କୋଲ୍କାତା: ଚଳିତ ଆଇପିଏଲ୍ରେ ଶୁକ୍ରବାର ଏଠାକାର ଇଡେନ୍ ଗାର୍ଡେନ୍ସଠାରେ ସଂସ୍କରଣର ଊନବିଂଶ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ସନ୍ରାଇଜର୍ସ ହାଇଦ୍ରାବାଦ ୨୩ ରନ୍ରେ ବିଜୟୀ ହୋଇଛି । ଘରୋଇ କୋଲକାତା ବିପକ୍ଷ ଏହି ମ୍ୟାଚ୍ରେ ଦଳ ପ୍ରଥମେ ବ୍ୟାଟିଂ ପାଇ ଓପନର ହ୍ୟାରୀ ବ୍ରୁକ୍ଙ୍କ ଅପରାଜିତ ଶତକ ସହାୟତାରେ ୪ଟି ୱିକେଟ୍ ବିନିମୟରେ ୨୨୮ ରନ୍ର ବଡ଼ ସ୍କୋର୍ କରିଥିଲା । ଜବାବରେ କୋଲ୍କାତା ୭ ୱିକେଟ୍ ହରାଇ ୨୦୫ ରନ୍ କରିପାରିଥିଲା ।
ହାଇଦ୍ରାବାଦ ପାଇଁ ବ୍ରୁକ୍ଙ୍କ ସହ ୪୬ ରନ୍ ଯୋଡ଼ିବା ପରେ ଅନ୍ୟତମ ଓପନର ମୟଙ୍କ ଅଗରୱାଲ୍ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ପରେ ରାହୁଲ୍ ତ୍ରିପାଠୀ ୨ଟି ଚୌକା ସହ ୯ ରନ୍ରେ ବିଦାୟ ନେଇଥିଲେ । ଏହି ସମୟରେ ବ୍ରୁକ୍ ଓ ଅଧିନାୟକ ଆଇଡେନ୍ ମାର୍କରାମ୍ଙ୍କ ମଧ୍ୟରେ ୬୨ ରନ୍ର ମଜଭୁତ ଭାଗୀଦାରୀ ହୋଇଥିଲା । ଏଥିରେ ମାର୍କରାମ୍ଙ୍କର ୫୦ ରନ୍ର ଅବଦାନ ଥିଲା । ଏଥିପାଇଁ ସେ ମାତ୍ର ୨୬ଟି ବଲ୍ ଏବଂ ୨ଟି ଚୌକା ଓ ୫ଟି ଛକାର ସହାୟତା ନେଇଥିଲେ । ମାର୍କରାମ୍ ଆଉଟ୍ ହେବା ପରେ ବ୍ରୁକ୍ ପୁଣି ଏକ ବଡ଼ ଭାଗୀଦାରୀ କରିଥିଲେ । ଏଥର ତାଙ୍କୁ ସାଥ୍ ଦେଇଥିଲେ ଅଭିଷେକ ଶର୍ମା । ଉଭୟଙ୍କ ମଧ୍ୟରେ ମାତ୍ର ୩୨ଟି ବଲ୍ରେ ୭୨ ରନ୍ର ଭାଗୀଦାରୀ ହେବା ଫଳରେ ଦଳୀୟ ସ୍କୋର୍ ୨୦୦ ଟପିଥିଲା । ଅଭିଷେକ ମାତ୍ର ୧୭ ବଲ୍ରେ ୩ଟି ଚୌକା ଓ ୨ଟି ଛକା ସହ ୩୨ ରନ୍ କରିଥିଲେ । ପରେ ବ୍ରୁକ୍ ଚଳିତ ସଂସ୍କରଣରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଶତକ ପୂରଣ କରିଥିଲେ । ସେ ମାତ୍ର ୫୫ ବଲ୍ ଖେଳି ୧୨ଟି ଚୌକା ଓ ୩ଟି ଛକା ସହ ୧୦୦ ରନ୍ରେ ଅପରାଜିତ ଥିଲେ । ତାଙ୍କ ସହ ଅପରାଜିତ ଥିବା ହେନ୍ରିକ୍ କ୍ଲାସେନ୍ ମାତ୍ର ୬ ବଲ୍ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୧୬ ରନ୍ କରିଥିଲେ । କୋଲ୍କାତା ପକ୍ଷରୁ ଆନ୍ଦ୍ରେ ରସେଲ୍ ୩ଟି ଓ ବରୁନ୍ ଚକ୍ରବର୍ତ୍ତୀ ଗୋଟିଏ ୱିକେଟ୍ ନେଇଥିଲେ ।
ବ୍ୟାଟିଂରେ କୋଲ୍କାତା ପକ୍ଷରୁ ଅଧିନାୟକ ନୀତୀଶ ରାଣା ସର୍ବାଧିକ ୭୫ ରନ୍ କରିଥିଲେ । ଚଳିତ ସଂସ୍କରଣରେ ସେ ତାଙ୍କର ପ୍ରଥମ ଅର୍ଦ୍ଧଶତକ କରିବା ସହ ୭୫ ରନ୍ ପାଇଁ ୪୧ଟି ବଲ୍ ଏବଂ ୫ଟି ଚୌକା ଓ ଗୋଟିଏ ଛକାର ସହାୟତା ନେଇଥିଲେ । ଏହାଛଡ଼ା ଗତ ମ୍ୟାଚ୍ର ହିରୋ ରିଙ୍କୁ ସିଂହ ୩୧ ବଲ୍ ଖେଳି ୪ଟି ଲେଖାଏଁ ଚୌକା ଓ ଛକା ଜରିଆରେ ଅପରାଜିତ ୫୮ ରନ୍ କରିଥିଲେ । ଏହାଛଡ଼ା ଓପନର ଏନ. ଜଗଦୀଶନ୍ ୨୧ ବଲ୍ରେ ୫ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୩୬ ରନ୍ର ଯୋଗଦାନ ଦେଇଥିଲେ । ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନ୍ସନ୍ ଓ ମୟଙ୍କ ମାର୍କଣ୍ଡେ ୨ଟି ଲେଖାଏଁ ଏବଂ ଭୁବନେଶ୍ୱର କୁମାର, ଟି. ନଟରାଜନ୍ ଓ ଉମରାନ୍ ମଲିକ ଗୋଟିଏ ଲେଖାଏଁ ଓ୍ିକେଟ୍ ପାଇଥିଲେ ।