29.4 C
Bhubaneswar
Saturday, May 4, 2024
Homeଓଡିଶାଟୋକନ ସମସ୍ୟା, ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଆନ୍ଦୋଳନ

ଟୋକନ ସମସ୍ୟା, ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଆନ୍ଦୋଳନ

ବରଗଡ: ଟୋକନ୍ ସମସ୍ୟାକୁ ନେଇ ଧାନ ବିକ୍ରୀ କରି ପାରୁନଥିବା ବେଳେ ସୋମବାର ଚାଷୀମାନେ ବରଗଡ଼ ଜିଲ୍ଲାପାଳ ଏବଂ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଷୀ ଆନ୍ଦୋଳନ କରିଛନ୍ତି । ଜିଲ୍ଲାର ଅତାବିରା, ଭେଡେନ, ବରଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ଚାଷୀ ଟୋକନ ସମସ୍ୟା ଯୋଗୁଁ ଧାନ ବିକ୍ରୀ କରିପାରୁନାହିଁ । ଗୋଟିଏ ପଟେ ଚାଷୀଙ୍କ ଟୋକନ ଲେପସ ହୋଇଯାଇଥିବା ବେଳେ ଆଗାମୀ ୩୦ ତାରିଖରେ ମାର୍କେଟ ୟାର୍ଡ ବନ୍ଦ ହେବ । ସେହିପରି ଜିଲ୍ଲାର ଅନ୍ୟାନ୍ୟ ମାର୍କେଟରେ ମଧ୍ୟ ଏପରି ସମସ୍ୟା ଲାଗି ରହିଛି । ଫଳରେ ହଜାର ହଜାର ଚାଷୀ ଧାନ ବିକ୍ରୀ କରି ପାରି ନାହାନ୍ତି । ଚାଷୀଙ୍କ ଟୋକନ୍ ଲେପସ ହୋଇଯାଇଥିବା ବେଳେ ସେଗୁଡ଼ିକ ପୁନଃ କାର୍ଯ୍ୟକ୍ଷମ ସହ ଛଅ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଜିଲ୍ଳାର ରେଶମ ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ଟୋକନ ସମସ୍ୟା ଯୋଗୁଁ ଧାନ ବିକ୍ରୀରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହ ନିରାଶ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ରେଶମ ମାର୍କେଟ ୟାର୍ଡ ଅଧୀନରେ ଥିବା ଚାଷୀମାନେ ଟ୍ରାକ୍ଟର ଯୋଗେ ଧାନ ଆଣି ପ୍ରଥମେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ତାଲା ମାରି ଧାନ ଗଦା କରିଦେଇଥିଲେ । ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଧାରଣା ଦେବା ସହ ଲେପସ ହୋଇଥିବା ସମସ୍ତ ଟୋକନ ପୁନଃ କାର୍ଯ୍ୟକ୍ଷମ କରିବା, ଟୋକନ ଆସି ନ ଥିବା ଚାଷୀଙ୍କୁ ତୁରନ୍ତ ଟୋକନର ବ୍ୟବସ୍ଥା, ମାର୍କେଟ ୟାର୍ଡରେ ପଡ଼ି ରହିଥିବା ସମସ୍ତ ଧାନ ସରକାରୀ ଦରରେ କ୍ରୟ କରିବା ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାରୀସ୍ତରରେ ଟୋକନର ଅବଧି ୧୨ଦିନ ରହିଥିବା ବେଳେ ଚାଷୀମାନେ ଏହାକୁ ଏକ କଳା ପଦକ୍ଷେପ ବୋଲି ଅଭିହିତ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଏ ଅବସରରେ ଚାଷୀ ନେତାମାନେ ଚେତାବନୀ ଦେଇଛନ୍ତି । ଚାଷୀ ନେତା ରମେଶ ମହାପାତ୍ର, ଜୟ କିଶାନ ଆନ୍ଦୋଳନର ସାଧାରଣ ସମ୍ପାଦକ ହର ବଣିଆ, ସୁଦାମ ପାତ୍ର, ସଂଖ୍ୟାକାରୀ ଖମାରୀ, ନରେନ୍ଦ୍ର ଭୋଇ ସମେତ ବହୁ ଚାଷୀ ଆଜିର ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସେହିପରି ଚାଷୀ ସମସ୍ୟା ସମାଧାନ ସହ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବା ଦାବି ନେଇ ଗୋଡ଼ଭଗାଠାରେ କୋସଲ ସେନା ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତାରୋକ ଯୋଗୁଁ ବରଗଡ଼-ସମ୍ବଲପୁର ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking