20.1 C
Bhubaneswar
Thursday, February 19, 2026
Homeଓଡିଶାଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରବିବାର ସକାଳେ ଏକ ମତଦାତା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଅମ୍ବର କୁମାର କର ଏହି ରାଲୀକୁ ଉଦଘାଟନ କରିଥିଲେ। ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ସଂସ୍କୃତି ଭବନ ପରିସରରେ ଶେଷ ହୋଇଥିଲା। ଏହାପରେ ଚଳିତ ବର୍ଷର ଥିମ୍ “ମୋ ଭାରତ, ମୋ ଭୋଟ”କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଯୁଧିଷ୍ଠିର ନାଏକ, ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ତାପସ ରଞ୍ଜନ ଦେହୂରୀ, ଅତିରିକ୍ତ ଉପଜିଲ୍ଲାପାଳ ପଲ୍ଲବୀ ରାଣୀ ରାଜ ଏବଂ ଅତିରିକ୍ତ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ନାଏକ ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ବୈଦିକ ଯୁଗରୁ ଏବେ ଯାଏଁ ନିର୍ବାଚିତ ପ୍ରତିନିଧିଙ୍କ ଦ୍ଵାରା ଶାସନ ପରମ୍ପରା ଜାରି ରହିଛି। ଜାତି, ଧର୍ମ, ଲିଙ୍ଗ ବର୍ଣ୍ଣ ନିର୍ବିଶେଷରେ ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମତଦାନ ଅଧିକାର ଦିଆଯାଇଛି।

ଯଦି ଭୋଟ ନଦେବା, ତାହେଲେ ଶାସନ କଳକୁ ପ୍ରଶ୍ନ କରିବାର ନୈତିକ ଅଧିକାର ଆମର ରହିବ ନାହିଁ ବୋଲି ସେ କହିଥିଲେ। ଉପଜିଲ୍ଲାପାଳ କହିଥିଲେ ଯେ ନିର୍ବାଚନ ହେଉଛି ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତୀୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ସ୍ଵଚ୍ଛ ନିରପେକ୍ଷ ଏବଂ ତ୍ରୁଟିବିହୀନ ଭୋଟର ତାଲିକା ତିଆରି ହେବା ପାଇଁ ଏକ ପ୍ରକ୍ରିୟା ରହିଛି। ଏକ ନିର୍ଭୁଲ ମତଦାତା ତାଲିକା ତିଆରି କରିବା ଦିଗରେ ବିଶେଷ ପ୍ରୟାସ କରାଯାଉଅଛି ବୋଲି ଉପଜିଲ୍ଲାପାଳ କହିଥିଲେ। ଏହା ପରେ ଅତିରିକ୍ତ ଜିଲ୍ଲାପାଳ ଏକ ସାମୂହିକ ମତଦାତା ଶପଥ ପାଠ କରାଇଥିଲେ। ଏହି ଅବସରରେ ନୂତନ ଭାବେ ସାମିଲ ହୋଇଥିବା ମତଦାତାଙ୍କୁ ଅତିଥିମାନେ ଭୋଟର କାର୍ଡ ବା ଇପିଆଇସି କାର୍ଡ ବଣ୍ଟନ କରିଥିଲେ। ଭୋଟର ତାଲିକା ପ୍ରସ୍ତୁତିରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବୁଥ ସ୍ତରୀୟ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜାତୀୟ ମତଦାତା ଦିବସ ଉପଲକ୍ଷେ ଆୟୋଜିତ ମହାବିଦ୍ୟାଳୟ ସ୍ତରୀୟ ନିର୍ବାଚନ ସମ୍ବନ୍ଧୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କିଛି ଛାତ୍ରଛାତ୍ରୀ ମତଦାନକୁ ନେଇ ସେମାନଙ୍କ ବକ୍ତବ୍ୟ ଦେଇଥିଲେ। ଏହାସହ ନିର୍ବାଚନ ଓ ମତଦାନ ସମ୍ବନ୍ଧୀୟ ଏକ ଦୃଶ୍ୟଶ୍ରାବ୍ୟ ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲା ନିର୍ବାଚନ ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଅତିରିକ୍ତ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking