ସମ୍ବଲପୁର : ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣାରେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ ସେମାନେ ଏଠାକୁ ଯିବା ପାଇଁ ଅନୁମତି ନେଇଥିଲେ ।
ହୀରାକୁଦ ଡ୍ୟାମ୍ର ନିଷିଦ୍ଧାଞ୍ଚଳରେ ୩ ଜଣ ଓଡ଼ିଆ ଅଭିନେତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ପ୍ରବେଶ କରିଥିଲେ । ସେଠାରେ ସେମାନେ ନାଚ, ଗୀତ କରୁଥିବାର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ମୁଣ୍ଡରେ ଚେତା ପଶିଛି । ନିଷିଦ୍ଧାଞ୍ଚଳକୁ ସେମାନେ ଗାଡ଼ି ନେଇ କିପରି ପ୍ରବେଶ କଲେ ଓ ଭିଡିଓ କଲେ ତାହାର ଖୋଳତାଡ଼ ଆରମ୍ଭ ହୋଇଛି । ଏହି ଘଟଣା ପ୍ରଘଟ ହେବା ପରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ହୀରାକୁଦ ଏସ୍ଡିପିଓଙ୍କୁ ସମ୍ୱଲପୁର ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ପୂର୍ବେ ସୁଟ୍ ହୋଇଥିବା ଏହି ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ,ଲୋଭିନା ନାୟକଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲି ଦାସଙ୍କୁ ଦେଖିବାକୁ ମିଳିଛି । ନିଷିଦ୍ଧାଞ୍ଚଳରେ କେତୋଟି କାର୍ ମଧ୍ୟ ଛିଡ଼ା ହୋଇଥିବା ଭାଇରାଲ ଭିଡିଓରେ ଦେଖାଯାଉଛି ।
ତେବେ ଏହି ଘଟଣା ସମ୍ପର୍କରେ ଅଭିନେତ୍ରୀ ଏଲିନା ଗଣ ମାଧ୍ୟମକୁ କହିଛନ୍ତି, ସେ ସେଠାକୁ ଅନୁମତି ନେଇ ଯାଇଥିଲେ, ଭିଡିଓରେ ଆସିବା ତାଙ୍କର ଭୁଲ ହୋଇଛି ବୋଲି କହିବା ସହ ଭିଡିଓ ସେ ଉତ୍ତୋଳନ କରି ନାହାଁନ୍ତି କିମ୍ବା ନିଜେ ଶୋସିଆଲ ମିଡିଆରେ ପୋଷ୍ଟ କରିବାର ଭୁଲ କରି ନାହାଁନ୍ତି ବୋଲି କହିଛନ୍ତି | ଯାହା ଏକାଉଣ୍ଟରୁ ଏ ଭିଡିଓ ପୋଷ୍ଟ ହୋଇଛି ତାକୁ ପ୍ରଶ୍ନ କରିବା ପାଇଁ କହିଛନ୍ତି | ସେ ଜଣେ ଅଭିନେତ୍ରୀ ହୋଇଥିବାରୁ ତାଙ୍କର ଭିଡିଓ ବା ଫଟୋ ଉତ୍ତୋଳନ କରିବାକୁ ସେ କାହାକୁ ମନା କରି ପାରିବେ ନାହିଁ ବୋଲି କହିଛନ୍ତି ଏବଂ ଏହି ଘଟଣାର ତଦନ୍ତ ହେଲେ ତାଙ୍କର ଯେଉଁ ଭୁଲ ରହିଛି ସେ କ୍ଷେତ୍ରରେ ସେ ପୁଲିସକୁ ପୁରା ସହଯୋଗ କରିବେ ବୋଲି କହିଛନ୍ତି |