ଅମ୍ବାଲା : ହରିଆଣାର ଅମ୍ବାଲାରେ ଶୁକ୍ରବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଦୁର୍ଘଟଣା ସକାଳ ସାଢ଼େ ୪ଟା ବେଳେ ପଞ୍ଚକୁଳା-ଯମୁନାନଗର ଏନ୍ଏଚ୍-୩୪୪ର କକ୍କଡ଼ ମାଜରା ଗାଁ ନିକଟରେ ହୋଇଛି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ସୂଚନା ଅନୁସାରେ ଉତ୍ତର ପ୍ରଦେଶର ବରେଲୀରୁ ଏକ ବସ୍ରେ ଶ୍ରମିକମାନେ ବଦ୍ଦି ଯାଉଥିବା ବେଳେ କକ୍କଡ଼ ମାଜରା ଗାଁ ନିକଟରେ ଏକ ଟ୍ରାଲା ବସ୍କୁ ପଛରୁ ଧକ୍କା ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗକ୍ରମେ ପୁଲିସ ଟ୍ରାଲା ଡ୍ରାଇଭର୍ ଚନ୍ଦ୍ରମୋହନ ଏବଂ ବସ୍ ଡ୍ରାଇଭର୍ ଫୁର୍କାନ୍ ବିରୋଧରେ କେସ୍ ରୁଜୁ କରି ତଦନ୍ତ ଚଳାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବସ୍ଟି ବିନା ଇଣ୍ଡିକେଟର ଏବଂ ପାର୍କିଂ ଲାଇଟ୍ରେ ରାଜପଥ କଡ଼ରେ ଅଟକିଥିଲା ।
ଡ୍ରାଇଭର୍ ବସ୍ରୁ ପ୍ରଥମେ ଓହ୍ଲାଇବା ପରେ ଅନ୍ୟ ଯାତ୍ରୀମାନେ ଓହ୍ଲାଇଥିଲେ । ଏହି ସମୟରେ ଶାହଜାଦପୁର ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରାଲା ବସ୍କୁ ଧକ୍କା ଦେଇଥିଲା । ଧକ୍କା ଲାଗିବା ପରେ ଉଭୟ ବାହନ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଟ୍ରାଲା ଡ୍ରାଇଭରଙ୍କୁ କାଚ ଭାଙ୍ଗି କ୍ୟାବିନ୍ରୁ ବାହାର କରାଯାଇଥିଲା । ସୂଚନା ପାଇ ପୁଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ବସ୍ରୁ ବାହାର କରିବା ସହିତ ହସ୍ପିଟାଲ୍ରେ ପହଞ୍ଚାଇଥିଲେ ।