ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ନଦୀ ପ୍ରବାହିତ। ରାଜଘାଟଠାରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ। ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଏବେ ୧୧.୬୮ ମିଟରରେ ପ୍ରବାହିତ ହେଉଛି ବନ୍ୟା ଜଳ। ସେହିପରି ମଥାନୀଠାରେ ଜଳକା ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ୬.୬୪ ମିଟରରେ ଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ବର ଜିଲ୍ଲାରେ ତଳିଆ ଅଂଚଳ ବାଲିଆପାଳ ଏବଂ ଭୋଗରାଇରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା। ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜଳ ନିଷ୍କାସନର ସୁବିଧା ନଥିବାରୁ କିଛି ଦିନ ପୂର୍ବରୁ ରୁଆ ଯାଇଥିବା ଧାନ ତଳି ସବୁ ପାଣିରେ ବୁଡି ନଷ୍ଟ ହେଲାଣି। ହଜାର ହଜାର ହେକ୍ଟର ପନିପରିବା ଚାଷ ଉଜୁଡି ଯାଇଛି। ଲୋକଙ୍କ ଘର ଭିତରେ ବନ୍ୟା ପାଣି ପଶି ଧାନ ଚାଉଳ ସବୁ ନଷ୍ଟ ହୋଇଛି। ରାସ୍ତା ଉପରେ ୪-୫ ଫୁଟର ବନ୍ୟା ପାଣି ଲହଡି ମାରୁଛି। ଦେଶୀ ଡଙ୍ଗା ଏବଂ କଦଳୀ ଭୋଳା ସାହାଯ୍ୟରେ ଯାତାୟତ କରୁଛନ୍ତି ଲୋକେ।










