29.1 C
Bhubaneswar
Sunday, May 19, 2024
Homeଖେଳରାଜସ୍ଥାନର ବିଜୟ ଧାରା ବ୍ରେକ୍ ଲଗାଇଲା ଗୁଜରାଟ; ଚୌକା ମାରି ବିଜୟ ଦେଲେ ରଶିଦ୍ ଖାନ୍‌

ରାଜସ୍ଥାନର ବିଜୟ ଧାରା ବ୍ରେକ୍ ଲଗାଇଲା ଗୁଜରାଟ; ଚୌକା ମାରି ବିଜୟ ଦେଲେ ରଶିଦ୍ ଖାନ୍‌

ଜୟପୁର: ରାଜସ୍ଥାନ ରୟାଲ୍ସର ବିଜୟର ଧାରାରେ ବ୍ରେକ୍ ଲଗାଇଛି ଗୁଜରାଟ ଟାଇଟନ୍ସ । ବୁଧବାର ସ୍ଥାନୀୟ ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୩ ୱିକେଟ୍‌ରେ ବିଜୟୀ ହୋଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ରାଜସ୍ଥାନ ରୟାଲ୍ସ ୩ ୱିକେଟ୍ ବିନିମୟରେ ୧୯୬ ରନ୍ କରିଥିଲା । ଜବାବରେ ଅନ୍ତିମ ବଲ୍‌ରେ ରଶିଦ୍ ଖାନ୍‌ଙ୍କ ଚୌକା ସହାୟତାରେ ଗୁଜରାଟ ୭ ୱିକେଟ୍ ବିନିମୟରେ ୧୯୯ ରନ୍ କରି ବିଜୟୀ ହୋଇଛି । ଏହା ୬ଟି ମ୍ୟାଚ୍‌ରୁ ଗୁଜରାଟର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ପାଞ୍ଚଟି ମ୍ୟାଚ୍‌ରୁ ରାଜସ୍ଥାନର ପ୍ରଥମ ପରାଜୟ ।

୧୯୭ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଗୁଜରାଟର ଆରମ୍ଭ ଠିକ୍‌ଠାକ୍ ଥିଲା । ଓପ୍ନର୍ ସାଇ ସୁଦର୍ଶନ ପ୍ରଥମ ଓଭର୍ ବୋଲିଂ କରିବାକୁ ଆସିଥିବା ଟ୍ରେଣ୍ଟ୍ ବୋଲ୍ଟଙ୍କୁ ଚୌକା ମାରି ଇନିଂସ୍ ଆରମ୍ଭ କରିଥିଲେ । ଦୁଇ ଓପ୍ନର୍ ସପ୍ତମ ଓଭର୍‌ରେ ୫୦ ରନ୍ ପୂରଣ କରିଥିଲେ । ତେବେ ସୁଦର୍ଶନ ୩୫ ରନ୍ କରିଥିବା ବେଳେ ନବମ ଓଭର୍‌ରେ କୁଲଦୀପ୍ ସେନ୍‌ଙ୍କ ଶିକାର ହୋଇଥିଲେ । ଏହାପରେ ୧୦ମ ଓଭର୍‌ରେ ମାଥ୍ୟୁ ୱେଡ୍ (୪) ଓ ଅଭିନବ ମନୋହରଙ୍କୁ ବୋଲ୍ଡ କରି କୁଲଦୀପ୍ ଟିମ୍‌କୁ ଡବଲ୍ ଝଟ୍‌କା ଦେଇଥିଲେ । ଟିମ୍ ୭୨ ରନ୍‌ରେ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ବେଳେ ବିଜୟ ଶଙ୍କର କ୍ୟାପ୍‌ଟେନ୍ ଶୁବମନ ଗିଲ୍‌ଙ୍କ ସହ ଯୋଗଦେଇ ଇନିଂସ୍ ଆଗେଇ ନେବାକୁ ଉଦ୍ୟମ କରିଥିଲେ । ଉଭୟ ୩୨ ରନ୍‌ର ଭାଗୀଦାରି କରିଥିଲେ । ତେବେ ୟୁଜବେନ୍ଦ୍ର ଚହଲ ପ୍ରଥମେ ବିଜୟ ଶଙ୍କର (୧୬) ଏବଂ ପରେ ଗିଲ୍‌ଙ୍କ ଆଉଟ୍ କରି ଗୁଜରାଟ ବିଜୟ ଆଶା ମଉଳାଇ ଦେଇଥିଲେ । ଗିଲ୍ ୪୪ ବଲ୍‌ରେ ୬ ଚୌକା ଓ ଦୁଇଟି ଛକା ସହାୟତାରେ ୭୨ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଇତିମଧ୍ୟରେ ସେ ଇନିଂସ୍‌ର ଷଷ୍ଠ ଓଭର୍‌ର ଟି-୨୦ କ୍ୟାରିୟର୍‌ରେ ୪ ହଜାର ରନ୍ ପୂରଣ କରିଥିଲେ । ଶାହରୁଖ୍ ଖାନ୍ ୧୪ ବଲ୍‌ରେ ଆଉଟ୍ ହେବାପରେ ରାହୁଲ ତେୱତିଆ ଓ ରଶିଦ୍ ଖାନ୍ ୩୮ ରନ୍ ଯୋଗକରି ଟିମ୍‌ର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ଅନ୍ତିମ ଓଭର୍‌ରେ ୧୯ ରନ୍‌ର ଆବଶ୍ୟକତା ଥିବାବେଳେ ୧୯୫ ରନ୍‌ର ସ୍କୋର୍‌ରେ ତେୱତିଆ ରନ୍ ଆଉଟ୍ ହୋଇଥିଲେ । ଏହାପରେ ଆଭେସ୍ ଖାନ୍‌ଙ୍କ ଅନ୍ତିମ ବଲ୍‌ରେ ରଶିଦ୍ ଖାନ୍ ଚୌକା ମାରି ଟିମ୍‌କୁ ବହୁ ପ୍ରତୀକ୍ଷିତ ବିଜୟ ଦେଇଥିଲେ । ରାଜସ୍ଥାନ ପକ୍ଷରୁ କୁଲଦୀପ୍ ସେନ୍ ୩ଟି, ଚହଲ ୨ଟି ଏବଂ ଆଭେସ୍ ଖାନ୍‌ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ଭଲ ନଥିଲା । ଟିମ୍ ୩୨ ରନ୍‌ର ସ୍କୋର୍‌ରେ ପୂର୍ବ ମ୍ୟାଚ୍‌ର ଶତକଧାରୀ ଜୋଶ୍ ବଟ୍‌ଲର୍ (୮)ଙ୍କୁ ହରାଇଥିଲା । ରଶିଦ୍ ଖାନ୍ ତାଙ୍କୁ ରାହୁଲ ତେୱତିଆଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଏହାପରେ ଯଶସ୍ୱୀ ଜୟସ୍ୱାଲ୍ ୨୪ ରନ୍ କରି ଉମେଶ ଯାଦବଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ୪୨ ରନ୍‌ରେ ଦୁଇ ୱିକେଟ୍‌ର ପତନ ପରେ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ ଓ ରିୟାନ ପରାଗ ଇନିଂସ୍ ସମ୍ଭାଳି ଟିମ୍‌ର ସ୍କୋର୍ ୧୫୦ ରନ୍ ପାର୍ କରାଇଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୧୩୦ ରନ୍‌ର ଭାଗୀଦାରି କରିଥିଲେ । ରିୟାନ୍ ପରାଜ ୪୮ ବଲ୍‌ରେ ୩ ଚୌକା ଓ ୫ ଛକା ସହାୟତାରେ ୭୬ ରନ୍ କରିଥିବା ବେଳେ ମୋହିତ ଶର୍ମା ତାଙ୍କୁ ବିଜୟ ଶଙ୍କର ହାତରେ କ୍ୟାଚ୍ କରାଇ ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ । ଏହାପରେ କ୍ରିଜ୍‌କୁ ଆସିଥିବା ଶିମ୍‌ରନ୍ ହେଟ୍‌ମେୟର ଧୂଆଁଧାର ବ୍ୟାଟିଂ କରି ୫ ବଲ୍‌ରେ ଗୋଟିଏ ଲେଖାଏଁ ଛକା ଓ ଚୌକା ସହାୟତାରେ ୧୩ ରନ୍ କରିବା ସହ ଟିମ୍‌ର ସ୍କୋର୍ ୩ ୱିକେଟ୍ ବିନିମୟରେ ୧୯୬ ରନ୍‌ରେ ପହଞ୍ଚାଇଥିଲେ । ସାମ୍‌ସନ୍ ୬୮ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ତାଙ୍କର ଏହି ୩୮ ବଲ୍‌ର ଅର୍ଦ୍ଧଶତକୀୟ ଇନିଂସ୍‌ରେ ୭ ଚୌକା ଓ ୨ ଛକା ସାମିଲ ଥିଲା । ଗୁଜରାଟ ଟାଇଟନ୍ସ ପକ୍ଷରୁ ଉମେଶ ଯାଦବ, ରଶିଦ୍ ଖାନ୍ ଓ ମୋହିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking