39.1 C
Bhubaneswar
Friday, April 26, 2024
Homeଓଡିଶାଶିଖରଚଣ୍ଡୀ ପାହାଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ବ୍ୟବଚ୍ଛେଦ ରିପୋର୍ଟ କହୁଛି ଆତ୍ମହତ୍ୟା

ଶିଖରଚଣ୍ଡୀ ପାହାଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ବ୍ୟବଚ୍ଛେଦ ରିପୋର୍ଟ କହୁଛି ଆତ୍ମହତ୍ୟା

ଭୁବନେଶ୍ୱର: ଶିଖରଚଣ୍ଡୀ ପାହାଡ଼ରୁ ଇଞ୍ଜିନିୟର ଅବିନାଶ ପ୍ରଧାନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପରିବାର ଏହି ଘଟଣାକୁ ଯୋଜନାବଦ୍ଧ ହତ୍ୟା କହୁଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅଲଗା ଦର୍ଶାଉଛି । ଅବିନାଶଙ୍କ ଶରୀରରେ ଆଭ୍ୟନ୍ତରୀଣ ଆଘାତ ନାହିଁ । ତେଣୁ ତାଙ୍କୁ କେହି ମାରପିଟ୍ କରିନଥିବା ସ୍ପଷ୍ଟ ହୋଇଛି । ଏଥିସହ ବେକରେ ମଧ୍ୟ କିଛି ଦାଗ ନଥିବାରୁ ତଣ୍ଟି ମଧ୍ୟ ଚିପାଯାଇନି । ତେଣୁ ଏହା ଏକ ଆତ୍ମହତ୍ୟା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ପୁଲିସ ହାତରେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇନାହିଁ । କିନ୍ତୁ ବ୍ୟବଚ୍ଛେଦ କରିଥିବା ଡାକ୍ତର ପୁଲିସକୁ ଏହି ସୂଚନା ଦେଇଛନ୍ତି । ଦିନେ କି ଦୁଇଦିନ ଭିତରେ ରିପୋର୍ଟ ଆସିବା ପରେ ପୁଲିସ ଘଟଣା ଉପରୁ ପରଦା ହଟାଇବ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ଅବିନାଶଙ୍କ ପରିବାରଲୋକଙ୍କୁ ପୁଲିସ ପଚରାଉଚରା କରିଛି । ପୁଅ କାହା ସହ ମିଶେ, କୁଆଡ଼େ ଯାଆନ୍ତି, ସବୁଦିନ କେତେବେଳେ ଘରକୁ ଫେରନ୍ତି, ଏଭଳି ଅନେକ ତଥ୍ୟ ପୁଲିସ ସଂଗ୍ରହ କରିଛି । ଏଥିସହ ଅବିନାଶଙ୍କ ପ୍ରେମିକାର ଘରଲୋକଙ୍କୁ ଜେରା କରାଯାଇଥିବା କୁହାଯାଉଛି । ସେହିପରି ଶିଖରଚଣ୍ଡୀ ପାହାଡ଼ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ସମସ୍ତ ସିସିଟିଭି ଫୁଟେଜ୍ ପୁଲିସ ଯାଞ୍ଚ କରିଛି । ମିଳିଥିବା ଏକ ସିସିଟିଭି ଫୁଟେଜ୍ ଅନୁସାରେ, ଅବିନାଶ ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ବାହାରି ଶିଖରଚଣ୍ଡୀ ଅଭିମୁଖେ ଯାଇଥିଲେ । ତାଙ୍କ ପଛରେ ଦୁଇଟି ବାଇକ୍ ମଧ୍ୟ ଯାଇଥିଲା । ହେଲେ କିଛି ସମୟ ପରେ ସେହି ଦୁଇଟି ବାଇକ୍ ଫେରିଥିଲା।

କିନ୍ତୁ ଅବିନାଶ ଫେରିନଥିଲେ । ଏହି ସିସିଟିଭି ଫୁଟେଜ୍ ପୁଲିସ ରଖିଥିବା କୁହାଯାଉଛି । କିନ୍ତୁ ପୁଲିସକୁ ପଚାରିବାକୁ ଏସମ୍ପର୍କରେ କିଛି କହିନାହାନ୍ତି । ଏଥିସହ ଶୁକ୍ରବାର ଗ୍ୟାଲେକ୍ସି ଗାର୍ଡ଼େନକୁ ଯାଇ ପୁଲିସ ଛାନଭିନ୍ କରିଛି । ଖାଲି ଏତିକି ନୁହେଁ, ଅବିନାଶ ଘଟଣାଦିନ କାହା ସହ କଥା ହୋଇଥିଲେ, କୁଆଡ଼େ ଯାଇଥିଲେ, ଏହିସବୁ ତଥ୍ୟ ଜାଣିବାକୁ ପୁଲିସ ସିଡ଼ିଆର୍ ଯାଞ୍ଚ ମଧ୍ୟ କରିଛି । ତେବେ ଅବିନାଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି । ଯଦି ଆତ୍ମହତ୍ୟା କରିଲେ ତା’ହେଲେ ପାହାଡ଼ ଉପରେ ପେଟ୍ରୋଲ ଢ଼ାଳି କାହିଁକି କଲେ, ତାଙ୍କୁ ସେଠାକୁ କିଏ ଡାକିଥିଲା କି, ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଥିବାବେଳେ ତଦନ୍ତ ସରିବା ପରେ ହିଁ କିଛି କହିହେବ ବୋଲି ପୁଲିସ କହିଛି ।

ସୂଚନା ଅନୁଯାୟୀ, ଅବିନାଶ ଚନ୍ଦ୍ରଶେଖରପୁର ଥାନା ନିକଟ ଏକ ଆଇଟି କମ୍ପାନୀର ସଫ୍ଟଓୟାର ଇଞ୍ଜିନିୟର ଭାବେ କାମ କରୁଥିଲେ । ଗୁରୁବାର ରାତିରେ ଶିଖରଚଣ୍ଡୀ ପାହାଡ଼ରୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ କିମ୍ସ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ଅବିନାଶଙ୍କ ବାଇକ୍‌, ଏକ ହ୍ୟାଣ୍ଡବ୍ୟାଗ, ହ୍ୟାଣ୍ଡବ୍ୟାଗରୁ ଏକ ଡାଏରି, ପେଟ୍ରୋଲ ଆସିଥିବା ପ୍ଲାଷ୍ଟିକ୍ ବୋତଲ, ଚପଲ ପୁଲିସ ଜବତ କରିଛି । ତେବେ ଡାଏରିର ଏକ ଫର୍ଦ୍ଧରେ ଅବିନାଶ ବହୁଦିନ ପୂର୍ବରୁ ତାଙ୍କ ପ୍ରେମିକାଙ୍କ ଉଦ୍ଧେଶ୍ୟରେ କିଛି ଲେଖିଥିଲେ । ତାହାକୁ ପୁଲିସ ସୁଇସାଇଡ୍ ନୋଟ୍ ବୋଲି ଭାବି ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking