32.1 C
Bhubaneswar
Friday, April 26, 2024
Homeଓଡିଶାକେନ୍ଦ୍ରମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ସମୀକ୍ଷା ପାଇଁ ଡ଼ାକି ଅଫିସରଙ୍କୁ ଆକ୍ରମଣ

କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ସମୀକ୍ଷା ପାଇଁ ଡ଼ାକି ଅଫିସରଙ୍କୁ ଆକ୍ରମଣ

ହାତ ଭାଙ୍ଗିବାରୁ ସହାୟକ ନିର୍ଦ୍ଦେଶକ ହସ୍ପିଟାଲରେ ଭର୍ତ୍ତି
ପାର୍ଟିଅଫିସ୍ ସଟର୍ ବନ୍ଦକରି ଚୌକିରେ ପିଟିଦେଲେ
ଭୁବନେଶ୍ୱର: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ହୋଇଛି । ମୟୁରଭଞ୍ଜ ଜିଲ୍ଲା ଯୋଜନାବୋର୍ଡ଼ର ନିର୍ଦ୍ଦେଶକ ଓ ସହାୟକ ନିର୍ଦ୍ଦେଶକଙ୍କୁ ସମୀକ୍ଷା କରିବାକୁ ବିଜେପି ପାର୍ଟି ଅଫିସକୁ ଡ଼ାକି ଆକ୍ରମଣ କରିଛନ୍ତି । ଏଥିରେ ସହାୟକ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଯାଇଥିବାବେଳେ ନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉଭୟଙ୍କୁ ବାରିପଦା ମେଡ଼ିକାଲ କଲେଜ ଓ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି । ଅନ୍ୟପକ୍ଷେ ଏହି ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରି କହିଛନ୍ତି, ମୋ ବିରୋଧରେ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ନିର୍ବାଚନ ଥିବାରୁ ବଦ୍‌ନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ସେମାନେ ସମୀକ୍ଷା କରିବାକୁ ଆସିଥିଲେ । ମୁଁ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମନା କରିଥିଲି । ପରେ ସେମାନେ ଫେରିଯାଇଥିଲେ ବୋଲି ଶ୍ରୀ ଟୁଡୁ କହିଛନ୍ତି ।

ଅଭିଯୋଗ ଅନୁସାରେ, ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ପାଇଁ ମନ୍ତ୍ରୀ ମନ ବଳାଇଥିଲେ । ଏନେଇ ମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଯୋଜନାବୋର୍ଡ଼ର ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲା । ତେବେ ଯୋଜନାବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶକ ଓ ସହାୟକ ନିର୍ଦ୍ଦେଶକ ମନ୍ତ୍ରୀଙ୍କ ପାଖକୁ ଯିବା ପାଇଁ ନିଷ୍ପତି ହୋଇଥିଲା । ସେମାନଙ୍କୁ ପ୍ରଥମେ ଜିଲ୍ଲା ସର୍କିଟ୍ ହାଉସ୍‌କୁ ଡକାଯାଇଥିଲା । ହେଲେ ପରେ କୌଣସି କାରଣକୁ ନେଇ ଦଳୀୟ କାର୍ଯ୍ୟାଳୟକୁ ଡକାଯାଇଥିଲା । ଏହି ଦୁଇ ଅଧିକାରୀ ଅଫିସ୍‌ରେ ସମୀକ୍ଷା କରାଯାଉ ବୋଲି କହିଥିଲେ । ହେଲେ ଏହି କଥାକୁ ନେଇ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ତେଣୁ ଶୁକ୍ରବାର ଯେତେବେଳେ ଏହି ଦୁଇ ଅଧିକାରୀ ମନ୍ତ୍ରୀଙ୍କ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେହି କଥାକୁ ନେଇ ପ୍ରଥମେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା । ପ୍ରୋଟୋକଲ ଜଣାନାହିଁ କହି ମନ୍ତ୍ରୀ ଚିହିଁକି ଉଠିବା ସହିତ ସେମାନଙ୍କୁ ମାଡ଼ ମାରିଥିଲେ ।

ଏସମ୍ପର୍କରେ ଆହତ ସହାୟକ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର କହିଛନ୍ତି, ମନ୍ତ୍ରୀ ଆମକୁ ପ୍ରୋଟୋକଲ ଜଣାନାହିଁ ବୋଲି କହିଥିଲେ । ଆମେ କହିଥିଲୁ, ନିର୍ବାଚନ ସମୟରେ ଫାଇଲ୍ ଧରି ଏଠାକୁ ଆସିବା ବି ଠିକ୍ ନୁହେଁ । ଏତିକିରେ ସେ ରାଗି ଯାଇଥିଲେ । ପରେ ଜଣଙ୍କୁ ଦଳୀୟ କାର୍ଯ୍ୟାଳୟର ସଟର୍ ବନ୍ଦ କରିବାକୁ କହିଥିଲେ । ଏହାପରେ ସେ ପ୍ରଥମେ ଏକ ଲୁହାରଡ୍ ଉଠାଇଥିଲେ । ପରେ ଏକ ପ୍ଲାଷ୍ଟିକ୍ ଚୌକିରେ ମୋତେ ପିଟିଥିଲେ । ନିର୍ଦ୍ଦେଶକ ସାର୍ ମନ୍ତ୍ରୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଏହାପରେ ସେ ତାଙ୍କୁ ବି ମାଡ଼ ମାରିଥିଲେ । ଯେଉଁ ଚୌକିରେ ଆମକୁ ପିଟିଥିଲେ, ତାକୁ ସେ ପୂରା ଭାଙ୍ଗି ଦେଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking