ଭୁବନେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଅଧିକ ପରିମାଣରେ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଶନିବାର ଆଉ ୨ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ହୀରାକୁଦର ବାମ ପାର୍ଶ୍ୱରେ ୧୬ଟି ଏବଂ ଡାହାଣ ପାର୍ଶ୍ୱରେ ୮ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଅଧିକ ପରିମାଣରେ ଜଳ ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍ ଖୋଲାଯାଉଛି।ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୩ ଲକ୍ଷ ୮୩ ହଜାର ୫୭୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୮ ଫୁଟରେ ପହଞ୍ଚିଛି।
ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଗକୁ ହୀରାକୁଦର ଆହୁରି କିଛି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି। ଫଳରେ ମହାନଦୀ ଅବବାହିକାରେ ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ହୀରାକୁଦରୁ ଅଧିକ ପରିମାଣରେ ଜଳ ନିଷ୍କାସନ ପରେ ମହାନଦୀ ଅବବାହିକାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି। ସୋନପୁର ରାସ୍ତାରେ ଥିବା ଗୁଣ୍ଡେରପୁର ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରାଯାଉଛି। ବିଶେଷକରି ନଦୀ ନିକଟକୁ ନଯିବା ଏବଂ ନଦୀ ମଧ୍ୟକୁ ପ୍ରବେଶ ନକରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି।










