39.2 C
Bhubaneswar
Thursday, April 18, 2024
Homeଓଡିଶାଭୟରେ କଲବଲ ହେଉଛନ୍ତି ରାଜଧାନୀବାସୀ : ଘରେ ଡେଙ୍ଗୁ, ବାହାରେ କରୋନା 

ଭୟରେ କଲବଲ ହେଉଛନ୍ତି ରାଜଧାନୀବାସୀ : ଘରେ ଡେଙ୍ଗୁ, ବାହାରେ କରୋନା 

ଭୁବନେଶ୍ୱର : ଭୟରେ ଦିନ କାଟୁଛନ୍ତି ରାଜଧାନୀବାସୀ । ବାହାରେ କରୋନା ଓ ଘର ଭିତରେ ଡେଙ୍ଗୁ କାୟା ମେଲାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଉ ୧୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମହାମାରୀ ମୁକାବିଳାର ବିଫଳତା ଦର୍ଶାଉଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସହ ଡେଙ୍ଗୁ ମଧ୍ୟ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଭୁବନେଶ୍ୱରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୯୭ ହଜାର ଟପିଛି । ଏହି ମଧ୍ୟରେ ଏବେ ସୁଦ୍ଧା ଭୁବନେଶ୍ୱରରୁ ୨୯୧ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠି ଜୁଲାଇ ଆରମ୍ଭରେ କିଞ୍ଚିତ ମାମଲା ସାମ୍ନାକୁ ଆସିଥିଲା । ତାହା ଏବେ ବଢ଼ି ୩୦୦ ମୁହାଁ ହେବାକୁ ବସିଛି । ଯାହାକି ବିଏମ୍‌ସିର ସହର ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିବା ସହ ସହରବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।

ଏହି ସ୍ଥିତିରେ ବିଏମ୍‌ସି ପକ୍ଷରୁ ଡେଙ୍ଗୁ ନେଇ ସଚେତନତା କମ୍ କଟକଣା ଅଧିକ ଜାରି କରାଯାଇଥିବା ନଜରକୁ ଆସିଛି । ବର୍ତ୍ତମାନ ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିଏମ୍‌ସି ପକ୍ଷରୁ ସଠିକ୍ ପଦେକ୍ଷପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ସହରର ଅନେକ ସମ୍ବେଦନଶୀଳ ସ୍ଥାନରେ ବିଏମ୍‌ସି ପକ୍ଷରୁ ସଫେଇ କାର୍ଯ୍ୟ ଠିକ୍ ଭାବରେ ହେଉନଥିବାବେଳେ ଅଧିକାଂଶ ଅଞ୍ଚଳରେ ଧୂଆଁ ଏବଂ ମଶା ତେଲ ପକା ଯାଉନଥିବା ନେଇ ଅଭିଯୋଗ ଆସିଛି । ଠିକ୍ ଭାବେ ସଫେଇ ହେଉନଥିବାରୁ ଡେଙ୍ଗୁ ମଶା ବଂଶ ବୃଦ୍ଧିର ମୂଳ କାରଣ ପାଲଟିଥିବା ଏକାଧିକ ୱାର୍ଡବାସୀ ଅଭିଯୋଗ କରିଛନ୍ତି । ବିଏମ୍‌ସିର ଜନୈକ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରୁ ମିଳିଥିବା ତଥ୍ୟ ମୁତାବକ ଏବେ ସୁଦ୍ଧା ବିଏମ୍‌ସି ଭୁବନେଶ୍ୱରର ମାତ୍ର ୪୫୫୮ ପରିବାରକୁ ସର୍ଭେଲାନ୍ସକୁ ଆଣିପାରିଛି । ଯେଉଁଥିରେ ୧୮୭୩୫ ନାଗରିକ ସାମିଲ ଅଛନ୍ତି । ଏହାବ୍ୟତୀତ ୯୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଔଷଧ ସିଞ୍ଚନ ହୋଇଥିବାବେଳେ ୪୯୮ ସ୍ଥାନରୁ ଲାର୍ଭା ମିଳିଛି । ବିଶେଷକରି ଚନ୍ଦ୍ରଶେଖରପୁର, ପ୍ରଗତି ବିହାର ସହ ପୁରୁଣା ଭୁବନେଶ୍ୱର, ଗୌତମ ନଗର, ଭୋଇ ସାହି, ନାଗେଶ୍ୱରଟାଙ୍ଗି ଅଞ୍ଚଳରେ ସ୍ଥିତି ଏବେ ସଙ୍ଗୀନ ରହିଛି । ଏହି ସବୁ ଅଞ୍ଚଳରୁ ମାଳ ମାଳ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରୀ ତଥ୍ୟ ମୁତାବକ ଏବେସୁଦ୍ଧା ରାଜ୍ୟର କେବଳ ଖୋର୍ଦ୍ଧା ଜିଲ୍ଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ସ୍ତରରେ ଏହାର ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ବ୍ୟାପକ ବ୍ୟବସ୍ଥା ଗ୍ରହଣ ସଦୃଶ ସବୁ ୱାର୍ଡ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଉଛି । ଯଦି ଏନେଇ କିଛି ତ୍ୱରିତ ପଦକ୍ଷେପ ଗ୍ରହଣ କରାନଯାଏ ତେବେ କରୋନା ସହ ଡେଙ୍ଗୁ ମୁକାବିଲା ବିଏମ୍‌ସି ପାଇଁ ଆହ୍ୱାନ ପାଲଟିବ ବୋଲି ସାଧାରଣରେ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking