ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା । ଇନ୍ଫୋଭ୍ୟାଲି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ କୁକର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ନୟାଗଡ଼ ଜିଲ୍ଲାର ସୁନୀଲ ପାତ୍ର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁନୀଲ ପାତ୍ର ଜଣେ ଗ୍ୟାରେଜ ମେକାନିକ୍ । ସେ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରେ ଯୁବତୀଙ୍କୁ ଭାଇର ଭରସା ଦେଇ, “ଭଉଣୀ ଭାବି ଛାଡ଼ିଦେବି” ବୋଲି କହି ବାଇକ୍ରେ ଲିଫ୍ଟ ଦେଇଥିଲା କିନ୍ତୁ ନିର୍ଦ୍ଧାରିତ ସ୍ଥାନକୁ ନେବା ପରିବର୍ତ୍ତେ ସେ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ରତନପୁର ଜଙ୍ଗଲ ଆଡ଼କୁ ନେଇ ଯୁବତୀଙ୍କ ସହ କୁକର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ତେବେ ସାହସ ଦେଖାଇ ଯୁବତୀ ଅଭିଯୁକ୍ତ କବଳରୁ ଖସି ପଳାଇବାରେ ସଫଳ ହୋଇଥିଲେ । ଖବର ପାଇ ପୁଲିସ୍ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଡ୍ରୋନ୍ର ସହାୟତାରେ ପ୍ରାୟ ଦେଢ଼ ଘଣ୍ଟା ଧରି ଖୋଜାଖୋଜି ପରେ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଘଟଣାରେ ପୁଲିସ୍ ଅଭିଯୁକ୍ତ ସୁନୀଲ ପାତ୍ରଙ୍କୁ ଗିରଫ କରିଛି । ତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ନିଆଯାଇଥିବାବେଳେ, ଘଟଣାର ଅଧିକ ତଦନ୍ତ ଚାଲିଛି ।










