ବ୍ରିସ୍ବେନ୍: ଅଷ୍ଟ୍ରେଲିଆ ଓ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ସ୍ଥାନୀୟ ଦ ଗାବା ଷ୍ଟାଡିୟମ୍ରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍ରେ ଘରୋଇ ଟିମ୍ ବିଜୟ ଠାରୁ ୧୫୬ ରନ୍ ଦୂରରେ ରହିଛି । ଶନିବାର ଏହି ଦିବା ରାତ୍ର ଟେଷ୍ଟ୍ର ତୃତୀୟ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍ରେ ୨ ୱିକେଟ୍ ହରାଇ ୬୦ ରନ୍ କରିଛି । ଷ୍ଟିଭ୍ ସ୍ମିଥ୍ ୩୩ ଏବଂ କାମେରୁନ୍ ଗ୍ରୀନ୍ ୯ ରନ୍ କରି ଅପରାଜିତ ଅଛନ୍ତି । ଶନିବାର ୱେଷ୍ଟଇଣ୍ଡିଜ୍ର ଦ୍ୱିତୀୟ ଇନିଂସ୍ ୧୯୩ ରନ୍ରେ ଶେଷ ହେବାରୁ କଙ୍ଗାରୁ ଟିମ୍ ନିକଟରେ ୨୧୬ ରନ୍ର ଲକ୍ଷ୍ୟ ସ୍ଥାପିତ ହୋଇଥିଲା ।
ଶନିବାର ୧୩/୧ରୁ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ୱେଷ୍ଟ୍ଇଣ୍ଡିଜ୍ ଆଉ ମାତ୍ର ୧୮୦ ରନ୍ ଯୋଗ କରିବାକୁ ସକ୍ଷମ ହୋଇଥିଲା । କ୍ୟାପ୍ଟେନ୍ କ୍ରେଗ୍ ବ୍ରାଥ୍ୱେଟ୍ (୧୬) ଆଉଟ୍ ହୋଇଥିଲେ । ସେ କିର୍କ ମ୍ୟାକେଞ୍ଜିଙ୍କ ସହ ୫୦ ରନ୍ର ଭାଗୀଦାରି କରିଥିଲେ । ଟିମ୍ ପକ୍ଷରୁ ସର୍ବାଧିକ ୪୧ ରନ୍ କରିଥିବା ମ୍ୟାକେଞ୍ଜିଙ୍କ ଆଉଟ୍ ପରେ ଟିମ୍ର ବ୍ୟାଟିଂ ଅର୍ଡର୍ ଭୁଶୁଡ଼ି ପଡ଼ିଥିଲା । ଏଲିକ୍ ଆଥ୍ଲେଜ୍ ୩୫, ଜଷ୍ଟିନ୍ ଗ୍ରୀଭ୍ସ ୩୩, କେଭିନ୍ ହଜ୍ ୨୮ ଓ ଜୋଶୁଆ ଡି ସିଲ୍ଭା ୭ ରନ୍ କରି ଆଉଟ୍ ହୋଇଥିଲେ ।
ଅଲ୍ଜାରୀ ଯୋସେଫ୍ ଖାତା ଖୋଲିପାରି ନଥିବା ବେଳେ କେମାର ରୋଚ୍ ୧ ଏବଂ ଶମାର ଜୋସେଫ୍ ୩ ରନ୍ କରିଥିଲେ । କେଭିନ୍ ସିନ୍କ୍ଲେୟାର୍ ୧୪ ରନ୍ରେ ଅପରାଜିତ ଥିବାବେଳେ ନାଥନ୍ ଲିଅନ୍ ଓ ଜୋଶ୍ ହେଜଲ୍ଉଡ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ୨୧୬ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଉସ୍ମାନ୍ ଖ୍ୱାଜା (୧୦) ଓ ମାର୍ନସ୍ ଲାବୁସେନ୍ (୯)ଙ୍କ ୱିକେଟ୍ ହରାଇଥିଲା ।