ନୂଆଦିଲ୍ଲୀ: ସାରା ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀ ଶୁକ୍ରବାର ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଦୀର୍ଘ ଦିନର ଦାବି ସରକାର ପୂରଣ କରୁ ନଥିବାରୁ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଏହି ପଦକ୍ଷେପ ନେଇଛି । ତେବେ ଶୁକ୍ରବାର ସହ କ୍ରମାଗତ ୫ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ । କାରଣ ଶୁକ୍ରବାର ପରେ ୧୨ ତାରିଖ ଦ୍ୱିତୀୟ ଶନିବାର , ତାପର ଦିନ ରବିବାର, ସେମବାର ଗଣେଶ ପୂଜା ଓ ମଙ୍ଗଳବାର ନୂଆଁଖାଇ ଛୁଟି ପଡୁଛି । ସୂଚନା ଅନୁଯାୟୀ, ୫ ଦିନିଆ କାର୍ଯ୍ୟ ଦିବସ , ପିଏଲଆଇ ପ୍ରତ୍ୟାହାର, ପେନସନ ସହିତ ଅନ୍ୟ ଦାବି ପୂରଣ ପାଇ ସଂଘ ଦାବି କରିଆସୁଛି । ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏହାକୁ ପୂରଣ କରାଯାଇ ନାହିଁ ବୋଲି ସଂଘ କହିଛି । ଏହା ପୂର୍ବରୁ ପିଏଲଆଇ ଯୋଜନାକୁ କେନ୍ଦ୍ର ସରକାର ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ ।ମାତ୍ର ସଂଘ ଏତିକିରେ ସନ୍ତୁଷ୍ଟ ହୋଇନାହିଁ । ଏହି ଧର୍ମଘଟ ଏଡାଇବା ପାଇଁ ବ୍ୟାଙ୍କ ସଂଘ ଓ ସରକାରଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ଏଥିରୁ କୌଣସି ଫଳାଫଳ ବାହାରି ପାରିନଥିଲା । ୟୁଏଫବିୟୁ ପକ୍ଷରୁ କୁହାଯାଇଛି ଯେ, ସପ୍ତାହକୁ ୫ ଦିନିଆ କାର୍ଯ୍ୟ ଦିବସ ଦାବି ପୂରଣ ନହେବା ଯାଏଁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ଦେବା ନ ଯାଏ ଧର୍ମଘଟ ପ୍ରତ୍ୟାହାର କରାଯିବ ନାହିଁ । ଏଥର ଦାବି ପୂରଣା ନହେଲେ ସେପ୍ଟେମ୍ବର ୨୮, ୨୯ ଓ ୩୦ରେ ପୁଣି କର୍ମଚାରୀ କାର୍ଯ୍ୟ ବନ୍ଦ କରିବେ । ଏହା ସତ୍ତ୍ୱେ ସରକାର ନଶୁଣିଲେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଧର୍ମଘଟ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି ।










