ଇସ୍ରାଏଲ: ଗତ ୨୦୨୩ବର୍ଷ ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣର ଶିକାର ହୋଇଥିବା ଅନେକ ଇସ୍ରାଏଲୀୟ ଲୋକ ଏପର୍ଯ୍ୟନ୍ତ ନିଜର ଦୁଃଖ ଭୁଲି ପାରି ନାହାନ୍ତି । ଏହି ଆକ୍ରମଣ ଇସ୍ରାଏଲ ଲୋକଙ୍କ ଆତ୍ମବିଶ୍ୱାସକୁ ଥରାଇ ଦେଇଛି । ଇସ୍ରାଏଲ୍ ନାଗରିକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇଛି । ଫଳରେ ବହୁ ମହିଳା ନିଜ ପାଖରେ ବନ୍ଧୁକ ରଖିବାକୁ ଚାହୁଁଛନ୍ତି । ସେମାନେ ହମାସ ବିରୋଧରେ ଲଢ଼ିବାକୁ ଚାହୁଛନ୍ତି । ଆମକୁ ବନ୍ଧୁକ ଦିଅ ଆମେ ଯୁଦ୍ଧ କରିବୁ ବୋଲି ସେମାନେ କହିଛନ୍ତି । ବନ୍ଧୁକ ଅନୁମତି ପାଇଁ ଆବେଦନ କରୁଥିବା ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସୁରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଆକ୍ରମଣ ପରଠାରୁ ମହିଳାମାନଙ୍କ ଦ୍ୱାରା ବନ୍ଧୁକ ଅନୁମତି ପାଇଁ ୪୨,୦୦୦ ଆବେଦନ କରାଯାଇଛି । ସେଥି ମଧ୍ୟରୁ ୧୮,୦୦୦କୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ଏହି ସଂଖ୍ୟା ଯୁଦ୍ଧ ପୂର୍ବରୁ ମହିଳାଙ୍କ ପାଖରେ ଥିବା ଲାଇସେନ୍ସ ସଂଖ୍ୟାଠାରୁ ତିନି ଗୁଣ ଅଧିକ । ନାରୀବାଦୀ ଗୋଷ୍ଠୀ ପକ୍ଷରୁ ଏଭଳି ପ୍ରସଙ୍ଗକୁ ସମାଲୋଚନା କରାଯାଇଛି । ଲାଇସେନ୍ସ ପାଇଁ ଆବେଦନଗୁଡ଼ିକ ବୃଦ୍ଧି ପାଇବାରେ ଲାଗିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟ।।ନାହୁ ସରକାରଙ୍କ ଦକ୍ଷିଣପନ୍ଥୀ ସୁରକ୍ଷା ମନ୍ତ୍ରୀ ଇଟାମର ବେନ୍ ଗିଭର୍ କହିଛନ୍ତି । ବନ୍ଧୁକ ଆଇନ କୋହଳ କରାଯିବା ପରେ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ଅଧିକୃତ ୱେଷ୍ଟବ୍ୟାଙ୍କର ୧୫,୦୦୦ ରୁ ଅଧିକ ମହିଳାଙ୍କ ପାଖରେ ବନ୍ଧୁକ ରହିଛି । ସେଥିମଧ୍ୟରୁ ୧୦,୦୦୦ ମହିଳା ବାଧ୍ୟତାମୂଳକ ତାଲିମରେ ନାମ ଲେଖିଛନ୍ତି । ରାଜନୀତି ବିଜ୍ଞାନ ପ୍ରଫେସର ଲିମୋର ଗୋନେନ୍ ଏଏଫପିକୁ କହିଛନ୍ତି ଯେ ସେ ଅସ୍ତ୍ରଶସ୍ତ୍ର କିଣିବା କିମ୍ବା ଅନୁମତି ପାଇବା ବିଷୟରେ କେବେ ଚିନ୍ତା କରିନାହାନ୍ତି, କିନ୍ତୁ ଅକ୍ଟୋବର ୭ ପରେ ଜିନିଷ ବଦଳି ଯାଇଛି ।
ଇସ୍ରାଏଲର ନାଗରିକ ଗୋନେନ୍ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ତାଲିମ ନେଉଛନ୍ତି, ଯାହା ବନ୍ଧୁକ ଅନୁମତି ପାଇବା ବାଧ୍ୟତାମୂଳକ ଅଟେ । ଏକ ପ୍ରଶିକ୍ଷଣ ଅଧିବେଶନ ପରେ ସେ କହିଛନ୍ତି ଯେ ଅକ୍ଟୋବର ୭ ଆମ ସମସ୍ତଙ୍କୁ ଟାର୍ଗେଟ କରାଯାଇଥିଲା ଏବଂ ମୁଁ ଆଉ ଆଶ୍ଚର୍ଯ୍ୟ ହେବାକୁ ଚାହେଁ ନାହିଁ । ତେଣୁ ମୁଁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛି । ୭ ଅକ୍ଟୋବର ୨୦୨୩ରେ, ଗାଜା ଅଞ୍ଚଳକୁ ଶାସନ କରୁଥିବା ଉଗ୍ରବାଦୀ ସଂଗଠନ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ହମାସ ଯୋଦ୍ଧାମାନେ ଇସ୍ରାଏଲରେ ପ୍ରବେଶ କରିଥିଲେ । ଏହି ଆକ୍ରମଣରେ ୧୧୯୪ ଇସ୍ରାଏଲ୍ ନିହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ଥିଲେ । ହମାସ ଉଗ୍ରବାଦୀମାନେ ମହିଳା ଏବଂ ଶିଶୁମାନଙ୍କୁ ମଧ୍ୟ ଛାଡି ନ ଥିଲେ । ଏହା ସହିତ ସେମାନେ ପ୍ରାୟ ୨୫୦ ଇସ୍ରାଏଲୀୟଙ୍କୁ ବନ୍ଧକ ଭାବରେ ନେଇଥିଲେ । ଏହି ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଏକ ବଡ଼ ଧରଣର ସାମରିକ ଅପରେସନ ଆରମ୍ଭ କରିଥିଲା, ଯାହା ଏବେବି ଜାରି ରହିଛି । ଗାଜା ଷ୍ଟ୍ରିପରେ ହମାସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ପ୍ରତିଶୋଧ ପରାୟଣ ଆକ୍ରମଣରେ ଏହି ଅଞ୍ଚଳରେ ଅତି କମରେ ୩୭,୪୩୧ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ।