୯୧ ଏକର ଜମି ପ୍ରଦାନ କରାଯାଇଥିଲା; ୨୮୮୪ ଶିଳ୍ପ ୟୁନିଟକୁ ଆବଂଟିତ ୩୭୦୬ ଏକର ଜମିରୁ ବର୍ତ୍ତମାନ ସୁଦ୍ଧା ୧୧୪୨ ଏକର ଜମି କାହାକୁ ଦିଆଯାଇନାହିଁ । ଭୁବନେଶ୍ୱର ଉପକଂଠ ଚନ୍ଦକା, ରସୁଲଗଡ ଓ ମଞ୍ଚେଶ୍ୱରରେ ଆବଂଟିତ ୮୧୪୮ ଏକର ଜମିରୁ ୬୭ ଏକର ଜମି ଜବରଦଖଲରେ ରହିଛି । ୯୯୪ ଏକର ଜମିରେ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ୯୭୧ଟି ଶିଳ୍ପସଂସ୍ଥା ବନ୍ଦ ହୋଇପଡିରହିଛି । ଅନ୍ୟତ୍ର ବ୍ୟବହାର ପାଇଁ ଆବଂଟିତ ୨୫୨ ଏକର ଜମିରୁ ୪୫୪ ବାସଗୃହ ଓ ହଷ୍ଟେଲ ପାଇଁ ୨୩୭ ଏକର ଜମି ବ୍ୟବହାର ହେଉଛି । କହିବାକୁ ଗଲେ କେବଳ କାଗଜପତ୍ରରେ ଜମି ଆବଂଟିତ ହୋଇଥିବାର ଦର୍ଶାଯାଇଥିବାବେଳେ ବାସ୍ତବରେ କିନ୍ତୁ ତାହା ଦଖଲକୁ ଦିଆଯାଇନାହିଁ । ତାହେଲେ ତତ୍କାଳୀନ ବିଜେଡି ସରକାର କଣ କରୁଥିଲେ ଏବଂ କାହିଁକି ସେ ସମସ୍ତ ଜମିକୁ ନିଜ ଅଧିନରେ ଆଣିଲେ ନାହିଁ । ନିୟମ ବାହାରେ ବା କମ୍ ଦାମରେ ଦିଆଯାଇଥିବା ସମସ୍ତ ଜମିର ଆବଂଟନ ରଦ୍ଦ କରି ତାହାକୁ ପୁନର୍ବାର ସରକାରୀ ଅଧିନକୁ ଆଣିବାର ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାର ଆରମ୍ଭ କରିଦେଇଛି, ଯାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ୱର, ପୁରୀ ଅଂଚଳରେ ପାଖାପାଖି ୬୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୬୬୮ ଏକର ଜମି ବେଆଇନ ଦଖଲରେ ରହିଛି । ସେଥି ମଧ୍ୟରୁ ୧୮୦ ଏକର ଜମି ଜଙ୍ଗଲ ଜମି । ତତ୍କାଳିନ ବିଜେଡି ସରକାର କାହା ସ୍ୱାର୍ଥରେ ସେ ଜମିକୁ ଜବର ଦଖଲକାରିଙ୍କଠାରୁ ମୁକ୍ତ କରିଲେ ନାହିଁ । ବେଆଇନ ଭାବେ ଚାଷ ଜମିର କିସମ ପରିବର୍ତ୍ତନ କରାଯାଇଛି । ପରିବେଶ ସମ୍ବେଦନଶୀଳ ଅଂଚଳ, ବିଶେଷ ଐତିହ୍ୟ କ୍ଷେତ୍ର ଅଂଚଳରେ ମଧ୍ୟ ଚଂଚକତା କରାଯାଇ ଜମି ଅଧିଗ୍ରହଣ କରାଯାଇଛି । ଗୋଟିଏ ପଟେ ବଡ ବଡ ଜମି ଦଖଲକାରୀଙ୍କୁ ଅନୁଗ୍ରହ ପ୍ରଦର୍ଶନ କରୁଥିବାବେଳେ ଘର କରି ରହୁଥିବା ଗରୀବଲୋକଙ୍କଠାରୁ ଜମି ଛଡାଇ ଆଣି ସେମାନଙ୍କୁ ବାସହରା କରିଦେଲେ । ସାମାନ୍ୟ ଘରଟିଏ ପାଇଁ ଜମି ଦେବାରେ ବିଫଳ ହୋଇଥିଲା ସମ୍ବେଦନହୀନ ବିଜେଡି ସରକାର । ଆମ ସରକାର ଶାସନକୁ ଆସିବା ମାତ୍ରେ ଗରୀବ ବାସହୀନଙ୍କୁ ଜମି ଦେବା ସହିତ ପକ୍କାଘର ନିର୍ମାଣ କରିଦେଲେ । ଦୀର୍ଘ ଧରି ଶାସନ କ୍ଷମତାର ମୋହରେ ଅହଂକାରୀ ବିଜେଡି ନିଜ ଅନ୍ତ ସମୟରେ ଆତ୍ମଗର୍ବର ଶିକାର ହୋଇ ସମସ୍ତ ନୀତି, ନିୟମ ଓ ଆଇନକୁ ତୁଛ ମନେ କରି ଯାହା ଚାହିଁଲେ, ତାହା କରିଚାଲିଲେ । ଓଡିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇଚାଲିଲେ । ବିଜେଡିର ଏଭଳି କାର୍ଯ୍ୟକୁ ଓଡିଶାବାସୀ ଆଦୈା କ୍ଷମା କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେହିପରି ସିଏଜି ରିପୋର୍ଟରେ ବିଜେଡି ସରକାର ଅମଳରେ ହୋଇଥିବା ବ୍ୟାପକ ଖଣି ଦୁର୍ନୀତି ମଧ୍ୟ ପ୍ରକାଶ ପାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଖଣି ପ୍ରଭାବିତ ଅଂଚଳର ବିକାଶ ପାଇଁ ୨୦୧୫ ମସିହାରେ ଗଠିତ ଡିଏମଏଫ ପାଂଠିର ଅଡିଟ ସିଏଜି ଅନ୍ତର୍ଭୁକ୍ତ ନଥିଲା । ୨୦୨୩ ମସିହାରେ ଏହି ସ୍ୱତନ୍ତ୍ର ପାଂଠିର ଅଡିଟ୍ ସିଏଜି ଦ୍ୱାରା ଆରମ୍ଭ ହୋଇଥିଲା । ଏହି ୮ ବର୍ଷ ଅବଧି ସମୟରେ ତତ୍କାଳୀନ ବିଜେଡି ସରକାର ଡିଏମଏଫ ପାଂଠିକୁ ନିଜ ଏବଂ ନିଜ ଦଳୀୟ ସ୍ୱାର୍ଥ ପାଇଁ ମନଇଚ୍ଛା ହରିଲୁଟ କରିଚାଲୁଥିଲେ । ଯାହା ଏହି ସିଏଜି ରିପୋର୍ଟରେ ସ୍ପଷ୍ଟ ପ୍ରକାଶ ପାଇଛି । ଡିଏମଏଫ ପାଂଠିରେ ୧୩୧ କୋଟି ଟଙ୍କାରେ ହକି ଷ୍ଟାଡିୟମ ନିର୍ମାଣ, ଯାଜପୁରରେ ହୋଲସେଲ ମାର୍କେଟ ନିର୍ମାଣ, ମିଶନ ଶକ୍ତି କାଫେ ନିର୍ମାଣ, ମହୁ ଉତ୍ପାଦନ, ଲାଇଟ ପୋଷ୍ଟ ସ୍ଥାପନ ଭଳି ଅନେକ ବେଆଇନ କାର୍ଯ୍ୟ କରାଯାଇଛି । ଏହି ୮ଟି ଜିଲ୍ଲାର ୯୭୬ଟି ଅଣ ଖଣି ଗ୍ରାମରେ ୯୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୫୮୪ଟି ଖଣି ପ୍ରଭାବିତ ଗ୍ରାମରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନହେବା ଡିଏମଏଫ ପାଂଠିର ବ୍ୟାପକ ଅନିୟମିତତା ଏବଂ ଏଥିରେ ତତ୍କାଳୀନ ବିଜେଡି ସରକାରର ସଂପୃକ୍ତିକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ନେତା ଶ୍ରୀ ଗୈାତମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking