ବାରାଣସୀ : ଜ୍ଞାନବାପୀ ମସ୍ଜିଦ ପରିସରରେ ସର୍ଭେ କାର୍ଯ୍ୟ ଶେଷ ହୋଇସାରିଥିବାବେଳେ ଗୁରୁବାର ଏ ସଂକ୍ରାନ୍ତ ରିପୋର୍ଟ ବାରାଣସୀ ଅଦାଲତରେ ଦାଖଲ କରାଯାଇଛି । ଏକ ଜଉମୁଦ ଲଫାଫାରେ ଥିବା ଉକ୍ତ ରିପୋର୍ଟକୁ ନବନିଯୁକ୍ତ କୋର୍ଟ କମିଶନର ବିଶାଲ ସିଂହ ଅଦାଲତରେ ଦାଖଲ କରିଛନ୍ତି । ଏଥିସହିତ ଭିଡିଓଗ୍ରାଫିର ଏକ ଚିପ୍କୁ ମଧ୍ୟ ଅଦାଲତରେ ଦାଖଲ କରାଯାଇଥିବା କୁହାଯାଇଛି । ଅପରପକ୍ଷରେ କ୍ରମାଗତ ତିନି ରାତି ଅନିଦ୍ରା ରହି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଆଡ୍ଭୋକେଟ କମିଶନର ଅଜୟ ପ୍ରତାପ ସିଂହ ସୂଚନା ଦେଇଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଅତ୍ୟନ୍ତ ସତର୍କତା ଓ ନିଷ୍ଠାର ସହ ସର୍ଭେ କାର୍ଯ୍ୟକୁ ସମ୍ପାଦନ କରାଯାଇଛି ବୋଲି ସେ କହିଛନ୍ତି । ଏହି ପ୍ରକ୍ରିୟାରେ ସବୁ ପକ୍ଷର ପ୍ରତିନିଧି ଓ ଆଇନଜୀବୀଙ୍କୁ ସାମିଲ କରାଯାଇଥିବାରୁ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନଚିହ୍ନ ଲାଗିବାର ସମ୍ଭାବନା ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି ।
ଅଦାଲତରେ ଦାଖଲ ହେବାର ଏକ ଘଣ୍ଟା ମଧ୍ୟରେ ରିପୋର୍ଟର ନକଲ ପିଟିସନଧାରୀଙ୍କ ଓକିଲଙ୍କ ହସ୍ତଗତ ହୋଇଥିବା ଜଣାପଡିଛି । ତେବେ ସଂପୃକ୍ତ ଓକିଲଙ୍କ କହିବା ଅନୁଯାୟୀ ସର୍ଭେ ସମୟରେ ମସ୍ଜିଦର ବେସ୍ମେଣ୍ଟରେ ତ୍ରିଶୂଳ ଚିହ୍ନ ସମେତ ପଥରରେ ଖୋଦେଇ କରାଯାଇଥିବା ପଦ୍ମଫୁଲ ଏବଂ ହିନ୍ଦୀଭାଷାରେ ଲିଖିତ କିଛି ପ୍ରାଚୀନ ଧର୍ମବାଣୀର ସୁରାକ୍ ମିଳିଛି । ସୂଚନାଯୋଗ୍ୟ ପୂର୍ବରୁ ମସ୍ଜିଦରେ ଏକ ଶିବଲିଙ୍ଗ ଠାବ କରାଯାଇଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇସାରିଛି ।
ମସ୍ଜିଦର ସ୍ତମ୍ଭଗୁଡିକରେ ଫୁଲ ଓ କଳସ ଚିତ୍ର ଅଙ୍କନ କରାଯାଇଥିବା କୁହାଯାଇଛି । ମସ୍ଜିଦରେ ନିର୍ମିତ ଦୁଇଟି ବିଶାଳକାୟ ସ୍ତମ୍ଭ ଓ ତୋରଣରୁ ଏଠାରେ ପୂର୍ବରୁ ମନ୍ଦିର ଥିବାର ପ୍ରମାଣ ମିଳିଛି ବୋଲି ହିନ୍ଦୁ ଗୋଷ୍ଠୀ ଦାବି କରୁଥିବାବେଳେ ବିପକ୍ଷ ମୁସଲମାନ ଗୋଷ୍ଠୀ ଏହାକୁ ଖଣ୍ଡନ କରିଛନ୍ତି । ତେବେ ହିନ୍ଦୁ ଗୋଷ୍ଠୀଙ୍କ ଏଭଳି ଦାବି ଅଯୁକ୍ତିକର ବୋଲି ବିପକ୍ଷ ଗୋଷ୍ଠୀ ଅଭିଯୋଗ କରିଛନ୍ତି । ଅଦାଲତ ଏପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନଥିବାବେଳେ ଗଣମାଧ୍ୟମକୁ ଏହା କିପରି ଗଲା, ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ରିପୋର୍ଟକୁ ନେଇ ଜ୍ଞାନବାପୀ ମସ୍ଜିଦ କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ସାନି ନିର୍ଦ୍ଦେଶ ଫଳରେ ଏହି ମାମଲାର ଶୁଣାଣିକୁ ଗୋଟିଏ ଦିନ ସ୍ଥଗିତ ରଖାଯାଇଛି ।