ସମ୍ବଲପୁର: ଧାନ ସଂଗ୍ରହ ନୀତିରେ ସରକାରଙ୍କ ତ୍ରୁଟି ଯୋଗୁଁ ବିଗତ ୧ ବର୍ଷ ଧରି ସମଗ୍ର ଚଷୀକୂଳ ବିଷମ ପରିସ୍ଥିତି ଦେଇ ଗତି କରୁଛନ୍ତି । ତେବେ ଏହି ତ୍ରୁଟି ସଂଶୋଧନ ନହେଲେ ଆଗାମୀ ଖରିଫଋତୁରେ ରାଜ୍ଯରେ ଚାଷ ଓ ଚାଷୀ ଉଭୟେ ବିଶେଷ ଭାବେ ପ୍ରଭାବିତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି । ଏପରିକି ଏଥିପାଇଁ ଉପୁଜିବାକୁ ଥିବା ସମସ୍ୟାର ସମାଧାନ କରିବା ସରକାରଙ୍କ ପାଇଁ କାଠିକର ବ୍ଯାପାରରେ ପରିଣତ ହେବ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନ ଆଶଙ୍କା ପ୍ରକାଶ କରିଛନ୍ତି । ଆଜି ସ୍ଥାନୀୟ ସାଂସ୍କୃତିକ ସମାଜ ସଭାଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ଉପସ୍ଥିତ ମହଲଙ୍କୁ ବର୍ତ୍ତମାନ ରାଜ୍ୟର ଚାଷୀ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଲେ ଯେ ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ପଶ୍ଚିମ ଓଡ଼ିଶାର ଚାଷୀ ଅନେକ ସମସ୍ୟାର ସମ୍ମୁଖିନ ହେଉଛି । ଏହାର ପ୍ରତିକାର ଦିଗରେ ସରକାର ଆଦୌ ଧ୍ୟାନ ଦେଉ ନାହାନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାନ ଅମଳ ସମୟ ମଧ୍ୟ ଭିନ୍ନ ହୋଇଥାଏ । ଏହାକୁ ସଠିକ୍ ଭାବେ ସମୀକ୍ଷା ନକରି ଅମଳ ସମୟ ପୂର୍ବରୁ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକୃତ ଆରମ୍ଭ ତଥା ମାତ୍ର ୧୨ ଦିନ ମଧ୍ୟରେ ଧାନ ବିକ୍ରୟ ପାଇଁ ଟୋକନ ପ୍ରେରଣ କରାଯାଇଛି । ଫଳରେ ଫସଲ ଅମଳ ପୂର୍ବରୁ ଟୋକନ ଅବଧି ସମାପ୍ତ ହୋଇଯାଉଥିରୁ ଚାଷୀ ଧାନର ଅଭାବି ବିକ୍ରୀର ସମ୍ମୁଖୀନ ହେବା ସହ ବହୁ ପରିମାଣରେ ଧାନ ବିକ୍ରୀ ନହୋଇ ରହିଯାଉଛି । ସେହିପରି ରାଜ୍ୟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଭଲ ବର୍ଷା ହୋଇନଥିବା ବେଳେ ଚାଷୀ ଚାଷ ପାଇଁ ବିବ୍ରତ ଓ ଚିନ୍ତିତ । ଏଭଳି ପରିସ୍ଥିତିକୁ ଅଣଦେଖା କରି ସରକାର ଧାନ ସଂଗ୍ରହ ପାଇଁ ବାଧ୍ୟ । ଚାଷ ଆରମ୍ଭ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ସରକାର ଜୁଲାଇ ୧୫ ରୁ ଅଗଷ୍ଟ ୧୫ ମଧ୍ଯରେ ଚାଷୀ ପଞ୍ଜୀକରଣ ସକାଶେ ସମୟ ଧାର୍ଯ୍ୟ କରିଛନ୍ତି । ଠିକ୍ ଚାଲିଥିବା ସମୟରେ ପଞ୍ଜୀକରଣ ପାଇଁ ଚାଷୀ ସମୟ ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନା ରହିଛି ବୋଲି ଶ୍ରୀ ପ୍ରଧାନ ଆଶଙ୍କା ପ୍ରକଟ କରିଛନ୍ତି ।
ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ କହିଲେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନ ସଂଗ୍ରହ ନୀତି ଯୋଗୁଁ ବିଶେଷକରି ପଶ୍ଚିମ ଓଡ଼ିଶାର ଚାଷୀ ବହୁଳ ଭାବେ ପ୍ରଭାବିତ ହୋଇଥିବା ଦେଖାଯାଇଛି । ରବିଋତୁରେ ଧାନ ସଂଗ୍ରହ ପାଇଁ ପୂର୍ବରୁ ୩୦ ଦିନ ଥିବା ଟୋକନ ଅବଧିକୁ ହ୍ରାସ କରି ମାତ୍ର ୧୨ ଦିନ କରାଯାଇଥିଲା । ଫଳରେ କେବଳ ବରଗଡ଼ ଜିଲ୍ଲାରେ ୧୦ ଲକ୍ଷ କ୍ୟୁାଣ୍ଟାଲ ଧାନ ମଣ୍ଡିରେ ବିକ୍ରୀ ହୋଇ ପାରିନଥିଲା । ଯଦ୍ୱାରା ଚାଷୀମାନେ ଅଭାବି ବିକ୍ରୀର ସମ୍ମୁଖୀନ ହୋଇ ଧାନର ସର୍ବନିମ୍ନ ନିର୍ଦ୍ଧାରିତ ମୂଲ୍ୟ ଠାରୁ ୧୦୦୦ ଟଙ୍କାରୁ କମରେ ବିକ୍ରୟ କରିବାକୁ ବାଧ୍ୟ ହୋଇ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଟୋକନ ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୃଦ୍ଧି କରାନଗଲେ ଏଅଞ୍ଚଳର ଚାଷୀ ପୁନର୍ବାର କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି । ସରାରଙ୍କ ଧାନ ସଂଗ୍ରହ ନୀତି ପାଇଁ ନୂତନ ଧାନ ସଂଗ୍ରହ ସମୟରେ ଚକବନ୍ଦି ଅଞ୍ଚଳର ତଥା ଭାଗଚାଷୀ ମଧ୍ୟ ବହୁଳ ଭାବେ କ୍ଷତିଗ୍ରସ୍ତ ହେବେ । ଏଭଳି ପରିସ୍ଥିତିର ସଠିକ୍ ଅନୁଧ୍ୟାନ ପୂର୍ବକ ଧାନ ସଂଗ୍ରହ ନୀତିକୁ ସରଳ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ଲିଙ୍ଗରାଜ କହିଥିଲେ । ସେ ଆହୁରି କହିଲେ ରାଜ୍ୟରେ ମଣ୍ଡି ବ୍ୟବସ୍ଥାକୁ ଧ୍ୱଂସ ମୁଖକୁ ଠେଲିବାର ସମାନ ଆଭିମୁଖ୍ୟ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରି ମିଛ କାଦୁଅ ଫିଙ୍ଗାଫିଙ୍ଗିରେ ବ୍ୟସ୍ତ । ପ୍ରକୃତରେ ଭାଜପା ବା ବିଜେଡି କାହାରି ହେଲେ ଚାଷୀଙ୍କ ପ୍ରତି ଦରଦ ନାହିଁ । ସେମାନେ କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦି ଛଳନା କରୁଛନ୍ତି ।
ସମନ୍ୱୟ ସମିତିର ପ୍ରବକ୍ତା ସରୋଜ କହିଲେ ରାଜ୍ୟ ସରକାର ଅଧିକ ଧାନ ଅମଳ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ମାତ୍ର ଉତ୍ପାଦିତ ଧାନକୁ ଚାଷୀ ସୁରୁଖୁରୁରେ କିଭଳି ବିକ୍ରୀ କରିପାରିବ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ପୂର୍ବରୁ ଜିଲ୍ଲା ସ୍ତରୀୟ କମିଟିରେ ଚାଷୀଙ୍କ ସମସ୍ୟାର ତତକ୍ଷଣାତ୍ ସମାଧାନ ପାଇଁ ଜିଲ୍ଲାପାଳଙ୍କ କ୍ଷମତା ଥିଲା । ହେଲେ ବର୍ତ୍ତମାନ ଏହି କମିଟିର କ୍ଷମତାକୁ ଭୁବନେଶ୍ୱର ଅପସାରଣ କରି ନିଆଯାଇଛି । ବର୍ତ୍ତମାନ ଓଡ଼ିଶାରେ ନିରଙ୍କୁଶ ଅମଲାତନ୍ତ୍ର ଶାସନ ଚାଲିଛି । ତେଣୁ ଏଅଞ୍ଚଳର ଜନପ୍ରତିନିଧି ଟିକଟ କଟିଯିବା ଭୟରେ ଏଭଳି ଅବ୍ୟବସ୍ଥା ବିରୋଧରେ ମଧ୍ୟ ପାଟି ଫିଟାଇବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଫଳରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆଉ କିଛି ନୁହେଁ ବରଂ ଚାଷୀଙ୍କୁହିଁ ଆନ୍ଦୋଳନକୁ ଓହ୍ଲାଇବା ଛଡ଼ା ଅନ୍ୟ ବିକଳ୍ପ ନାହିଁ । ତେଣୁ ଚାଷୀଙ୍କୁ ଚାଷରୁ ବିରତି ମିଳିବା ପରେ ଆସନ୍ତା ଅଗଷ୍ଟ ୧୫ ତାରିଖ ପରଠାରୁ ସମନ୍ୱୟ ସମିତି ଗାଁକୁ ଗାଁ ବୁଲି ଚାଷୀମାନଙ୍କୁ ସାକ୍ଷାତ କରି ସରକାଙ୍କ ତ୍ରୁଟିପୂର୍ଣ୍ଣ ଧାନ ସଂଗ୍ରହ ନୀତି ବିରୋଧରେ ଜନମତ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ଏହାସହିତ ଚାଷୀମାନଙ୍କୁ ଏକଜୁଟ କରି ବିଗତଦିନର ହୀରାକୁଦ ଜଳ ପାଇଁ ହୋଇଥିବା ଆନ୍ଦୋଳନ ଭଳି ଏକ ବଡ଼ ଆନ୍ଦୋଳନ କରାଯିବ । ଚାଷୀ ପଞ୍ଜୀକରଣରେ ଧାନ ସଂଗ୍ରହ ନୀତି ସ୍ପଷ୍ଟ କରାଯିବା, ମଣ୍ଡି ଚାଲୁଥିବା ପର୍ଯ୍ୟନ୍ତ ଟୋକନ ଅବଧିକୁ ବଳବତ୍ତର ରଖିବା, ଜିଲ୍ଲା ସ୍ତରରେହିଁ ଟୋକନ୍ ନବିକରଣ ବ୍ୟବସ୍ଥା ହେବା, ପୂର୍ବତ ଜିଲ୍ଲାସ୍ତରୀୟ କମିଟିକୁ ପୁନଃ କ୍ଷମତାସୀନ କରିବା, ରାଜ୍ୟରେ ଧାନ କ୍ରୟରେ ଭାରତୀୟ ଖାଦ୍ୟ ନିଗମକୁ ସାମିଲ କରାଯିବା, ଚାଷୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଦେବା, ରାଜ୍ୟ ସରକାରଙ୍କ ଠିକାଚାଷୀଙ୍କ ପାଇଁ ପାରିତ ଅଧାଦେଶକୁ ପ୍ରତ୍ୟାହାର ଆଦି ଦାବିରେ ଆଗାମୀ ଦିନରେ ଏକ ଦୁର୍ବାର ଆନ୍ଦୋଳନକୁ ରୂପ ଦେବାପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସରୋଜ କହିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସମନ୍ୱୟ ସମିତିର ସଭାପତି ମୁରାରି ପୁରୋହିତ ଓ ସମ୍ପାଦକ ବ୍ୟମୋକେଶ ଠାକୁର ଉପସ୍ଥିତ ଥିଲେ ।